ନାବାଳିକା ଅପହରଣ ଅଭିଯୋଗରେ ୩ ଯୁବକ କୋର୍ଟ ଚାଲାଣ

କଂଟବାଞ୍ଜି : ତୁରେକେଲା ଥାନା ଅଂଚଳରେ ଜଣେ ୧୫ ବର୍ଷିୟ ନାବାଳିକା ଅପହରଣ ଅଭିଯୋଗରେ ତୁରେକେଲା ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରି ବଲାଙ୍ଗିର ସ୍ୱତନ୍ତ୍ର ବିଚାରବିଭାଗୀୟ କୋର୍ଟକୁ ଚାଲାଣ କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନାବାଳିକା ଝିଅଟି ତୁରେକେଲା ମାମୁଁ ଘରେ ରହି ପାଠପଢୁ ଥିବା ବେଳେ ପରିବାର ଲୋକେ ଗତ ୨୪ ତାରିଖ ଦିନ ଘରୁ ନିଖୋଜ ଥିବା ଜାଣି ନାବାଳିକାର ପିତା ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଥାନା ଭାରପ୍ରାପ୍ତ ଅଧିକାରୀ ଏକ ମାମଲା ଅପହରଣ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲେ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତଦନ୍ତକାରୀ ପୁଲିସ ଅଫିସର ଦୀପକ କୁମାର ଡୁଙ୍ଗ୍ଡୁଙ୍ଗ୍ ମହିଲା ଅଧିକାରୀ ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ର ରାଜଧାନୀ ରାୟପୁର ଏକ ଅଂଚଳରୁ ଗତ ୨୭ ତାରିଖ ଦିନ ଉଦ୍ଧାର କରିବା ସହ ଜୈନିକ ଯୁବକ ଜୟକୃଷ୍ଣ ଲୁହା(୧୯) ଏବଂ ତାଙ୍କୁ ସାହାଯ୍ୟ କରିଥିବା ଦୁଇସାଙ୍ଗ ମୋହିତ ରଞ୍ଜନ ପଣ୍ଡା, ଅଶ୍ୱିନୀ କୁମାର ଛତ୍ରିଆଙ୍କୁ ଧରି ଥାନାରେ ଅଟକ ରଖି ତଦନ୍ତ ଚଲାଇଥିଲେ। ପରେ ନାବାଳିକାକୁ କଂଟାବାଞ୍ଜି ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଇବା ସହ ନାବାଳିକାର ବୟାନ ରେକର୍ଡ଼ କରାଯିବା ସହ ଏବଂ ସ୍ଥାନୀୟ ଡ଼ାକ୍ତରଖାନାରେ ଡ଼କ୍ତରୀମାଇନା କରାଯିବା ସହ ଝିଅର ବୟାନ ଅନୁଯାୟୀ ଜୈନିକ ଯୁବକ ଅପହରଣ ପରେ ତାକୁ ଧର୍ଷଣ କରିଥିବା ଯୋଗୁଁ ଜୟକୃଷ୍ଣ କୁ ଧାରା ୩୬୩ ଓ ପୋସ୍କୋ ଆକ୍ଟ ଓ ଦୁଇ ସହଯୋଗୀ ମୋହିତ ଓ ଅଶ୍ୱିନୀକୁ ଅପହରଣ ମାମଲାରେ ଗିରଫ କରିବା ସହ ବଲାଙ୍ଗିର ସ୍ୱତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

Comments are closed.