ଜାତୀୟ ସାହସିକତା ପୁରସ୍କାର ପାଇବେ ୩ ଓଡ଼ିଶା ଝିଅ

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ାର ପୂର୍ଣ୍ଣିମା ଗିରି, ସବିତା ଗିରି ଏବଂ ଅନୁଗୁଳ ଜିଲାର ଶ୍ରୀମତୀ ଭଦ୍ରାଙ୍କୁ ଚଳିତ ବର୍ଷର ଇଣ୍ଡିଆନ କାଉନସେଲ ଫର ସୋସିଆଲ ୱେଲଫେୟାର (ଆଇସିସିଡବ୍ଲ୍ୟୁ) ଶିଶୁ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଇସିସିଡବ୍ଲ୍ୟୁ ଶିଶୁ ସାହସିକତା ପୁରସ୍କାର ତାଲିକାରେ ସମଗ୍ର ଦେଶରୁ ଚଳିତ ବର୍ଷ ୨୧ ଜଣ ଶିଶୁ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ଜଣ ବାଳିକା ଏବଂ ୧୨ ଜଣ ବାଳକ ଅଛନ୍ତି। ଆଇସିସିଡବ୍ଲ୍ୟୁ ଧ୍ରୁବ ସମ୍ମାନ କେନ୍ଦ୍ରାପଡ଼ାର ସାହସୀ ଝିଅ ପୂର୍ଣ୍ଣିମା ଓ ସବିତାଙ୍କୁ ମିଳିଛି। ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇ ନଦୀରେ ବୁଡ଼ି ଯାଉଥିବା ବେଳେ ୧୬ ବର୍ଷୀୟ ପୂର୍ଣ୍ଣିମା ଓ ୧୫ ବର୍ଷୀୟ ସବିତା ନଦୀକୁ ଡେଇଁ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ନଦୀ ମଧ୍ୟରେ ଥିବା କୁମ୍ଭୀର ଭୟକୁ ଭ୍ରୂକ୍ଷେପ ନକରି ଉଭୟ ବୁଡ଼ି ଯାଉଥିବା ଲୋକଙ୍କ ଜୀବନ ବଞ୍ଚାଇ ଥିଲେ। ସେହିପରି ଟ୍ରେନ ଦୁର୍ଘଟଣାରେ ଆହତ ସାଙ୍ଗକୁ ବଞ୍ଚାଇ ଆଇସିସିଡବ୍ଲ୍ୟୁ ପ୍ରହଲ୍ଲାଦ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲା ତାଳଚେର ଅଞ୍ଚଳର ଶ୍ରୀମତୀ ଭଦ୍ରା। ଅଭୂତପୂର୍ବ ସାହସିକତା ପ୍ରଦର୍ଶନ କରି ଟ୍ରେନ ଦୁର୍ଘଟଣାରେ ଡାହାଣ ଗୋଡ଼ କଟିଯାଇଥିବା ସାଙ୍ଗକୁ ଶ୍ରୀମତୀ ବଞ୍ଚାଇ ପାରିଥିଲେ। ଆଇସିସିଡବ୍ଲ୍ୟୁ ତରଫରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିବା ପାଞ୍ଚଟି ସ୍ୱତନ୍ତ୍ର ସମ୍ମାନ ମଧ୍ୟରୁ ଓଡ଼ିଶାର ତିନି ସାହସୀ ଶିଶୁଙ୍କୁ ଦୁଇଟି ପୁରସ୍କାର ମିଳିଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଗୀତା ସିଦ୍ଧାର୍ଥ ଘୋଷଣା କରିଛନ୍ତି।