ଆଇସିଜେ ଗଲେ ତିନି ‘ନିର୍ଭୟା’ ଅପରାଧୀ

ନୂଆଦିଲ୍ଲୀ: ଫାଶୀ ଦଣ୍ଡ ଏଡ଼ାଇବାକୁ ନିର୍ଭୟା ବଳାତ୍କାର ଓ ହତ୍ୟା ଅପରାଧୀମାନଙ୍କ ସମସ୍ତ ଆଇନଗତ ସୁଯୋଗ ଦେଶରେ ଶେଷ ହେବା ପରେ ସେମାନେ ଆନ୍ତର୍ଜାତିକ ନ୍ୟାୟାଳୟ (ଆଇସିଜେ)ର ଆଶ୍ରୟ ନେଇଛନ୍ତି। ଚଳିତ ମାସ ୨୦ତାରିଖ ଭୋର୍ ୫ଟା ୩୦ରେ ଫାଶୀ ପାଇବାକୁୁ ଥିବା ୪ ଅପରାଧୀଙ୍କ ପକ୍ଷରୁ ତିନି ଜଣ ଫାଶୀ ଦଣ୍ଡ ଉପରେ ରହିତାଦେଶ ପାଇଁ ଆଇସିଜେରେ ଆବେଦନ କରିଛନ୍ତି। ଏହି ତିନି ଜଣ ହେଉଛନ୍ତି ମୁକେଶ ସିଂହ, ପବନ ଗୁପ୍ତା ଓ ବିନୟ ଶର୍ମା। ଆଇନଜୀବୀ ଏ.ପି ସିଂହଙ୍କ ଦ୍ବାରା ଏହି ଆବେଦନ କରାଯାଇଛି।
ଅପରପକ୍ଷରେ ସୋମବାର ସକାଳେ ସୁପ୍ରିମକୋର୍ଟ ସାନି କ୍ୟୁରେଟିଭ୍ ଆବେଦନ ଓ ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନ ଖାରଜ ନିର୍ଦେଶକୁ ବାତିଲ କରାଯିବା ସହ ପୁନଃ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ପାଇଁ ମୁକେଶ ସିଂହ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଆମିକସ୍ କ୍ୟୁରୀ ବୃନ୍ଦା ଗ୍ରୋଭର ତାଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ନ ଥିବା ଦର୍ଶାଇ ମୁକେଶ ସୁପ୍ରିମକୋର୍ଟରେ ଏହି ଆବେଦନ କରିଥିଲା ଏବଂ ଏହା ଉପରେ ଶୁଣାଣି ପାଇଁ ଗତ ଶନିବାର କୋର୍ଟ ସୋମବାରକୁ ଧାର୍ୟ୍ୟ କରିଥିଲେ। ପୂର୍ବରୁ ରାୟର ସମୀକ୍ଷା ଆବେଦନ ସହ କ୍ୟୁରେଟିଭ୍ ଆବେଦନ ଖାରଜ ହୋଇସାରିଥିବାରୁ ଏହି ଆବେଦନ ବିଚାରଯୋଗ୍ୟ ନୁହେଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆଇନଜୀବୀ ଏମ୍.ଏଲ ଶର୍ମାଙ୍କ ପକ୍ଷରୁ ମାମଲାର ସିବିଆଇ ତଦନ୍ତ ଦାବିରେ ହୋଇଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହିତ ତିନି ଥର ଫାଶୀ ଦଣ୍ଡାଦେଶ ଘୁଞ୍ଚାଯାଇଥିବାବେଳେ ଅପରାଧୀମାନଙ୍କର ସମସ୍ତ ଆଇନଗତ ସୁୁଯୋଗ ଶେଷ ହୋଇଥିବା ସୁପ୍ରିମକୋର୍ଟ କହିଛନ୍ତି ଏବଂ ଫାଶୀ ଦଣ୍ଡ କାର୍ୟ୍ୟକାରିତାକୁ ଆଉ ଅଟକାଇ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅପରାଧୀମାନଙ୍କୁ ଧାର୍ୟ୍ୟ ତାରିଖରେ ଫାଶୀ ଦିଆଯିବା ଏକରକମ ନିଶ୍ଚିତ ହୋଇଛି।
ତିହାର କାରାଗାରରେ ୪ ଅପରାଧୀ ପ୍ରତି ସପ୍ତାହରେ ସେମାନଙ୍କ ଜ୍ଞାତିପରିଜନଙ୍କୁ ଭେଟିବା ଜାରି ରହିଛି। ମୁକେଶକୁ ବାଦ ଦେଲେ ଅନ୍ୟ ତିନି ଜଣଙ୍କର ପରିବାର ସହିତ ସାକ୍ଷାତ ଶେଷ ହୋଇଛି। ମୁକେଶର ପରିବାରକୁ ଶେଷ ସାକ୍ଷାତ ପାଇଁ କାରାଗାର କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଏତଦ୍ବ୍ୟତୀତ ମାର୍ଚ୍ଚ ୫ରେ ମୃତ୍ୟୁ ପରୱାନା ଜାରି ହେବା ପରେ ମିରଟରୁ ଆସିଥିବା ଜହ୍ଲାଦ ପବନ ତିହାରରେ ଫାଶୀ ଦେବା ଅଭ୍ୟାସ କରିଛନ୍ତି। ପୁନର୍ବାର ଏହି ଅଭ୍ୟାସ ଅନୁଷ୍ଠିତ ହେବ ବୋଲି କାରାଗାର ସୂତ୍ରରୁ ପ୍ରକାଶ।