କୀଟନାଶକ ଗନ୍ଧରେ ୩ ଭଉଣୀ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ଗ୍ରାମରେ ଚାଉଳରେ ପକାଯାଇଥିବା କୀଟନାଶକ ଆଘ୍ରାଣ ପ୍ରଭାବରେ ୩ ଜଣ ନିଷ୍ପାପ ଶିଶୁ କନ୍ୟାଙ୍କ ଜୀବନ ଚାଲିଯାଇଛି। ମୃତ ୩ଜଣ ହେଉଛନ୍ତି ୩ ଭଉଣୀ। ଶିଶୁକନ୍ୟାଙ୍କୁ ଉଦ୍ଧାର ସମୟରେ ସେମାନଙ୍କ ଆଈ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ମିଳିଥିବା ସୂଚନା ପ୍ରକାରେ ଗତ ୨୬ ତାରିଖରେ ସୂର୍ଯ୍ୟପରାଗ ଥିଲା। ପରାଗ ପରେ ଗ୍ରାମରେ ୩ ନାତୁଣିଙ୍କ ସହିତ ରହୁଥିବା କସ୍ତୁରୀ ରେଡ୍ଡି ରାତିରେ ଘରେ ମାଂସ ତରକାରୀ ରୋଷେଇ କରିଥିଲେ। ରାତିରେ ଖାଇ ସାରିବା ପରେ କୋହଲା ପାଗ ଯୋଗୁ ଟିକିଏ ଉଷ୍ମ ଲାଗିବା ଆଶାରେ ଆଈ ଓ ୩ ନାତୁଣି ୨୫ କିଗ୍ରା ଚାଉଳ ବସ୍ତା ଥିବା ଏକମୁହାଁ ଘରେ ଶୋଇପଡ଼ିଥିଲେ। ଚାଉଳ ବସ୍ତାରେ ପୋକ ନହେବା ପାଇଁ ସେଥିରେ କୀଟନାଶକ ପକାଯାଇଥିବାରୁ କୀଟନାଶକ ଆଘ୍ରାଣ ପ୍ରଭାବରେ ୩ଶିଶୁ କନ୍ୟା ଅସୁସ୍ଥ ହୋଇପଡିଥିଲେ। ପରଦିିନ ସକାଳୁ ୩ଜଣଙ୍କୁ ଅଚେତ ଅବସ୍ଥାରେ ଘରୁ ଉଦ୍ଧାର କରାଯାଇ ଗାଁର ଏକ କ୍ଳିନିକ୍‌ରେ ପ୍ରଥମେ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଟିକିନା ରେଡ଼ି (୬ବର୍ଷ) ଏବଂ ସୋମା ରେଡ଼ି (୯ ବର୍ଷ)ଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ପୂର୍ବାହ୍ନରେ ବର୍ଷା ରେଡ଼ି (୧୨)ଙ୍କ ବଡ଼ମେଡ଼ିକାଲରେ ମୃତ୍ୟୁ ଘଟିଛି। ୩ଶିଶୁ କନ୍ୟାଙ୍କ ଘର ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଗୌତମୀ ପଞ୍ଚାୟତର ମାଟିଆବୋରାଇ ଗ୍ରାମରେ। ସେମାନେ ଅଜାଆଈଙ୍କ ଘରେ ରହି ପାଠ ପଢ଼ୁଥିଲେ। ଚାଉଳ ବସ୍ତା ଥିବା ଘରୁ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିବା ସମୟରେ ଆଈ କସ୍ତୁରୀ ରେଡ଼ି ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡିଥିବା ଜଣାପଡ଼ିଛି। କସ୍ତୁରୀ ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହବ୍ୟତୀତ ପଡ଼ୋଶୀ ଉଆଳି ଗୌଡ଼ ଏବଂ କୈଳାଶ ଗୌଡ଼ ମଧ୍ୟ କୀଟନାଶକ ଆଘ୍ରାଣ ପ୍ରଭାବରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ବ୍ରହ୍ମପୁରର ବଡ଼ମେଡ଼ିକାଲ ଫାଣ୍ଡିରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments are closed.