ମହାମାରୀର ଦ୍ବିତୀୟ ତରଙ୍ଗ

ମହାମାରୀ ଓ ଅନିଶ୍ଚିତତା ପରିପୂରକ। ମହାମାରୀ ସଂପର୍କରେ ସର୍ବଶେଷ ଜ୍ଞାନ ବା ସିଦ୍ଧାନ୍ତ ଅଭାବ ହେତୁ ଏହାର ଗତିପ୍ରକୃତି ଠିକ୍‌ ପୂର୍ବାନୁମାନ ସମ୍ଭବ ହୋଇପାରି ନଥାଏ। ତେବେ ଉପଲବ୍ଧ ତଥ୍ୟ ତଥା ପରିସଂଖ୍ୟାନ ଶାସ୍ତ୍ର ଉପଯୋଗରେ ରୋଗ ସଂକ୍ରମଣ ରୂପରେଖର ବିଭିନ୍ନ ମ‌େଡଲ ପ୍ରସ୍ତୁତ କରି ସ୍ୱାସ୍ଥ୍ୟସେବା, ଅର୍ଥନୀତି ଓ ସାମାଜିକ ପ୍ରତିକ୍ରିୟା ଇତ୍ୟାଦି ସମ୍ଭାଳିବା ନିମନ୍ତେ ଉଦ୍ୟମ କରାଯାଇଥାଏ।
ଉଦାହରଣ ସ୍ବରୂପ ଦେଶର ଅଗ୍ରଣୀ ବିତ୍ତ ପରିଚାଳନା ସଂସ୍ଥା ‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ’ ପକ୍ଷରୁ ମହାମାରୀର ଦ୍ୱିତୀୟ ତରଙ୍ଗ ସୃଷ୍ଟ ସମ୍ଭାବ୍ୟ ପ୍ରଭାବ ଆକଳନ କରି ଏକ ବିବରଣୀ ପ୍ରସ୍ତୁତ କରାଯାଇଛି। ମାର୍ଚ୍ଚ ୨୦୨୧ ତୃତୀୟ ସପ୍ତାହରେ ପ୍ରକାଶିତ ‘ସେକେଣ୍ଡ ୱେଭ୍‌ ଅଫ ଇନ​‌େ​‌ଫକସେନ୍ସ: ଦି ବିଗନିଂ ଅଫ ଦି ଏଣ୍ଡ’ ଶୀର୍ଷକ ରିପୋର୍ଟରେ ମହାମାରୀର କେତେଗୋଟି ଦିଗ ଉପରେ ଟିପ୍ପଣୀ ପ୍ରଦାନ କରାଯାଇଛି।
ପ୍ରଥମତଃ, ପ୍ରଶ୍ନ ଉଠେ ‘କୋଭିଡ-୧୯’ର ଦ୍ୱିତୀୟ ତରଙ୍ଗ କେବେ ଆରମ୍ଭ ହେଲା ଏବଂ କେତେବେଳ ଯାଏ ଚାଲିବ। ରିପୋର୍ଟ ଅନୁଯାୟୀ ମହାମାରୀର ଦ୍ୱିତୀୟ ତରଙ୍ଗ ଫେବୃଆରୀ ମଧ୍ୟଭାଗରୁ ଆରମ୍ଭ ହୋଇଛି ଏବଂ ପ୍ରାୟ ଶହେ ଦିନ, ଅର୍ଥାତ୍‌ ମେ’ ଶେଷ ସପ୍ତାହ ଯାଏ ବଳବତ୍ତର ରହିପାରେ।
ଦ୍ୱିତୀୟତଃ, ଦ୍ୱିତୀୟ ତରଙ୍ଗର ସଂକ୍ରମଣ ଶୀର୍ଷ ସଂଖ୍ୟାରେ କେବେ ପହଞ୍ଚିବ? ମହାମାରୀର ପ୍ରଥମ ତରଙ୍ଗ ସଂକ୍ରମଣ ପରିସଂଖ୍ୟାନ ଆଧାରରେ ଦ୍ୱିତୀୟ ତରଙ୍ଗ ସଂକ୍ରମଣର ଶୀର୍ଷ ସଂଖ୍ୟାରେ ଏପ୍ରିଲ ଦ୍ୱିତୀୟାର୍ଦ୍ଧ ବେଳକୁ ପହଞ୍ଚିବା ଅନୁମାନ କରାଯାଉଛି।
ତୃତୀୟତଃ, ରିପୋର୍ଟରେ ଭାରତର ଟିକାକରଣ ଅଭିଯାନ ଦ୍ୱିତୀୟ ତରଙ୍ଗ ସଂକ୍ରମଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ ପାଇଛି। ଟିକାକରଣ ଅବଧିରେ ଦ୍ୱିତୀୟ ତରଙ୍ଗ ଆରମ୍ଭ ହୋଇଥିବା ଓ ସଂକ୍ରମଣ ହାର ଶୀର୍ଷ ସ୍ଥାନରେ ପହଞ୍ଚିବା ଚାରି ସପ୍ତାହ ଆଗରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଟିକାଦାନ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ତରଙ୍ଗରେ ଦେଶରେ ୪୫ରୁ ୫୯ ବର୍ଷ ବର୍ଗର ବହୁସଂଖ୍ୟକ ସଂକ୍ରମିତ ହୋଇଥିବା ଅନୁଭୂତି ରହିଥିଲା।
ଚତୁର୍ଥତଃ, ଦ୍ୱିତୀୟ ତରଙ୍ଗ ଅବସରରେ ଭାରତରେ ରାଷ୍ଟ୍ରୀୟସ୍ତରରେ ଲକଡାଉନ, ସଟଡାଉନ ଆବଶ୍ୟକ ନପଡ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଆବଶ୍ୟକସ୍ଥଳେ ଆଞ୍ଚଳିକ ଭିତ୍ତିରେ ସଂକ୍ରମଣ ରୋକିବା ନିମନ୍ତେ ବନ୍ଦ ‘କଣ୍ଟେନମେଣ୍ଟ’ ଘୋଷଣା କରାଯାଇପାରେ।
ପଞ୍ଚମତଃ, ଅଧିକ ସଂଖ୍ୟକ ନାଗରିକଙ୍କୁ ଟିକାକରଣ କରାଯାଇ ସାମୂହିକ ପ୍ରତିଷେଧକ ‘ହେର୍ଡ ଇମ୍ୟୁନିଟି’ ସୃଷ୍ଟିରେ ଭୂତାଣୁ ସଂକ୍ରମଣ ରୋକିବା ଉଦ୍ୟମକୁ ଅଗ୍ରାଧିକାର ଦିଆଯାଉଥିବା ହେତୁ ଟିକାକରଣ ସଂଖ୍ୟା ଉପରେ ମହାମାରୀର ଅବଧି ନିର୍ଭରଶୀଳ। ହିସାବରେ ଦେଶବ୍ୟାପୀ ଦୈନିକ ୪୫ ବର୍ଷରୁ ଊର୍ଦ୍ଧ୍ୱ ୪୫ ଲକ୍ଷ ନାଗିରକଙ୍କୁ ଟିକା ଦିଆଯାଇପାରିଲେ ଜୁଲାଇ ୨୦୨୧ ସୁଦ୍ଧା ସେହି ବର୍ଗର ସମସ୍ତଙ୍କୁ ପ୍ରତିଷେଧକ ଦିଆଯାଇ ପାରିବ।
ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଦୈନିକ ୩୪ ଲକ୍ଷ ଟିକାକରଣ କରାଯାଉଥିବା ସ୍ଥଳେ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ଏହି ହିସାବରେ ଫେବୃଆରୀରୁ ଟିକାକରଣର ୨୧ ମାସ, ଅର୍ଥାତ୍‌ ୨୦୨୨ ଡିସେମ୍ୱର ମାସ ଶେଷ ସୁଦ୍ଧା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଆବଶ୍ୟକ ସଂଖ୍ୟକ ନାଗରିକଙ୍କୁ ଟିକାକରଣ ସାରିବା ଆଶା କରାଯାଏ। ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୫୨ ଲକ୍ଷ ଟିକା ଉତ୍ପାଦନ କରାଯାଉଛି।
ମହାମାରୀରେ କୌଣସି ପୂର୍ବାନୁମାନ ଶତ ପ୍ରତିଶତ ବିଶ୍ୱାସଯୋଗ୍ୟ ବିବେଚିତ ହୋଇନପାରେ। ଆଲୋଚ୍ୟ ରିପୋର୍ଟ ସରକାର କିମ୍ୱା କୌଣସି ବୈଜ୍ଞାନିକ ପ୍ରତିଷ୍ଠାନ ଦ୍ୱାରା ସମର୍ଥିତ ନୁହେଁ। ଏହା ସଂପୃକ୍ତ ସଂସ୍ଥାର ବ୍ୟାବସାୟିକ ପରିଚାଳନାରେ ସହାୟତା ଲାଗି ଉଦ୍ଦିଷ୍ଟ ଥିବା ବିଶ୍ୱାସ କରାଯାଏ। ତେବେ ଗୋଟିଏ ମଡେଲକୁ ବିଚାରକୁ ନେଇ ସଂକ୍ରମଣ ପ୍ରତିରୋଧ ଲାଗି ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରଣୟନ ସମ୍ଭବ। ବ୍ୟକ୍ତିଗତ, ପାରିବାରିକ ସ୍ତରରେ ମଧ୍ୟ ମହାମାରୀ ମୁକାବିଲା ଲାଗି ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ। ଭୂତାଣୁ ସଂକ୍ରମଣ ଗତିପ୍ରକୃତିକୁ ବୁଝି ଏକ ନିର୍ଭରଶୀଳ ପୂର୍ବାନୁମାନ ଚିହ୍ନିତ ଆପଦବିପଦକୁ ଏଡ଼ାଇ ଦେବାକୁ ଚେଷ୍ଟାକଲେ ଜୀବନଯାତ୍ରା ଅପେକ୍ଷାକୃତ ସରଳ ଓ ସହଜ ହୋଇଥାଏ।
‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ’ ଏକ ବ୍ୟାବସାୟିକ ସଂସ୍ଥା ଏବଂ ରିପୋର୍ଟଟି ସଂସ୍ଥାର ମୁଖ୍ୟ ଅାର୍ଥନୀତିକ ଉପଦେଷ୍ଟାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହେତୁ ଏଥିରେ ଉପସ୍ଥାପିତ ପୂର୍ବାନୁମାନ ବିଚାରଯୋଗ୍ୟ। ଭାରତରେ ମହାମାରୀର ଦ୍ୱିତୀୟ ତରଙ୍ଗକୁ ନେଇ ବିଭିନ୍ନ ସ୍ତରରେ ବିଚାରବିମର୍ଶ ଚାଲିଥିବା ଅବସରରେ। ଦ୍ୱିତୀୟ ତରଙ୍ଗ ବର୍ଣ୍ଣନା ସଂପର୍କିତ ଏହାକୁ ଅନ୍ୟତମ ପ୍ରାଥମିକ ଦସ୍ତାବିଜ ରୂପେ ଗ୍ରହଣ କରାଯାଇପାରେ।
ଦ୍ୱିତୀୟ ତରଙ୍ଗର ସମ୍ଭାବ୍ୟ ସଂକ୍ରମଣ ଶୀର୍ଷ ସଂଖ୍ୟାରେ ଏପ୍ରିଲ ଶେଷରେ ପହଞ୍ଚିବା ବେଳକୁ ଓଡ଼ିଶାରେ ମାର୍ଚ୍ଚ ମାସର ଟିକାକରଣ କାର୍ଯ୍ୟକ୍ରମରେ ସାମାନ୍ୟ ଉନ୍ନତି ଘଟିଲେ ପ୍ରାୟ ଅର୍ଦ୍ଧେକ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ ଏବଂ ପ୍ରାୟ ଏକ ଚତୁର୍ଥାଂଶଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇପାରେ। ଟିକା ପ୍ରଭାବରେ ଅନ୍ତତଃପକ୍ଷେ ଗୁରୁତର ଭାବେ ରୋଗାକ୍ରାନ୍ତ ନହେବା ଓ ମୃତ୍ୟୁରୁ ବର୍ତ୍ତିଯିବା ଭଳି ଆଶ୍ୱାସନା, ଟିକା ନେଲେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା, ପରିଚିତବର୍ଗ ଟିକାନେବା, ନୂତନ ପ୍ରଜାତି ଭୂତାଣୁର ବ୍ୟାପକ ସଂକ୍ରମଣ ଭୟ ଓ ଟିକାଦାନ ବ୍ୟବସ୍ଥା ସଂପ୍ରସାରଣ ଭଳି ଅନୁକୂଳ ପରିବେଶ ଏପ୍ରିଲ ମାସରେ ବରିଷ୍ଠଙ୍କ ଟିକାକରଣ ହାରରେ ବୃଦ୍ଧି ଆଶା କରାଯାଇପାରେ। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ଶେଷରେ ଟିକାକରଣକୁ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଛି। ଏହା ଦେଶବ୍ୟାପୀ ନୀତିନିର୍ଦ୍ଧାରଣକୁ ପ୍ରଭାବିତ କରିବ।
ଟିକା ନେବାପରେ ଭୂତାଣୁ ଭୟକୁ ଏଡ଼ାଇ ନ ଦେଇ ପାରିବା, ସଂକ୍ରମଣ କାଳରେ ଦୀର୍ଘସ୍ଥାୟୀ ରୋଗ ଜଟିଳ ସ୍ୱାସ୍ଥ୍ୟାବସ୍ଥା ସୃଷ୍ଟି କରିବା, ରୋଗମୁକ୍ତ ହେବାପରେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବାର ଉଦାହରଣ ଏବଂ ସର୍ବୋପରି ସଂକ୍ରମଣରୁ ବର୍ତ୍ତିବା ଅର୍ଥ ସାମାଜିକ ସ୍ତରରେ ସଂକ୍ରମଣକୁ ରୋକିବାରେ ଯୋଗଦାନ ଭଳି ତତ୍ତ୍ୱ ସଂପର୍କରେ ବରିଷ୍ଠ ନାଗରିକମାନେ କ୍ରମଶଃ ସଚେତନ ହେବା ସ୍ୱାଭାବିକ। ଦ୍ୱିତୀୟ ତରଙ୍ଗ ସଂକ୍ରମଣ ୨୦୨୧ ମେ’ ମାସ ଶେଷ ସୁଦ୍ଧା ଧିମେଇ ପଡ଼ିବା ଓ ସାମୂହିକ ପ୍ରତିରୋଧ ଶକ୍ତି ସୃଷ୍ଟି ପାଇଁ ୨୦୨୨ ଡିସେମ୍ୱର ଶେଷ ଯାଏ ଅପେକ୍ଷା ବରିଷ୍ଠ ନାଗରିକଙ୍କ ମହାମାରୀକାଳୀନ ଜୀବନଚର୍ଯ୍ୟା ନିମନ୍ତେ ଆଲୋଚ୍ୟ ରିପୋର୍ଟ ଦୁଇଗୋଟି ଉଲ୍ଲେଖଯୋଗ୍ୟ ସମ୍ଭାବ୍ୟ ସମୟସୀମା ନିର୍ଦ୍ଧାରଣ କରିଛି।
ଦ୍ୱିତୀୟ ତରଙ୍ଗରେ ଉଭୟ ବିଦେଶୀ ଓ ସ୍ୱଦେଶୀ ନୂତନ ପ୍ରଜାତି ‘ଭେରିଏଣ୍ଟ’ର ଭୂତାଣୁ ସଂକ୍ରମିତ ହେଉଥିବା, ସଂକ୍ରମଣ ହାର ‘ଆର-ଭେଲ୍ୟୁ’ ଅର୍ଥାତ୍‌ ଜଣେ ସଂକ୍ରମିତ ହାରାହାରିଭାବେ କେତେ ଜଣ ଯାଏ ଲୋକଙ୍କୁ ସଂକ୍ରମଣ କରୁଛି ତାହା ପ୍ରଥମ ତରଙ୍ଗ ତୁଳନାରେ ଅଧିକ ରହୁଥିବା ଓ ବିଦେଶରେ ଦ୍ୱିତୀୟ ତରଙ୍ଗରେ ବିପୁଳସଂଖ୍ୟକ ଆକ୍ରାନ୍ତ ହୋଇଥିବା ଭଳି ତଥ୍ୟ ଦେଶବାସୀଙ୍କ ସମେତ ବରିଷ୍ଠ ନାଗରିକଙ୍କୁ ବିବ୍ରତ କରିଛି। ରିପୋର୍ଟରେ ଦ୍ୱିତୀୟ ତରଙ୍ଗରେ ୨୫ ଲକ୍ଷ ଯାଏ ସଂକ୍ରମିତ ହେବା ଆଶଙ୍କା କରାଯାଇଛି।
କେତେକଙ୍କ ମତରେ ପ୍ରଥମ ତରଙ୍ଗ ଧିମେଇ ଯିବାପରେ ସାମୂହିକ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇସାରିଥିବା ଭଳି ଅସମର୍ଥିତ ଆଶ୍ୱାସନା ଓ ସ୍ୱାଭାବିକ ଜୀବନଯାତ୍ରାକୁ ଫେରିବା ଅବସରରେ କୋଭିଡ୍‌ କଟକଣାକୁ ଅବହେଳା କରିବା ଦ୍ୱିତୀୟ ତରଙ୍ଗ ସୃଷ୍ଟିର କାରଣ। ଅନ୍ୟ କେତେକଙ୍କ ମତରେ ମହାମାରୀର ଇତିହାସରେ ସଂଖ୍ୟାଧିକ ତରଙ୍ଗର ଅଭିଜ୍ଞତା ଅନ୍ୟତ୍ର ଭଳି ଆମ ଦେଶରେ ମଧ୍ୟ ଦ୍ୱିତୀୟ ତରଙ୍ଗ ସୃଷ୍ଟି କରିଛି। ତେବେ ଆଲୋଚ୍ୟ ରିପୋର୍ଟରେ ‘…ଦି ବିଗନିଂ ଅଫ ଦି ଏଣ୍ଡ’ ଶୀର୍ଷକାଂଶ ହୁଏତ ମହାମାରୀ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଭଳି ଆଶ୍ୱାସନା ମହାମାରୀର ଅନ୍ଧକାରାଚ୍ଛନ୍ନ ସୁଡ଼ଙ୍ଗ ରାସ୍ତାର ଶେଷରେ ଆଲୋକର ସନ୍ଧାନ ପ୍ରତୀୟମାନ ହୁଏ ।

ପ୍ରଦୀପ ମହାପାତ୍ର

ବିକଳ୍ପ ବାର୍ଦ୍ଧକ୍ୟ ଚ଼ିନ୍ତନ ମଞ୍ଚ ‘ଧୂସର ଓଡ଼ିଶା’,ଭୀମାରାଓ ପେଟା, ଭାପୁର ବଜାର,
ବ୍ରହ୍ମପୁର- ୭୬୦ ୦୦୧,ମୋ:୯୪୩୭୦୯୬୯୪୪

Comments are closed.