ପିଏନ୍‌ବିରେ ଆଉ ଏକ ଋଣ ଜାଲିଆତି: ଡ଼ିଏଚ୍ଏଫ୍ଏଲ୍ ଲଗାଇଛି ୩୭୦୦ କୋଟିର ଚୂନ

ମୁମ୍ୱାଇ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଦ୍ବାରା ୨୦୧୮ରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ରେ ହୋଇଥିବା ୧୩,୦୦୦ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ ମାମଲା ମନରୁ ଲିଭି ନ ଥିବାବେଳେ ଏବେ ପୁନର୍ବାର ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଆଉ ଏକ ବଡ ଧରଣର ଋଣ ଜାଲିଆତି ଘଟଣା ଆଲୋକକୁ ଆସିଛି ।   ଏଥର ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ) ପିଏନ୍‌ବିରେ ପ୍ରାୟ ୩,୭୦୦ କୋଟି ଟଙ୍କାର ଋଣ ଠକେଇ କରିଛି । ଏ ନେଇ ପିଏନବି ପକ୍ଷରୁ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଏହି ୩,୬୮୮.୫୮ କୋଟିକୋଟି ଟଙ୍କାର ଋଣ ଠକେଇ ସମ୍ପର୍କରେ ଅବଗତ କରାଯାଇଛି। ଏହି ଋଣ ଟଙ୍କାକୁ ବ୍ୟାଙ୍କ ତା’ର ଅଣକାର୍ଯ୍ୟକାରୀ ସମ୍ପତ୍ତି(ଏନ୍‌ପିଏ) ହିସାବରେ ରଖିଥିଲା। ଦେୱାନ ହାଉସିଂ ଫାଇନାନ୍ସ ଲିମିଟେଡ ଜାଲ ଆକାଉଣ୍ଟରେ ବ୍ୟାଙ୍କିଙ୍ଗ୍‌ କାରବାର କରୁଥିବା ସମ୍ପର୍କରେ ଭାରତୀୟ ​ଷ୍ଟେଟବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ଆର୍‌ବିଆଇକୁ ଅବଗତ କରାଇବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା । ଗତବର୍ଷ ନଭେମ୍ୱରରେ ଭୂଲ ବନ୍ଧକ ଦେଇଥିବା ନେଇ ଡିଏଚଏଫଏଲକୁ ଆରବିଆଇ ନୋଟିସ ପଠାଇଥିଲା। ଏପରି କି ଏହିଘଟଣାରେ ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣରେ ମାମଲା ମଧ୍ୟ ଦାଏର ହୋଇଥିଲା। ଏହି ଘଟଣାରେ ଡିଏଚଏଫଏଲ ବ୍ୟତୀତ ଅନ୍ୟ କିଛି ଛୋଟ ଛୋଟ କମ୍ପାନୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ୩ ବର୍ଷ ମଧ୍ୟରେ ପିଏନବିରେ ଏହା ୪ର୍ଥ ଋଣ ଜାଲିଆତି ମାମଲା।

Comments are closed.