୩୫ କୋଟି ଛାତ୍ରଛାତ୍ରୀ ଗାଇବେ ଜାତୀୟ ସଂଗୀତ

ନୂଆଦିଲ୍ଲୀ: ଆମ ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଆଜାଦି କା ମହୋତ୍ସବ (ସ୍ୱାଧୀନତାର ମହୋତ୍ସବ) ପାଳନ ପୂର୍ବରୁ କେନ୍ଦ୍ର ସରକାର ‘ଅମୃତ ମହୋତ୍ସବ’ ଆରମ୍ଭ କରିଛନ୍ତି । ଏହାର ଅଂଶସ୍ୱରୂପ ସ୍ୱାଧୀନତା ପ୍ରାପ୍ତିକୁ ଆଗାମୀ ୭୫ ସପ୍ତାହ ପର୍ଯ୍ୟନ୍ତ, ଅର୍ଥାତ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସାପ୍ତାହିକ ଭିତ୍ତିରେ ପାଳନ କରାଯିବ । ପ୍ରତି ସପ୍ତାହରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ବିଶ୍ୱବିଦ୍ୟାଳୟ ମଂଜୁରୀ ଆୟୋଗ (ୟୁଜିସି) ଏହାକୁ ନିଆରା ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ୟୁଜିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକୁ ଏକତ୍ର ଜାତୀୟ ସଂଗୀତ ଗାନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କହିଛି । ଏହାଫଳରେ ପ୍ରାୟ ୩୦ରୁ ୩୫ କୋଟି ଛାତ୍ରଛାତ୍ରୀ ଜାତୀୟ ସଂଗୀତ ଗାନ କରିବେ ବୋଲି ୟୁଜିସ ପକ୍ଷରୁ ସୂଚନା ଦିଆଯାଇଛି । ଶେଷ ପର୍ଯ୍ୟାୟରେ ଅଗଷ୍ଟ ୯ରୁ ୧୫ ପର୍ଯ୍ୟନ୍ତ ସପ୍ତାହବ୍ୟପାୀ ଏହା କରାଯିବ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଦେଶବ୍ୟାପୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ସାଇକେଲ ଶୋଭାଯାତ୍ରା, ବର୍ତ୍ତମାନ ରହିଥିବା ସ୍ୱାଧୀନତା ସମ୍ପର୍କିତ ଲେଖାଗୁଡିକୁ ବିଶ୍ୱବିଦ୍ୟାଳୟଗୁଡିକର ବିଭିନ୍ନ ବିଭାଗ ଦ୍ୱାରା ଭିନ୍ନ ଭିନ୍ନ ଭାରତୀୟ ଭାଷାରେ ଅନୁବାଦନ କରିବା କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ।
ତେବେ ଉତ୍ସବ ପାଳନ ସମୟରେ କୋଭିଡ କଟକଣାକୁ କଡାକଡି ଭାବରେ ଅନୁପାଳନ କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି । ସମସ୍ତ ଶିକ୍ଷାନୁଷ୍ଠାନ ସେମାନଙ୍କ ସ୍ତରରେ ହେଉଥିବା କାର୍ଯ୍ୟକ୍ରମର ଭିଡିଓ ୟୁନିଭରସିଟି ଆକ୍ଟିଭିଟି ମନିଟରିଂ ପୋର୍ଟାଲ (ୟୁଏଏମପି)ରେ ଅପ୍‍ଲୋଡ କରିବାକୁ ମଧ୍ୟ କୁହାଯାଇଛି । ଛାତ୍ରଛାତ୍ରୀ ଜାତୀୟ ସଂଗୀତ ଗାନ କରି ତାହାକୁ ଏହି ପୋର୍ଟାଲରେ ଅପଲୋଡ କରିବେ ।

Comments are closed.