ଅନାଥ ୩ ଶିଶୁଙ୍କ ଅକୁହା କାହାଣୀ; ଆମେ ପଢିବୁ, ଚଳିବୁ କେମିତି ?

ଢେଙ୍କାନାଳ ସଦର : ବାପା କିଡ୍‍ନୀ ରୋଗରେ ଚାଲିଗଲେ, ଆଉ ମା’ ଲିଭର ଜଣ୍ଡିସରେ ଆରପାରିକୁ ଚାଲିଗଲେ। ଆମେ ୩ ଭାଇ ଭଉଣୀ କେମିତି ପାଠ ପଢିବୁ, ଚଳିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଅନାଥ ଭାଇ ଭଉଣୀ। ବାପା ମା’ଙ୍କୁ ହରାଇବା ପରେ ଗତ ତିନି ବର୍ଷ ହେଲା ବଡ ଦୁଃଖ କଷ୍ଟରେ ଜୀବନ ଜୀଉଛନ୍ତି କ୍ରାନ୍ତି, ରାଜେଶ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା। ଢେଙ୍କାନାଳ ଜିଲା ତୁମୁସିଂଙ୍ଗା ଥାନା ଅନ୍ତର୍ଗତ ଗାଙ୍ଗିଯୋଡି ଗାଁର ପ୍ରିୟତନ ନାଏକ ଏବଂ ପଦ୍ମିନୀ ନାଏକଙ୍କ ହସଖୁସିର ସଂସାର କିଛି ଦିନ ଖୁବ ଭଲରେ ଚାଲିଲା। ସେମାନଙ୍କ ଔରସରୁ ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଜନ୍ମ ଲାଭ କରିଛନ୍ତି। ପ୍ରିୟତନ ଏବଂ ପଦ୍ମିନୀ ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ, ମାତ୍ର ହଠାତ ପ୍ରିୟତନ ଅସୁସ୍ଥ ହୋଇ ପଡିଲେ। ତାଙ୍କୁ ଡାକ୍ତରଖାନାକୁ ନେବାରୁ ତାଙ୍କର ଦୁଇଟି ଯାକ କିଡ୍‍ନୀ ନଷ୍ଟ ହୋଇଯାଇଛି। ଉଭୟ ସ୍ୱାମୀ ସ୍ତ୍ରୀ ବାରମ୍ବାର ବିଭିନ୍ନ ହସ୍‍ପିଟାଲକୁ ଯିବାପରେ ଶେଷରେ ନିରାଶ ହୋଇ ପଡିଲେ। ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ଘରେ ରହି ରହିି ଆଖି ବୁଜିଲେ ପ୍ରିୟତନ। କିଛି ଦିନ ପରେ ସ୍ତ୍ରୀ ପଦ୍ମିନୀ ଲିଭର ଜଣ୍ଡିସରେ ପିଡିତ ହେବା ପରେ ଗତ ବର୍ଷକ ତଳେ ଆଖି ବୁଜିଲେ। ଉଭୟ ବାପା ମାଆଙ୍କ ହରାଇବା ପରେ ସେମାନଙ୍କ ସପ୍ତମ ଶ୍ରେଣୀରେ ପଢୁଥିବା୧୨ ବର୍ଷର ପୁଅ କ୍ରାନ୍ତି, ପଞ୍ଚମ ଶ୍ରେଣୀରେ ପଢୁଥିବା ୯ ବର୍ଷର ପୁଅ ରାଜେଶ ଏବଂ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ୪ ବର୍ଷର ଝିଅ ପ୍ରିୟଙ୍କା ହତାଶ ହୋଇ ପଡିଛନ୍ତି। ସେମାନଙ୍କ ବାପା ଚାଲି ଯିବା ପରେ ତିନି ପିଲା ଏବଂ ସେମାନ ମାଆ ପଦ୍ମିନୀ ଅଜା ଘର ପରଜଙ୍ଗ ବ୍ଲକ ଅନ୍ତର୍ଗତ ରୋଡ ଗ୍ରାମକୁ ଚାଲି ଯାଇଥିଲେ। ଗତ ବର୍ଷକ ତଳେ ସେମାନଙ୍କ ମାଆ ଲିଭର ଜଣ୍ଡିସରେ ଚାଲି ଯିବା ପରେ ସେମାନେ ବୃଦ୍ଧ ଅଜା ଆଈଙ୍କ ପାଖରେ ରହୁଛନ୍ତି। ସେମାନେ ତିନି ପିଲାଙ୍କୁ ଭଲରେ ମୁଠେ ଖାଇବାକୁ କି ପିନ୍ଧିବାକୁ ଦେଇ ପାରୁ ନାହାନ୍ତି। କରୋନା କାଳରେ ସେମାନେ ଅତି ଦୟନୀୟ ଅବସ୍ଥାରେ ଭୋକ ଓପାସରେ କେମିତି ଦିନ କାଟିଛନ୍ତି ତାହା ଅବର୍ଣ୍ଣନୀୟ ବୋଲି କହିଛନ୍ତି ରୋଡ ଗାଁ ର ସାମାଜିକ କର୍ମୀ ବିଶ୍ୱଜିତ ନାୟକ। ସେ ଜିଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହିତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବୁଧବାର ଟୁଇଟ୍‍ କରି ଜଣାଇଛନ୍ତି। ଶିଶୁ ମାନଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି, ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଠାରୁ ଆରମ୍ଭ କରି ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଜିଲା ଶିଶୁ ସୁରକ୍ଷା ଶାଖା ଆଦି ଅନେକ ସରକାରୀ ବ୍ୟବସ୍ଥା ରହିଛି ସତ କିନ୍ତୁ ଏହି ତିନି ଅନାଥ ବାପା ମା ଛେଉଣ୍ଡ ପିଲାଙ୍କ ଦୁଃଖ ଦୂର ହୋଇ ପାରିନି।। ଅତି କଠିନ ପରିସ୍ଥିତି ଭିତରେ ବାସ କରୁଥିବା ଶିଶୁ ରାଜେଶ, କ୍ରାନ୍ତି ଏବଂ ପ୍ରିୟଙ୍କା ଙ୍କ ପାଠ ପଢିବା ଚଳିବା ପାଇଁ ସେ ନାଗରିକ ସମୁଦାୟଙ୍କ ନିକଟରେ ନିବେଦନ କରିଛନ୍ତି।

Comments are closed.