ସିଲ୍‍ ହେଲା ୩ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା

ଫୁଲବାଣୀ: କିଛି ଅମାନିଆ ସରକାରୀ ଅଧିକାରୀ ଓ କର୍ମଚାରୀ ଜିଲା ପାଇଁ ଆସିଛି ବିପଦ। ଜିଲାକୁ ଲକଡ଼ାଉନରୁ ସଟଡ଼ାଉନ ଆଡ଼କୁ ଠେଲି ଦେଉଛନ୍ତି ଏହି ଅଧିକାରୀ। ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଲୁଚି ଛପି ଅନ୍ୟ ଜିଲାକୁ ଯାଇ କରୋନା ସଂକ୍ରମିତ ହୋଇ ଜିଲାକୁ ଫେରୁଛନ୍ତି। ଯାହା ଜିଲା ପାଇଁ କାଳ ହୋଇଛି। ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଅଧିକାରୀ ଆଜି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଫୁଲବାଣୀ ଠାରେ ଥିବା ଆଂଚଳିକ କାର୍ଯ୍ୟାଳୟ ସମେତ ବଜାର ଶାଖାକୁ ସିଲ୍‍ କରି ଦିଆଯାଇଛି। ଏହା ସହ ଉକ୍ତ କାର୍ଯ୍ୟାଳୟକୁ ସାନିଟାଇଜ୍‍ ମଧ୍ୟ କରାଯାଇଛି। ବୁଧବାର ଫୁଲବାଣୀ ମୁଖ୍ୟ ବ୍ରାଂଚ ସିଲ୍‍ ହେବ ବୋଲି ସୂଚନା ମିଳିଛି। ଏହା ସହିତ ଜି.ଉଦୟଗିରି ବ୍ରାଂଚର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି। ଉକ୍ତ କର୍ମଚାରୀ ଜଣକ ୬ ଦିନ ଧରି ଅସୁସ୍ଥ ରହିଥିଲେ ଓ ଘରେ ରହୁଥିଲେ। ତେବେ ଉକ୍ତ କର୍ମଚାରୀଙ୍କ ଜଣେ ରୁମ୍‍ ମେଟ୍‍ ବ୍ୟାଙ୍କକୁ ଯାଉଥିଲେ। ତେଣୁ ଜି.ଉଦୟଗିରି ବ୍ୟାଙ୍କକୁ ମଧ୍ୟ ସିଲ୍‍ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ ବ୍ୟାଙ୍କର ଆଂଚଳିକ କାର୍ଯ୍ୟାଳୟର ଜନୈକ ଅଧିକାରୀ ଗତ ଶୁକ୍ରବାର ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ ତାଙ୍କର କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ସେଠାରେ ତାଙ୍କର ସ୍ୱାବ୍‍ ପରୀକ୍ଷା କରାଯାଇଥିବା ବେଳେ ତାହା ଆଜି ପଜିଟିଭ୍‍ ଆସିଥିବା ସୂଚନା ମିଳିଛି। ଏହା ଜଣା ପଡିବା ପରେ ଆଜି ସଙ୍ଗେ ସଙ୍ଗେ ଆଂଚଳିକ କାର୍ଯ୍ୟାଳୟ ଓ ଏହି କାର୍ଯ୍ୟାଳୟର ତଳ ମହଲାରେ ଥିବା ବଜାର ବ୍ରାଂଚକୁ ମଧ୍ୟ ସିଲ୍‍ କରା ଯାଇ ସାନିଟାଇଜ୍‍ କରାଯାଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ସରକାର କୋଭିଡ୍‍ ଗାଇଡ ଲାଇନ ଜାରି କରିଥିବା ବେଳେ ଅନେକ ସରକାରୀ କର୍ମଚାରୀ ଓ ଅଧିକାରୀ ଏହାକୁ ଉଲଂଘନ କରୁଥିବା ଅଭିଯୋଗ ହୋଇଥିଲା।

ଜିଲ୍ଲାପାଳଙ୍କ ବିନା କୌଣସି ଅନୁମତିରେ ଛୁଟି ଦିନମାନଙ୍କରେ ଅଧିକାରୀ ଓ କର୍ମଚାରୀମାନେ ହଟସ୍ପଟ ଜିଲ୍ଲାକୁ ଯାଇ ପୁଣି ଛୁଟି ସରିଲେ ଜିଲ୍ଲାକୁ ଫେରୁଥିଲେ। ଏହା ଦ୍ୱାରା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହୁଥିଲା। ଏ ନେଇ ଖବରକାଗଜରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଚିଠି କରି କୌଣସି ସରକାରୀ କର୍ମଚାରୀ ଓ ଅଧିକାରୀ ଜିଲ୍ଲାପାଳଙ୍କ ବିନା ଅନୁମତିରେ ସଦର ମହକୁମା ଛାଡି ଗଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠି ଲେଖିଥିଲେ। ଏହା ସତ୍ୱେ ମଧ୍ୟ କିଛି ଅଧିକାରୀ ଏହି ନିର୍ଦ୍ଦେଶକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି। ଯାହା ପାଇଁ ଆଜି ଜିଲ୍ଲା କରୋନା ସଂକ୍ରମିତ ବଢିବାର ଆଶଙ୍କା ଦେଖା ଦେଇଛି।

 

Comments are closed.