ପୁଅର ଔଷଧ ପାଇଁ ୩୦୦ କିଲୋମିଟର ସାଇକେଲ ଚଳାଇଲେ

ବେଙ୍ଗାଲୁରୁ: କୋଭିଡ ମହାମାରୀ ପାଇଁ ତାଲାବନ୍ଦ। କେହି କୁଆଡେ ନାହିଁ। ରାସ୍ତାରେ ଗାଡି ମଟର ବି ଚାଲୁନାହିଁ। କିନ୍ତୁ ପୁଅର ଚିକିତ୍ସା ପାଇଁ ଔଷଧ ଦରକାର। ସେ ଔଷଧ କେବଳ ଡାକ୍ତରଖାନାରେ ମିଳିବ। ଡାକ୍ତରଖାନା ଘର ପାଖରେ ବି ନୁହେଁ, ଘରଠାରୁ ପାଖାପାଖି ୩୦୦ କିଲୋମିଟର ଦୂର। କଣ କରାଯାଇପାରିବ! କିଛି ନିଷ୍କର୍ସରେ ପହଞ୍ଚିନପାରି ଶେଷରେ ବ୍ୟକ୍ତିଜଣକ ସାଇକେଲ ଧରି ବାହାରିଲେ, ଦୀର୍ଘ ପଥ ସାଇକେଲ ଚଳାଇ ଡାକ୍ତରଖାନାରେ ପହଞ୍ଚିଲେ। ସେଠାରୁ ଔଷଧ ଧରି ଘରକୁ ଫେରିଲେ। ପୁଅର ଜୀବନ କଥା ଚିନ୍ତାକରି ସେ କେମିତି ଗଲେ ଆଉ ଆସିଲେ, ତାହା ଜାଣିପାରିନଥିଲେ। ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକରେ।
କର୍ଣ୍ଣାଟକର ତିରୁମାକୁଡାଲ ନାରସିପୁର ତହସିଲ ଅନ୍ତର୍ଗତ ବାନ୍ନୁର ନିକଟ ଗାଙ୍ଗିଆନାକୋପ୍ପାଲରେ ୪୫ ବର୍ଷ ବୟସ୍କ ଆନନ୍ଦଙ୍କ ଘର। ସେ ଜଣେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତାଙ୍କ ପୁଅର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରହିଥିବାବେଳେ ସେ ଗତ ଦଶବର୍ଷ ହେଲା ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସେସ (ନିମହାନ୍ସ)ରେ ଚିକିତ୍ସିତ ହେଉଛନ୍ତି। ପ୍ରତି ମାସରେ ଆନନ୍ଦ ଡାକ୍ତରଖାନାକୁ ଯାଇ ପୁଅ ପାଇଁ ଔଷଧ ଆଣନ୍ତି। ସଂପ୍ରତି କୋଭିଡ କାରଣରୁ ରାଜ୍ୟବ୍ୟାପୀ ତାଲାବନ୍ଦ ହୋଇଥିବାବେଳେ ପୁଅ ପାଇଁ ଔଷଧ ଆବଶ୍ୟକ ପଡିଲା। ହେଲେ ଗାଡିମଟର ଚଳାଚଳ ସବୁ ବନ୍ଦ। ୩୦୦ କିଲୋମିଟର ଦୂର ନିମହାନ୍ସକୁ କେମିତି ଯିବେ ସେହି ଚିନ୍ତା ଆନନ୍ଦଙ୍କୁ ଘାରିଲା। କିଛି ଉପାୟ ନପାଇ ମଇ ମାସ ୨୩ ତାରିଖରେ ସେ ସାଇକେଲ ଧରି ଘରୁ ବାହାରିଗଲେ। ବେଙ୍ଗାଲୁରୁକୁ ଯିବା ବାଟରେ ସେ ବାଟରେ କନକପୁରାଠାରେ କିଛି ସମୟ ବିଶ୍ରାମ ନେଇଥିଲେ। ତାହା ପରଦିନ ସେ ନିମହାନ୍ସରେ ପହଞ୍ଚି ଡାକ୍ତରଙ୍କୁ ଭେଟିବା ସହିତ ଔଷଧ ଆଣିଲେ। ହେଲେ ତାଙ୍କ ଗୋଡ ଆଉ ଉଠୁନଥିଲା। ଡାକ୍ତରଖାନାରେ ରାତିକ ବିଶ୍ରାମ ନେଲେ। ଡାକ୍ତର ତାଙ୍କ କଥା ଜାଣିବା ପରେ ତାଙ୍କୁ ୧ହଜାର ଟଙ୍କା ମଧ୍ୟ ଦେଲେ। ତାହା ପରଦିନ ପୁଣି ସାଇକେଲ ଧରି ଆନନ୍ଦ ନିଜ ଗାଁ ଅଭିମୁଖେ ବାହାରିପଡିଲେ। ଘରେ ନିରାପଦରେ ପହଞ୍ଚିଲେ ଏବଂ ତାଙ୍କ ପୁଅ ଔଷଧ ସେବନ କଲା। ଆନନ୍ଦଙ୍କ କହିବା ଅନୁଯାୟୀ ଡାକ୍ତର ତାଙ୍କୁ କହିଥିଲେ ଯେ ପୁଅ ଯଦି କୋଉ ମାସରେ ଔଷଧ ନଖାଏ, ତେବେ ତାକୁ ଆହୁରି ୧୮ ବର୍ଷ ଔଷଧ ଖାଇବାକୁ ପଡିବ। ତା’ଛଡା ତାର ଜୀବନ ପ୍ରତି ବିପଦ ମଧ୍ୟ ରହିଛି। ଏତେ ଚିନ୍ତା କରିବାପରେ ଆନନ୍ଦ ଆଉ ବିଳମ୍ବ ନକରି ସାଇକେଲକୁ ନିଜର ସାଥୀ କରିଥିଲେ। ଯିବା ପୂର୍ବରୁ ଗାଁରେ ସେ କିଛି ଲୋକଙ୍କୁ ମୋଟରସାଇକେଲ ମାଗିଥିଲେ ମଧ୍ୟ ତାଙ୍କୁ କେହି ଦେଇନଥିଲେ ବୋଲି କହିଛନ୍ତି ଆନନ୍ଦ।

Comments are closed.