୩୭୭ ସହକାରୀ ଶିକ୍ଷକ ହେଲେ ପ୍ରଧାନ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷର ଶେଷ ଦିନରେ ୩୭୭ ଜଣ ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି ଦିଆଯାଇଛି। ତେବେ ଏହି ପ୍ରକ୍ରିୟାରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜଣେ ମୃତକଙ୍କୁ ପଦୋନ୍ନତି ମିଳିଥିବାବେଳେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ସ୍ବତନ୍ତ୍ର ପଦକୁ ଆତ୍ମସାତ୍ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିମାସ ତଳେ ୨୧୭୩ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିଲା। ଏହି ସମୟରେ ଦିବ୍ୟାଙ୍ଗଙ୍କ ଲାଗି ୩ପ୍ରତିଶତ ପଦ ସଂରକ୍ଷଣ ରଖାଯିବା କଥା, ତାହା କରାଯାଇ ନଥିବାବେଳେ ଏବେ ମଧ୍ୟ ଅନୁରୂପ ଭାବେ ଭିନ୍ନକ୍ଷମବର୍ଗଙ୍କ କ୍ଷେତ୍ରରେ ଅବହେଳା କରାଯାଇଛି। ସେହିପରି ପୂର୍ବରୁ ଶିକ୍ଷକଙ୍କ ପଦୋନ୍ନତି ବେଳେ ପ୍ରାୟ ୯ଜଣ ଅବସର ଶିକ୍ଷକଙ୍କୁ ପଦୋନ୍ନତି ମିଳିଥିଲା।

ଆଜିର ଏହି ପଦୋନ୍ନତି ପ୍ରକ୍ରିୟାରେ ମୃତକଙ୍କୁ ସାମିଲ କରି ବିଭାଗ ତା’ର ଅପାରଗତାର ଆଉ ଏକ ଉଦାହରଣ ଦେଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସରକାରଙ୍କ ଏହି ପଦୋନ୍ନତି ନିଷ୍ପତ୍ତିକୁ ଓଷ୍ଟା ସଂଘ ପକ୍ଷରୁ ଧନ୍ୟବାଦ ଜଣାଯାଇଛି। ଓଷ୍ଟା ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପାଖାପାଖି ୫୦୦୦ରୁ ଊର୍ଦ୍ଧ୍ବ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନଥିବାରୁ ବିଦ୍ୟାଳୟର ଶିକ୍ଷାଦାନ ସହିତ ଶୈକ୍ଷିକ ପରିବେଶ ବାଧାପ୍ରାପ୍ତ ହେଉଥିଲା। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଏଥିନିମତ୍ତେ ବାରମ୍ବାର ରାଜ୍ୟ ସରକାଙ୍କର ଦୃଷ୍ଟି ଆକର୍ଷଣ କରାଯାଉଥିଲା। କିଛି ଶିକ୍ଷକ ଅଦାଲତରେ ବରିଷ୍ଠତା ନିର୍ଦ୍ଧାରଣ ଉପରେ ତ୍ରୁଟି ଦର୍ଶାଇ କୋର୍ଟ କେସ୍ କରିଥିଲେ। ଅଦାଲତ ପଦୋନ୍ନତି ଉପରେ ରହିତାଦେଶ ଦେଇଥିଲେ। ଉକ୍ତ ରହିତାଦେଶ ଥିବାରୁ ସରକାର ପଦୋନ୍ନତି ଦେଇପାରୁ ନଥିଲେ। ଓଷ୍ଟା ପକ୍ଷରୁ ଉଚ୍ଚ ଅଦାଲତରେ ଆପତ୍ତି କରାଯିବା ପରେ ବାଟ ଫିଟିଥିଲା। ରାଜ୍ୟ ସରକାର ପ୍ରଥମ ପାଳିରେ ୨୧୭୩ ଓ ଦ୍ୱିତୀୟ ପାଳିରେ ୩୭୭ ପ୍ରଧାନ ଶିକ୍ଷକ ପଦ ପୂରଣ କରିପାରିଛନ୍ତି।

Comments are closed.