୩ ବର୍ଷରେ ୭ ବିପର୍ଯ୍ୟୟ

ଭୁବନେଶ୍ୱର : ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ୧୯୯୯ର ମହାବାତ୍ୟା ପରେ ଯଦିଓ କେତେକ ବିପର୍ଯ୍ୟୟ ରାଜ୍ୟରେ ଘଟିଛି, ସେଥିମଧ୍ୟରେ ୨୦୧୯ରେ ଏକ ବଡ଼ ବିପର୍ଯ୍ୟୟ ଫଣି ୧୪ଟି ଜିଲାକୁ ନଷ୍ଟଭ୍ରଷ୍ଟ କରିଥିଲା। ତେବେ ଗତ ୩ବର୍ଷରେ ରାଜ୍ୟରେ ୭ଟି ବିପର୍ଯ୍ୟୟର ମୁକାବିଲା କଲାଣି। ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ କୁମାର ଜେନା।
ତଥ୍ୟ ଅନୁଯାୟୀ ୨୦୨୦ରେ ‘ଅମ୍ଫନ’ ବାତ୍ୟା ଯୋଗୁଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁରରେ ବ୍ୟାପକ ନଷ୍ଟ ହୋଇଥିବାବେଳେ ପରେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ କଟକରେ ଅତ୍ୟଧିକ ବର୍ଷା ଓ ବନ୍ୟା ପାଇଁ ୧୨୭ଲକ୍ଷ ଟଙ୍କାର ଭିତ୍ତିଭୂମି ଓ ଫସଲ ନଷ୍ଟ ହୋଇଥିଲା। ୨୦୨୧ ମେ’ ୨୮ରେ ‘ୟସ’ ବାତ୍ୟାରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଉକ୍ତବର୍ଷ ଡିସେମ୍ବରରେ ‘ଜୱାଦ’ ବାତ୍ୟା ଆସିଥିଲା। ତେବେ ଚଳିତବର୍ଷ ମେ’ରେ ‘ଅସାନୀ’ ବାତ୍ୟା ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।
ଏହାରି ଭିତରେ ଗୋଟିଏ ବନ୍ୟା ଓ ଗୋଟିଏ ମରୁଡ଼ି ରାଜ୍ୟର ଅଧିକାଂଶ ଜିଲାକୁ ପ୍ରଭାବିତ କରିଥିଲା। ତେବେ ବାତ୍ୟା ମୁକାବିଲା ଲାଗି ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯିବାକୁ ରହିଛି।

Comments are closed.