ରାଜଧାନୀରେ ଅଘଟଣ : ବିଦ୍ୟୁତ୍‌ ଆଘାତରେ ଚାଲି ଗଲା ତିନି ଜୀବନ

ଭୁବନେଶ୍ୱର : ରାଜଧାନୀରେ ଅଘଟଣ। ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମାସ୍ଥିତ ରଘୁନାଥ ନଗର ସତ୍ୟନଗର ଅଞ୍ଚଳରେ ରହୁଥିବା ଗୋଟିଏ ପରିବାରର ତିନିଜଣଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ୬ବର୍ଷର ନାବାଳକ ରହିଥିବା ଜଣାପଡ଼ିଛି। ଖବର ପାଇ ଖଣ୍ଡଗିରି ପୁଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଶବଗୃହରେ ସାଇତି ରଖିଛି।
ପୁଲିସ ସୂଚନା ଅନୁଯାୟୀ, ମହମ୍ମଦ ତବାରକଙ୍କ ଉପର ମହଲା ଘର ବାଲକୋନୀ ରେଲିଂରେ ଘରର ସର୍ଭିସ ତାର ଟଣାଯିବା ସହ ଜିଆଇ ପାଇପ୍‌ ଭିଡ଼ା ଯାଇଥିଲା। ଶୁକ୍ରବାର ଅପରାହ୍ଣ ୩ଟାରେ ବର୍ଷା ଯୋଗୁଁ ଜିଆଇ ପାଇପ୍‌ରେ କୌଣସି କାରଣରୁ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିଲା। ଏହି ସମୟରେ ତବାରକଙ୍କ ପତ୍ନୀ ଲାଡଲି ପରବିନ(୨୭) ଏବଂ ତାଙ୍କର ୬ବର୍ଷର ପୁଅ ତବରାଜ ଆଲମର ହାତ ଧୋଇବା ଲାଗି ବାଲକୋନୀକୁ ଯାଇଥିଲେ। ସେହି ସମୟରେ ମାଆ ପୁଅଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ତାଙ୍କ ପାଟି ଶୁଣି ଲାଡଲିଙ୍କ ଜାଆ ନାଜୁର ଖାତୁନ (୨୨) ଉପରକୁ ଧାଇଁ ଯାଇ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଚିକିତ୍ସା ଲାଗି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିବା ସହ ପୁଲିସକୁ ଖବର ଦେଇଥିଲେ। ଖଣ୍ଡଗିରି ପୁଲିସ ଖବର ପାଇ ହସ୍ପିଟାଲରେ ପହଞ୍ଚି ତିନୋଟି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁକରି ଶବଗୃହରେ ଶବ ସାଇତି ରଖିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.