୧୧ରୁ ଆରମ୍ଭ ହେବ +୩ ନାମଲେଖା ପ୍ରକ୍ରିୟା : ଅନ୍‌ଲାଇନ୍‌ରେ ଆବେଦନ

ଭୁବନେଶ୍ବର : +୩(ୟୁଜି ବା ସ୍ନାତକ) ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଆସନ୍ତା ୧୧ତାରିଖରୁ ଆବେଦନ ଆରମ୍ଭ ହେବ। ବିଦ୍ୟାର୍ଥୀ ସାମ୍ସ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ସମସ୍ତ ଡିଗ୍ରୀ ମହାବିଦ୍ୟାଳୟ, ସ୍ବୟଂଶାସିତ ଶିକ୍ଷାନୁଷ୍ଠାନ, ସେଲ୍ଫ ଫାଇନାନ୍ସିଂ ଶିକ୍ଷାନୁଷ୍ଠାନ ଓ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଆବେଦନ, ନାମଲେଖାର ନିୟମାବଳୀ ଓ ପ୍ରସ୍ତୁତି ସଂକ୍ରାନ୍ତରେ ୨୨ଟି ସୂଚନା ଦିଆଯାଇଛି। ନାମଲେଖା ପାଇଁ ଟିମ୍‌ ମେମ୍ବର, ସାମ୍ସ ଲାବ୍‌, ସହାୟତା କେନ୍ଦ୍ର ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ରଖିବାକୁ କୁହାଯାଇଛି । ଚଳିତ ଥର ନାମଲେଖା ଓ ଫର୍ମପୂରଣର ସମସ୍ତ ଅର୍ଥରାଶି ଅନ୍‌ଲାଇନ୍‌ରେ ପୈଠ କରାଯିବ। ସାମ୍ସ ୱେବ୍‌ସାଇଟ୍‌କୁ ଯାଇ ବିଦ୍ୟାର୍ଥୀ ନାମଲେଖା ପାଇଁ ଆବେଦନ କରିବା ସହ ସବିଶେଷ ତଥ୍ୟ ପାଇପାରିବେ।
ତିନିଟି ପର୍ଯ୍ୟାୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ତାଲିକା ସାମ୍ସ ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ। ପରେ ବଳକା ସିଟ୍‌ ପାଇଁ ସ୍ପଟ୍‌ରେ ନାମଲେଖା ପାଇଁ ବ୍ୟବସ୍ଥା ହେବ। ଚଳିତ ଥର ମୋବାଇଲ୍‌ ନମ୍ବର ଓ ମେଲ୍‌ ଆଇଡି ଦେଇ ସାମ୍ସ ୱେବ୍‌ସାଇଟ୍‌ରେ ବିଦ୍ୟାର୍ଥୀ ନାମ ପଞ୍ଜୀକରଣ କରି ନିଜସ୍ବ ଲଗ୍‌ଇନ୍‌ ଆଇଡି ପ୍ରସ୍ତୁତ କରିବେ।
ସମସ୍ତ ବିଶ୍ବବିଦ୍ୟାଳୟ କେଉଁ ପାଠ୍ୟକ୍ରମ ପାଇଁ କେତେ ଫି’ ରଖିଛନ୍ତି ତା’ର ତାଲିକା ଇ-ସ୍ପେସ୍‌ରେ ପ୍ରଦାନ କରିବେ। ଆସନ୍ତା ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନ ଫି’ ହ୍ରାସ କରାଯାଇଛି। ସାଧାରଣ ବର୍ଗର ବିଦ୍ୟାର୍ଥୀଙ୍କ ପାଇଁ ୩ଶହ ଟଙ୍କାରୁ ୨୭୫ଟଙ୍କା କରାଯାଇଥିବାବେଳେ ସଂରକ୍ଷିତ ବର୍ଗର ବିଦ୍ୟାର୍ଥୀଙ୍କ ପାଇଁ ୨ଶହରୁ ୧୭୫ ଟଙ୍କା କରାଯାଇଛି।
ବିଦ୍ୟାର୍ଥୀଙ୍କୁ ନାମଲେଖା ଓ ଫର୍ମପୂରଣ ନିୟମାବଳୀ ସଂକ୍ରାନ୍ତରେ ବ୍ୟାନର ଜରିଆରେ ମହାବିଦ୍ୟାଳୟ ପକ୍ଷରୁ ଅବଗତ କରାଯିବ। ତେବେ ପ୍ରଥମେ ବିଜ୍ଞାନ ପାଠ୍ୟକ୍ରମ ପାଇଁ ଆବେଦନ କରାଯିବ। +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପରେ ଏହି ପାଠ୍ୟକ୍ରମରେ ଆବେଦନ ପାଇଁ ବ୍ୟବସ୍ଥା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୋଜନା କରାଯାଇଛି।

Comments are closed.