ବନବିଭାଗ ଦ୍ୱାରା ୩ଟି ବାଇକ ସହ ଶାଳପଟା ଜବତ

ଦେବଗଡ: ଦେବଗଡ ବନଖଣ୍ଡ ତଥା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନର କର୍ମଚାରୀମାନଙ୍କ ଦ୍ୱାରା ଶୁକ୍ରବାର ପୂର୍ବାହ୍ନରେ ଚଢେଇମରା କେ.ଏଫ. ଜଙ୍ଗଲ ମଧ୍ୟରେ ଏଲିଫେଣ୍ଟ ଟ୍ରାକିଂ ଓ ପାଟ୍ରୋଲିଂ ଚାଲିଥିବା ସମୟରେ ୩ଟି ବାଇକ ଏବଂ ୩୭ ଖଣ୍ଡ ଶାଳ ପଟା ଜବତ କରାଯାଇଛି।

ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ କୁଣ୍ଢେଇଗୋଳା ଫରେଷ୍ଟର ପ୍ରିତମ କୁମାର ସାହୁଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ କାର୍ତ୍ତିକେଶ୍ୱର ପ୍ରଧାନ ଓ କୁଣ୍ଢେଇଗୋଳା ସେକ୍ସନର ଫରେଷ୍ଟ ପ୍ରଟେକ୍ସନ କର୍ମଚାରୀମାନେ ସଙ୍ଘାପଶି ବିଟ ଅଂଚଳର କୁସୁମପାଳ ଜଙ୍ଗଲରେ ଏଲିଫେଣ୍ଟ ଟ୍ରାକିଂ ଓ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଜଙ୍ଗଲ ମଧ୍ୟ ରାସ୍ତା ଦେଇ ୩ ଜଣ ଦୁର୍ବୃତ୍ତ ୩ଟି ବାଇକ ଯୋଗେ ମୋଟ ୩୭ ଖଣ୍ଡ ଶାଳ ପଟା ନେଇ ଯାଉଥିବା ଦେଖି ସେମାନଙ୍କୁ ଗୋଡାଇଥିଲେ। ବନ କର୍ମଚାରୀମାନଙ୍କୁ ଦେଖି ସେମାନେ ଜଙ୍ଗଲ ମଧ୍ୟରେ ହିଁ ବାଇକ ସହ ଉକ୍ତ ଶାଳପଟାଗୁଡିକୁ ଛାଡିଦେଇ ଦୌଡି ପଳାଇଥିଲେ। ବନ ବିଭାଗ କର୍ମଚାରୀମାନେ ୩ଟି ବାଇକ ଓ ୩୭ ଖଣ୍ଡ ଶାଳପଟା ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.