୫ ପଞ୍ଚାୟତରେ ନିର୍ବାଚନ : ଅନ୍ୟ ଗାଁର ଭୋଟରଙ୍କ ମତଦାନ ଅଭିଯୋଗ

ନନ୍ଦନକାନନ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ଉତ୍ତରଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୫ ପଞ୍ଚାୟତରେ ମତଦାନ ଶେଷ ହୋଇଛି।  ଏହି ନିର୍ବାଚନମଣ୍ଡଳୀରେ ୫ ପଞ୍ଚାୟତ ତଥା ରଘୁନାଥପୁର ପଞ୍ଚାୟତରେ ୩ଟି ବୁଥ୍‍, ଦାଢ଼ାରେ ୭ଟି, କଲ୍ୟାଣପୁରରେ ୮ଟି, ବରିମୁଣ୍ଡରେ ୫ଟି ଓ କଳାରାହାଙ୍ଗ ପଞ୍ଚାୟତରେ ୫ଟି ବୁଥ୍‍ ହୋଇଥିଲା। ପ୍ରାୟ ସବୁ ବୁଥରେ  ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା ତେବେ ଇଭିଏମ୍‍ ତ୍ରୁଟି ଯୋଗୁଁ ଭୋଟରମାନେ ହଇରାଣ ହେବା ସହିତ କିଛି ଭୋଟର ଭୋଟ ନଦେଇ ଘରକୁ ଫେରି ଆସିଥିବା ଜଣାପଡିଛି।

ଅନ୍ୟପକ୍ଷରେ କିଛି ଅନ୍ୟ ଗାଁର ଲୋକ ଏଠାରେ ଭୋଟ ଦେଇଥିବା ଅଭିଯୋଗ ହୋଇଛି। ସେମାନେ କଲ୍ୟାଣପୁର କିମ୍ବା ଖୈରାପଡ଼ାର ଲୋକ ହୋଇ ନ ଥିଲେ ମଧ୍ୟ ମତଦାନ କରିଛନ୍ତି। ଅନ୍ୟ ଗ୍ରାମର ପ୍ରାୟ ୧୩ ଜଣ ଲୋକ ମତଦାନ କରିଛନ୍ତି। ଏଠାକାର ଲୋକ ନ ହୋଇ ସେମାନେ କିପରି ପରିଚୟ ପତ୍ର ପାଇଲେ ଓ ମତଦାନ କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଇଭିଏମ୍‍ ତ୍ରୁଟି ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଦାଢ଼ା ପଞ୍ଚାୟତର ବାଲିପଡ଼ା ଓ ମରିଚିଆ, ପଦାସାହି ବୁଥରେ ସର୍ବାଧିକ ଇଭିଏମ୍‍ ତ୍ରୁଟି ଦେଖା ଦେଇଥିବା ବେଳେ କଳାରାହାଙ୍ଗ ପଞ୍ଚାୟତର କଳାରାହାଙ୍ଗ ବୁଥରେ ରେ ଅଧିକ ତ୍ରୁଟି ଦେଖା ଦେବାରୁ କିଛି ସମୟ ପାଇଁ ଭୋଟରମାନେ ​ହୋ ହଲ୍ଲା କରିଥିଲେ। ସେହିଭଳି କଲ୍ୟାଣପୁର ପଞ୍ଚାୟତର ଖୈରାପଡ଼ା ବୁଥରେ ସକାଳୁ ଇଭିଏମ୍‍ ତ୍ରୁଟି ଦେଖାଦେବା ସହ ୧୧ଟା ୩୭ ରେ ପୁଣି ଥରେ ତ୍ରୁଟି ଦେଖାଦେଇଥିଲା ଯାହାକୁ ନେଇ ଭୋଟରମାନେ ପାଟିତୁଣ୍ଡ କରିବା ସହ ମତଦାନ ବନ୍ଦ କରିବାକୁ ଅଡ଼ି ବସିଥିଲେ। ଭୋଟରଙ୍କୁ ଖରାଦାଉରୁ ରକ୍ଷା ପାଇଁ ପ୍ରତି ବୁଥ୍‌ ନିକଟରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ବିଶ୍ରାମସ୍ଥଳୀ ନିର୍ମାଣ କରିବାକୁ ନିର୍ଦେଶ ଥିଲେ ହେଁ ୫ ପଞ୍ଚାୟତର ୧୮ ବୁଥ୍‍ ମଧ୍ୟରୁ ୫ଟି ବୁଥରେ ଭୋଟରଙ୍କ ପାଇଁ ସେଭଳି ବ୍ୟବସ୍ଥା କରାଯାଇ ନଥିଲା। ଯାହାକୁ ନେଇ ଦାଢ଼ା ପଞ୍ଚାୟତର ପଦାସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥର ଭୋଟରମାନେ ଅସନ୍ତୋଷ ବ୍ୟକ୍ତ କରି ପୋଲିଂ ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ।

Comments are closed.