ଚେନ୍ନାଇରୁ ଜଳପଥରେ ଆସି ଗଞ୍ଜାମରେ ପହଞ୍ଚିଲେ ୩୩ ଶ୍ରମିକ

ଛତ୍ରପୁର: ଚେନ୍ନାଇରୁ ପୁଣି ୩୩ ଜଣ ଶ୍ରମିକ ଡଙ୍ଗାରେ ସମୁଦ୍ର ପଥ ଦେଇ ଗଞ୍ଜାମ ଜିଲାରେ ପହଞ୍ଚିଛନ୍ତି। ସୋମବାର ରାତି ପ୍ରାୟ ୧ଟାରେ ଏହି ଶ୍ରମିକମାନେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ପହଞ୍ଚିଛନ୍ତି। ଏହା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ଏକ ସ୍କୁଲରେ କ୍ବାରେଣ୍ଟାଇନରେ ରଖାଯାଇଛି। ଶ୍ରମିକମାନେ ଯେପରି କେଉଁଆଡ଼େ ଯାଇପାରିବେ ନାହିଁ ସେଥିଲାଗି ସ୍କୁଲ କ୍ୟାମ୍ପସ ଗେଟ୍‌ରେ ତାଲା ପକାଯିବା ସହିତ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ସମସ୍ତ ୩୩ ଶ୍ରମିକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଜ୍ଵର ହେଇଥିବା ଜଣାପଡ଼ିଛି। ମଙ୍ଗଳବାର ସେମାନଙ୍କର ସ୍ବାବ ପରୀକ୍ଷା କରାଯିବ।

ସୂଚନା ଅନୁସାରେ, ଏହି ୩୩ ଜଣ ଶ୍ରମିକ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହାର୍ବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରିଆସୁଥିଲେ । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ । ଶେଷରେ ସେମାନେ ୧ ଲକ୍ଷ ୮୦ ହଜାର ଟଙ୍କାରେ ଏକ ବୋଟ୍ କିଣି ଗତ ଶୁକ୍ରବାର ଅର୍ଥାତ 24 ତାରିଖରେ ଚେନ୍ନାଇରୁ ବାହାରିଥିଲେ। ସୋମବାର ରାତିରେ ଛତ୍ରପୁର ନିକଟରେ ପହଞ୍ଚିଥିଲେ। ଶ୍ରମିକମାନଙ୍କ ମଧ୍ୟରେ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧ ଜଣ, ମାର୍କଣ୍ଡି ଗାଁର ୫ ଗଣ, ସୋନପୁରର ଜଣେ, ରାମେୟାପାଟଣା, ନୋଳିଆ ନୂଆଗାଁ, ଗୋଳାବନ୍ଧ, ପୁରୀର ଜଣେ ଲେଖାଏ ଶ୍ରମିକ ଥିବାବେଳେ ଆନ୍ଧ୍ରପ୍ରଦେଶର ୨ ଜଣ ମତ୍ସ୍ୟଜୀବୀ ରହିଛନ୍ତି।

Comments are closed.