ସୀମାରେ ସୀମା ଟପୁଛି ପାକିସ୍ଥାନ, ୧୦ ମାସରେ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ

ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କାର୍ଯ୍ୟରେ ଲିପ୍ତ ରହିଛନ୍ତି ଏବଂ ସୀମା ଆରପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ଦେଶ୍ୟରେ ଜନବସତି ଅଂଚଳରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିବା ଭାରତ କହିଛି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଏହା ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ବୁଝାମଣାର ସ୍ପଷ୍ଟ ଉଲ୍ଲଂଘନ। ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଚଳିତ ବର୍ଷ ୩ ହଜାର ୮ ଶହ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏହା ବ୍ୟତୀତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଜନବସତି ଅଂଚଳରେ ମଧ୍ୟ ପାକ ସେନା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପକାଇବାକୁ ଚେଷ୍ଟା କରିଛି। ମୁଖପାତ୍ର କହିଛନ୍ତି ଯେ ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସହାୟତା ଯୋଗାଇବା ସହ ଅସ୍ତ୍ରଶସ୍ତ୍ର ତଥା ନିଶା କାରବାରରେ ଲିପ୍ତ ରହିଛି।

ଶ୍ରୀ ଶ୍ରୀବାସ୍ତବ ଆହୁରି କହିଛନ୍ତି ଯେ ଡିଜିଏମଓ ସ୍ତରୀୟ ବୈଠକରେ ଏହି ଉଲ୍ଲଂଘନ ସମ୍ପର୍କରେ ନିୟମିତ ଭାବେ ଅବଗତ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାକିସ୍ତାନ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଅନ୍ୟପକ୍ଷରେ ଜାତିସଂଘ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହର, ଦାଉଦ ଇବ୍ରାହିମ ଏବଂ ଜାକି ଉର ରେହମାନ ଲଖବି ବିରୋଧରେ ମଧ୍ୟ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

Comments are closed.