ଲକ୍‌ଡାଉନ ଉଲ୍ଲଙ୍ଘନ କରି କୃଷ୍ଣପ୍ରସାଦରେ ୩ ଗିରଫ

ପୁରୀ: ସାମାଜିକ ଦୂରତ୍ବ କଟକଣା ଉଲ୍ଲଙ୍ଘନ କରି ନୂଆପଡା ଉଚ୍ଚ ବିଦ୍ୟାଳୟ ବାତ୍ୟା ଆଶ୍ରୟସ୍ଥଳରେ ଅନଧିକାର ଭାବେ ଏକାଠି ବସିବା ସହ ବିଶୃଙ୍ଖଳା ଅଭିଯୋଗରେ ୩ଜଣଙ୍କୁ ସୋମବାର ଗିରଫ କରାଯାଇଛି। ପୁଲିସ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୬୯, ୨୭୦, ୨୭୧, ୨୯୦, ୧୮୮ ଏବଂ ୩୪ ଦଫାରେ ମାମଲା ରୁଜୁ କରିଛି। ଗିରଫ ବ୍ୟକ୍ତିମାନେ ହେଲେ କାଳୁ ଜେନା, ଧିର ପଲେଇ ଏବଂ ଉତ୍ତମ ତରେଇ ବୋଲି ପୁଲିସ ସୂଚନା ଦେଇଛି। ଏହାଛଡା କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଗ୍ରାମପଞ୍ଚାୟତ ଅଧିକାରୀ ସୌମ୍ୟରଞ୍ଜନ ବେହେରା ଏବଂ ଗ୍ରାମ ରୋଜଗାର ସେବକ ମୁକେଶ କୁମାର ଜେନାଙ୍କୁ ଚାକିରିରୁ ଅନ୍ତର କରାଯାଇଛି। ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣପ୍ରସାଦ ତହସିଲଦାର ସୋମବାର ବିପ୍ର ଜେନା, ଧିର ପଲେଇ, କାଳୁ ଜେନା, ମିଥୁନ ଜେନା ଏବଂ ଉତ୍ତମ ତରେଇଙ୍କ ବିରୋଧରେ କୃଷ୍ଣପ୍ରସାଦ ଥାନା ଇନ୍ସପେକ୍ଟରଙ୍କୁ ଚିଠିଲେଖି କାର୍ୟ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ସଂପୃକ୍ତ ବ୍ୟକ୍ତିମାନେ ସାମାଜିକ ଦୂରତ୍ବ କଟକଣା ଉଲ୍ଲଙ୍ଘନ କରିବା ସହ ଅସାମାଜିକ କାର୍ୟ୍ୟରେ ସଂପୃକ୍ତ ଥିବା ତହସିଲଦାର ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ। ସେହିପରି ନୂଆପଡା ଗ୍ରାମପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଗ୍ରାମପଞ୍ଚାୟତ ଅଧିକାରୀ ସୌମ୍ୟରଞ୍ଜନ ବେହେରା ଏବଂ ଗ୍ରାମ ରୋଜଗାର ସେବକ ମୁକେଶ କୁମାର ଜେନାଙ୍କ ବିରୋଧରେ କୃଷ୍ଣପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିବାର ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ତାହାକୁ ଭିତ୍ତିକରି ଜିଲାପାଳ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ଏତଦ୍‌ବ୍ୟତୀତ ପଞ୍ଚାୟତ ସମିତି ସଭ୍ୟ ଉତ୍ତମ ତରେଇଙ୍କୁ ବହିଷ୍କାର ପାଇଁ ସୁପାରିଶ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.