ଜମ୍ମୁ କାଶ୍ମୀରର ଆଉ ୩ଟି ସ୍ଥାନରେ ଉଡିଲା ଡ୍ରୋନ

ଶ୍ରୀନଗର: କିଛିଦିନ ବ୍ୟବଧାନ ପରେ ଜମ୍ମୁ କାଶ୍ମୀରର ଆଉ ୩ଟି ସ୍ଥାନରେ ଗୁରୁବାର ରାତିରେ ଡ୍ରୋନ ଉଡୁଥିବା ଠାବ କରାଯାଇଛି। ସାମ୍ବା ଜିଲାରେ ଏହି ଡ୍ରୋନଗୁଡିକୁ ଗୁରୁବାର ରାତି ପ୍ରାୟ ୮.୩୦ରେ ଠାବ କରାଯାଇଥିଲା। ମୋଟ ୩ଟି ଡ୍ରୋନ ବାରି-ବ୍ରାହ୍ମଣ, ଚିଲାଦ୍ୟା ଏବଂ ଗଗୱାଲ ଅଞ୍ଚଳରେ ଦେଖିବାକୁ ମିଳିଥିଳା। ତେବେ ସଜାଗ ଥିବା ସୀମା ସୁରକ୍ଷା ବାହିନୀ ଯବାନମାନେ ଚିଲାଦ୍ୟା ଅଞ୍ଚଳରେ ଡ୍ରୋନକୁ ଲକ୍ଷ୍ୟକରି ଏକାଧିକ ରାଉଣ୍ଡ ଗୁଳି ଚଳାଇବା ପରେ ତାହା ପାକିସ୍ତାନ ସୀମା ମଧ୍ୟକୁ ପଳାଇ ଯାଇଥିଲା।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଅନ୍ୟ ଦୁଇଟି ଡ୍ରୋନକୁ ଜମ୍ମୁ-ପଠାନକୋଟ ରାଜପଥର ବାରି ବ୍ରାହ୍ମଣ ନିକଟରେ ନିରାପତ୍ତା ସ୍ଥଳ ଉପରେ ଉଡୁଥିବା ଦେଖିବାକୁ ମିଳିଥିଲା। ତେବେ ତାହା କିଛି ସମୟ ପରେ ସେଠାରୁ ଚାଲିଯାଇଥିଲା। ସୂଚନାଯୋଗ୍ୟ ଯେ ଭାରତୀୟ ଯବାନମାନେ ଜୁଲାଇ ୨୩ରେ ଆଖନୁର ସେକ୍ଟରରେ ବିସ୍ଫୋରକ ବହନକାରୀ ଏକ ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲେ। ତାହା ପୂର୍ବରୁ ଜମ୍ମୁର ହିରାନଗର ସେକ୍ଟରରେ ଆନ୍ତର୍ଜାତିକ ସୀମା ନିକଟରେ ମଧ୍ୟ ଭାରତୀୟ ଯବାନମାନେ ବିସ୍ଫୋରକ ବହନକାରୀ ଏକ ଡ୍ରୋନକୁ ଗୁଳିମାରି ତଳକୁ ଖସାଇ ଦେଇଥିଲେ। ଏହାର ଦିନକ ପରେ ପୁଣି କାଲୁଚାପ ଏବଂ କାଠୁଆ ଅଞ୍ଚଳରେ ଆଉ ଦୁଇଟି ଡ୍ରୋନ ଉଡୁଥିବା ଲକ୍ଷ୍ୟ କରାଯାଇଥିଲା। ଜୁନ ୨୭ରେ ଜମ୍ମୁ ବାୟୁସେନା ସ୍ଥଳ ଉପରେ ପାକିସ୍ତାନର ଦୁଇଟି ଡ୍ରୋନରୁ ଆକ୍ରମଣ କରାଯିବା ପରଠାରୁ ଜମ୍ମୁ ଅଞ୍ଚଳରେ ବରାବର ଡ୍ରୋନ ଉଡିବା ଲକ୍ଷ୍ୟ କରାଯାଉଛି।

Comments are closed.