୧୮ ପର୍ଯ୍ୟନ୍ତ ବଢ଼ିଲା ସ୍ନାତକ ନାମଲେଖା ଅବଧି

୨୩ରେ ପ୍ରକାଶ ପାଇବ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ସ୍ନାତକ (+୩) ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ବର୍ଷା ଯୋଗୁଁ ଦୁଇ ଦିନ ନାମଲେଖା ପ୍ରଭାବିତ ହୋଇଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୮ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। ଚଳିତ ମାସ ୧୬(ଗୁରୁବାର) +୩ ନାମଲେଖା ସରିବାକୁ ଥିବାବେଳେ ଏହାକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ଏନେଇ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି।

ପରିବର୍ତ୍ତିତ ସମୟ ଅନୁସାରେ କଳା,ବାଣିଜ୍ୟ,ବିଜ୍ଞାନ,ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ନାମଲେଖା ଦେୟ ସାମ୍ସ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌(ସଞ୍ଚାର ଜରିଆରେ) ଦାଖଲ କରିପାରିବେ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ଥିବା ବିଦ୍ୟାର୍ଥୀ ୧୮ ତାରିଖ ସୁଦ୍ଧା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଉପରିସ୍ଥ ମହାବିଦ୍ୟାଳୟକୁ ସ୍ଥାନାନ୍ତର ହେବା ପାଇଁ ସ୍ଲାଇଡ୍‌ ଅପ୍‌ ଆବେଦନ କରିବେ। ଏଥିପାଇଁ ସେମାନେ ୧୮ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଅନ୍‌ଲାଇନ୍‌ରେ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଇ-ସ୍ପେସ୍‌ରେ ଆସନ୍ତା ୧୮ ତାରିଖ ସୁଦ୍ଧା ଦାଖଲ କରିବେ।

ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା ୨୧ରେ ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ୨୩କୁ ବୃଦ୍ଧି କରାଯାଇଛି। ୨୩ରୁ ୨୭ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଦେୟ ଦାଖଲ କରିପାରିବେ ଛାତ୍ରଛାତ୍ରୀ। ଦ୍ବିତୀୟ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତା ୨୪ରୁ ୨୮ ମଧ୍ୟରେ ନାମ ଲେଖାଇପାରିବେ। ୨୪ରୁ ୨୯ ପର୍ଯ୍ୟନ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଇ-ସ୍ପେସ୍‌ରେ ଦାଖଲ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

୨୦୨୧-୨୨ ଶିକ୍ଷାବର୍ଷରେ ସ୍ନାତକ ନାମଲେଖା ପାଇଁ ୧୦୨୫ ମହାବିଦ୍ୟାଳୟରେ ମୋଟ ୨ ଲକ୍ଷ ୪୯ ହଜାର ୬୯୯ ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯାଇଥିଲା। ସେଥିମଧ୍ୟରୁ ୩୦ ଜିଲାରେ ୧୬ ତାରିଖ ସୁଦ୍ଧା ୧ଲକ୍ଷ ୨୧ ହଜାର ୧୭୧ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ପ୍ରାୟ ୪୭ ହଜାର ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ‌ ଲେଖାଇ ପାରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି।

Comments are closed.