ଜମ୍ମୁ କାଶ୍ମୀରରେ ୩ ଜୈଶ ଇ ମହମ୍ମଦ ଆତଙ୍କି ଗିରଫ; ୪୩ ଲକ୍ଷ ଟଙ୍କା ଜବତ

ଜମ୍ମୁ: ଜମ୍ମୁ କାଶ୍ମୀର ପୁଲିସ ବୁଧବାର ଜୈଶ ଇ ମହମ୍ମଦ ଆତଙ୍କି ଗୋଷ୍ଠୀର ତିନି ସଦସ୍ୟଙ୍କୁ ଜମ୍ମୁ ସହର ବାହାର ନାଗ୍ରୋଟା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହିତ ସେମାନଙ୍କ ନିକଟରୁ ନଗଦ ୪୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଆତଙ୍କିମାନେ ଉକ୍ତ ଅର୍ଥକୁ ପଞ୍ଜାବରୁ ଦକ୍ଷିଣ କାଶ୍ମୀରକୁ ନେବା ସମୟରେ ପୁଲିସ ହାତରେ ଧରାପଡିଥିଲେ । ଭାରତ ବିରୋଧୀ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ଉକ୍ତ ଅର୍ଥ ବିନିଯୋଗ କରାଯାଇଥାନ୍ତା ବୋଲି ଜଣାଯାଇଛି । ଗିରଫ ତିନିଜଣ ଯାକ ଦକ୍ଷିଣ କାଶ୍ମୀର ବାସିନ୍ଦା ଏବଂ ସେମାନେ ଫୟାଜ ଅହମଦ ଦର୍‍ (କୁଲଗାମ), ଉମର ଫାରୁକ (ପୁଲୱାମା) ଏବଂ ମୈାଜମ ପରଭେଜ (ପୁଲୱାମା) ବୋଲି ପୁଲିସ ଜାଣିବାକୁ ପାଇଛି ।
ଜମ୍ମୁର ବରିଷ୍ଠ ଏସପି ଚନ୍ଦନ କୋହଲି ସାମ୍ବାଦିକମାନଙ୍କୁ କହିଛନ୍ତି, ପଞ୍ଜାବରୁ ବିପୁଳ ପରିମାଣର ଟଙ୍କା ଦକ୍ଷିଣ କାଶ୍ମୀରକୁ ନିଆଯାଉଥିବା ସମ୍ପର୍କରେ ସେମାନେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଏକ ସ୍ୱତନ୍ତ ଦଳ ଗଠନ କରାଯାଇ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନାଗ୍ରୋଟାସ୍ଥିତ ସିଧ୍ରା ସେତୁରେ ଏକ ତନଖି ଫାଟକ ବସାଯାଇଥିଲା । ସେଠାରେ ତନଖି ସମୟରେ ଦିଲ୍ଲୀ ପଞ୍ଜିକରଣ ନମ୍ବର ଥିବା ଏକ ଗାଡିକୁ ଠାବ କରାଯାଇଥିଲା । ଉକ୍ତ କାରରେ ଥିବା ଏହି ତିନିଜଣଙ୍କୁ ଗିରଫ କରାଯାଇ ଟଙ୍କା ଜବତ କରାଯିବା ପରେ ସେମାନଙ୍କୁ ପଚରା ଉଚରା କରାଯାଉଛି । ଜଣାଯାଇଛି ଯେ ଗିରଫ ତିନିଜଣ ପାକିସ୍ତାନ ପଟେ ଥିବା ସେମାନଙ୍କର ଆତଙ୍କି ଗୋଷ୍ଠୀ ସହିତ ବରାବର ସର୍ମ୍ପକରେ ରହିଥିଲେ ।

Comments are closed.