କୋଭିଡ୍‍ ନିୟମ ଉଲ୍ଲଙ୍ଘନ: ପିପିଲି ବଜାରରେ ୩ ଦୋକାନ ସିଲ, ଜୋରିମାନା ଆଦାୟ

ପିପିଲି: କୋଭିଡ୍‍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପିପିଲି ମୁଖ୍ୟବଜାରରେ ଥିବା ୩ଟି ଦୋକାନକୁ ଗୁରୁବାର ସିଲ୍‌ କରାଯାଇଛି। ଏହାସହିତ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପିପିଲି ବଜାରରେ ୧୦ରୁ ଅଧିକ ଦୋକାନରୁ ଜୋରିମାନା ଆଦାୟ କରାଯାଇଛି। ପିପିଲି ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ କେତେକ ଦୋକାନ ଖୋଲା ରହିଥିଲା। ଫଳରେ ପିପିଲି ବଜାରରେ ଲୋକଙ୍କ ଗହଳି ଜମୁଥିବା ପରିଲକ୍ଷିତ ହୋଇଥିଲା । ଏହାସହିତ ବିଭିନ୍ନ ଦୋକାନରେ ଭିଡ଼ ଜମୁଥିବାରୁ ଗ୍ରାହକମାନେ କରୋନା କଟକଣା ମାନୁନଥିଲେ ଏବଂ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ପୁଲିସ ଓ ପ୍ରଶାସନର ବାରମ୍ବାର ଚଢାଉ ସତ୍ତ୍ବେ କେତେକ ଅମାନିଆ ଦୋକାନୀ ଲୁଚାଛପାରେ ଦୋକାନ ଖୋଲି ପଛଦ୍ୱାର ଦେଇ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି।


ଗୁରୁବାର ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ବିଡିଓ ରଶ୍ମିତା ନାଥ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ, ପ୍ରହଲ୍ଲାଦ ବରାଳ ପ୍ରମୁଖ ପିପିଲି ବଜାରରେ ଥିବା ବିଭିନ୍ନ ଦୋକାନ ଉପରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ସେମାନେ ୩ଟି ଦୋକାନକୁ ତାଲା ପକାଇ ସିଲ୍‌ ସାଙ୍ଗକୁ ୧୦ରୁ ଅଧିକ ଦୋକାନୀଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ।

Comments are closed.