ତିନି ମହାନଗର ନିଗମ ମେୟର ପାଇଁ ସଂରକ୍ଷଣ ଚିଠା ତାଲିକା : ଭୁବନେଶ୍ବର, ବ୍ରହ୍ମପୁର ମହିଳା; କଟକ ଅଣସଂରକ୍ଷିତ

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ଓ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ପୌର ନିର୍ବାଚନ ପାଇଁ ଗୋଟିଏ ପରେ ଗୋଟିଏ ବାଟ ଫିଟିବାରେ ଲାଗିଛି। ଭୁବନେଶ୍ବର, ବ୍ରହ୍ମପୁର ଓ କଟକ ମହାନଗରର ବିଭିନ୍ନ ୱାର୍ଡ଼ ପାଇଁ ସଂରକ୍ଷଣ ତାଲିକା ଓ ସୀମା ନିର୍ଦ୍ଧାରଣ ପରେ ଏବେ ମେୟର ପଦ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି।
ବୁଧବାର ତିନି ମହାନଗର ନିଗମ ମେୟର ପଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ବର ଓ ବ୍ରହ୍ମପୁର ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ କଟକ ମହାନଗର ନିଗମ ମେୟର ପଦ ଅଣସଂରକ୍ଷିତ ରଖାଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ଭିତରେ ପୌର ପ୍ରଶାସନ ନିର୍ଦେଶକଙ୍କ ନିକଟରେ ଆବେଦନ କରିପାରିବେ। ଧାର୍ଯ୍ୟ ସମୟ ସୀମା ଭିତରେ ପହଞ୍ଚି ଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ବିଚାରବିମର୍ଶ କରିବେ ବୋଲି ଏଥିରେ ଉଲ୍ଲେଖ ହୋଇଛି।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ ତାରିଖରେ ଏହି ତିନି ମହାନଗର ନିଗମର ସମସ୍ତ ୱାର୍ଡ଼ ପାଇଁ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ଚିଠା ତାଲିକା ପ୍ରକାଶ ପାଇଥିଲା। ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଚିଠା ତାଲିକାକୁ ରଦ୍ଦ କରାଯାଇଥିଲା। ଏହି ଚିଠା ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି।

Comments are closed.