ଦଶହରାରେ ଦୁଃଖ: ବୌଦ୍ଧରେ ବିଦ୍ୟୁତ ଆଘାତରେ ୩ ମୃତ

ଡେସ୍କ: ଦଶହରାରେ ସବୁଆଡେ ଖୁସିର ମାହୋଲ ଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ମା’, ପୁଅ ଓ ଦିଅରଙ୍କ ଜୀବନ ଚାଲିଯାଇଛି। ସବୁଦିନ ଭଳି ଆଜି ବି ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଇବାକୁ ଯାଇଥିବା ବେଳେ ମା’ ସୁକାନ୍ତି ବେହେରା ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ପୁଅ ସୋହନ ବେହେରା ଓ ଦିଅର ସୁଶୀଲ ବେହେରାଙ୍କ ଜୀବନ ଚାଲିଯାଇଛି।

ସୂଚନା ଅନୁଯାୟୀ, ସୁକାନ୍ତି ବେହେରା ସକାଳେ ଗାଧୋଇବା ପରେ ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଇବାକୁ ଯାଇଥିଲେ। ତେବେ ତାରଟି ବିଦ୍ୟୁତ ସଂଯୋଗରେ ଆସିଥିବା ସେ ଜାଣିନଥିଲେ। ତାରରେ ଓଦା ଲୁଗା ପକାଇବା ମାତ୍ରେ ସେ ଲାଖି ଯାଇଥିଲେ। ସେହି ସମୟରେ ସେଠାରେ ଥିବା ଦିଅର ସୁଶୀଲ ବେହେରା ଭାଉଜକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବି ବିଦ୍ୟୁତ ସଂସ୍ପର୍ଶରେ ଆସି ତାରରେ ଲାଗି ଯାଇଥିଲେ। ପରେ ସୁକାନ୍ତିଙ୍କ ପୁଅ ସୋହନ ବେହେରା ମା’ ଓ ଦାଦାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ତାରରେ ଲାଖି ଯାଇଥିଲେ। ପରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.