ବାପା ମରିଗଲା ପରେ ମାଆ ଘର ଛାଡିଲା, ଏବେ ଅସହାୟ ଅବସ୍ଥାରେ ତିନି ଭଉଣୀ

ପାଟଣା: ବାପା ମରିଗଲା ପରେ ମାଆ ପର ପୁରୁଷର ହାତଧରି ଚାଲିଗଲା। ଏବେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ତିନି ଭଉଣୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମରେ । ରାଜନଗର ଗ୍ରାମର ପଦ୍ମଲୋଚନ ନାଏକଙ୍କର ଗତ ୨୦୧୨ ମସିହାରେ ଅକାଳ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ପରେ କଷ୍ଟେମଷ୍ଟେ ଦୁଇ ବର୍ଷ କାଳ ତିନି ନାବାଳିକା ଝିଅଙ୍କୁ ନେଇ ତାଙ୍କ ପତ୍ନୀ ଜୟନ୍ତୀ ନାଏକ ଘର ଚଳାଇ ଆସୁଥିଲେ । ସ୍ବାମୀଙ୍କ ଅନୁପସ୍ଥିତିରେ ସେ ୨୦୧୪ରେ ଘର ଛାଡ଼ି କୁଆଡେ ପଳାଇ ଯାଇଥିଲେ । ତେବେ ପର ପୁରୁଷ ସହ ଚାଲି ଯାଇଥିବା ଗାଁରେ ଚର୍ଚ୍ଚା ହେଉଥିବା ବେଳେ ଆଜି ପର୍ୟ୍ୟନ୍ତ ତାଙ୍କର ଖୋଜଖବର ମିଳିନାହିଁ । ଏପରି ସ୍ଥିତିରେ ସ୍ବର୍ଗତ ପଦ୍ମଲୋଚନଙ୍କ ତିନି ନାବାଳିକା ଝିଅ ସ୍ମୃତିରେଖା(୧୭), ସୁପ୍ରିୟା(୧୫) ଓ ପୁଷ୍ପଶ୍ରୀ(୧୩)ଙ୍କୁ ତାଙ୍କ ଜେଜେମା ଚନ୍ଦ୍ରମଣୀ(୬୫) ସମ୍ଭାଳି ଆସୁଛନ୍ତି । ଅନ୍ତୋଦୟ ଯୋଜନାରେ ଚନ୍ଦ୍ରମଣିଙ୍କୁ ମିଳୁଥିବା ୩୫ କିଲୋ ଚାଉଳ ହିଁ ଏହି ଅସହାୟ ତିନି ଭଉଣୀଙ୍କୁ ଆହାର ଯୋଗାଉଛି । ଏହି ନାବାଳିକା ତିନି ଜଣଙ୍କର ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ପେଟ ଚିନ୍ତା ତାଙ୍କ ପାଇଁ ବାଧକ ହୋଇଛି । ଥରେ ମାଟ୍ରିକ ପରୀକ୍ଷାରେ ଫେଲ ହେଲା ପରେ ସ୍ମୃତିରେଖା ଫର୍ମ ପୂରଣ ପାଇଁ ଟଙ୍କା ନ ଥିବାରୁ ପାଠରେ ଡୋରି ବାନ୍ଧି ଦେଇଛନ୍ତି । ସେହିପରି ସୁପ୍ରିୟା ଏବେ ଦଶମ ଶ୍ରେଣୀରେ ପହଞ୍ଚି ଥିବା ବେଳେ ପୁଷ୍ପଶ୍ରୀ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଅସହାୟ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ସରକାରୀ ଯୋଜନା ରହିଥିବା ବେଳେ ପିତା ମାତାଙ୍କୁ ହରାଇ ଥିବା ଏହି ତିନି ଭଉଣୀଙ୍କୁ ସାମାଜିକ ସୁରକ୍ଷା କାର୍ୟ୍ୟକ୍ରମ ଅନ୍ତର୍ଗତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ପର୍ଡିକାର୍ଡ ଯୋଗାଇ ଦେବାକୁ ଦାବି ହୋଇଛି ।

Comments are closed.