ଧାନ ପରେ ଗୃହରେ ଆଇନଶୃଙ୍ଖଳା ତାତି ; ସରକାରଙ୍କୁ ଘେରିଲେ ବିରୋଧୀ
-ବସିପାରିବେନି ଦାଗୀ ନେତା: ବିରୋଧୀଦଳ ନେତା,-ବାଚସ୍ପତି କହିଲେ ‘ସୋ-ମି’

-ଭୁଶୁଡ଼ି ପଡିଲାଣି ଆଇନଶୃଙ୍ଖଳା:ନରସିଂହ,-ବାହାନା ଖୋଜୁଛନ୍ତି ବିରୋଧୀ:ପ୍ରମିଳା
ଭୁବନେଶ୍ୱର : ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟକୁ ୮ଦିନ ବିତିଲାଣି, ହେଲେ ଦିନଟିଏ ବି ଗୃହ ସୁରୁଖୁରୁରେ ଚାଲି ପାରୁନାହିଁ। ଚାଷୀଙ୍କ ଧାନ ସଂଗ୍ରହକୁ ନେଇ ୬ଦିନ ହେଲା ଗୃହ ଅଚଳ ହେବା ପରେ ଘନ ଘନ ସର୍ବଦଳୀୟ ବୈଠକ ପରେ ଗୃହ ଟିକିଏ ଥମି ପଡ଼ିଲା ବେଳକୁ ଏବେ ପରୀ-ମାହାଙ୍ଗା ସାଙ୍ଗକୁ ଆଇନ ଶୃଙ୍ଖଳାକୁ ନେଇ ଦୁଇଦିନ ହେଲାଣି ତାତି ବଢ଼ିଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଥରକୁ ଥର ସର୍ବଦଳୀୟ ବୈଠକ ଡାକୁଛନ୍ତି। ବୈଠକ ଦିନକୁ ୧ରୁ ୩ଥର ପର୍ଯ୍ୟନ୍ତ ବସୁଛି। ହେଲେ ଯୋଉଟାକୁ ସେଇଟା ନ୍ୟାୟରେ କୌଣସି ନିଷ୍କର୍ଷ ବାହାରୁନାହିଁ। ଗୃହରେ ଅସ୍ବାଭାବିକ ପରିସ୍ଥିତି ଲାଗି ରହୁଛି। ଆଜି ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି ବୋଲି ଗୃହରେ ଚିତ୍କାର କରି ସରକାରଙ୍କୁ ଘେରୁଥିବାବେଳେ ଶାସକଦଳ ସଭ୍ୟ ଏହାକୁ ନାପସନ୍ଦ କରିଛନ୍ତି। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ଜାଣିଶୁଣି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କୁହାଯାଉଛି। ଶାସକ ଓ ବିରୋଧୀଙ୍କ ଏହି ତୁ ତୁ ମେଁ ମେଁ ଭିତରେ ଆଜି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଆଲୋଚନା ସାଙ୍ଗକୁ ଖର୍ଚ୍ଚଦାବି ଆଲୋଚନା ହୋଇପାରିନାହିଁ। ଜଳସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ୩୦ ତାରିଖ ଗିଲୋଟିନରେ ପାରିତ ହେବ କହି ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଆସନ୍ତାକାଲି ପାଇଁ ମୁଲତବି କରିଛନ୍ତି।
ପୂର୍ବାହ୍ନରେ ଗୃହ ଆରମ୍ଭ ହେବାମାତ୍ରେ ବାଚସ୍ପତି ଶ୍ରୀ ପାତ୍ର ପ୍ରଶ୍ନକର୍ତ୍ତା ପ୍ରଫୁଲ୍ଲ ସାମଲଙ୍କୁ ଖୋଜିଥିଲେ। ଏହାର ଉତ୍ତର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଉଥିବାବେଳେ ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝି, ସଭ୍ୟ ମୁକେଶ ମହାଲିଙ୍ଗ, ଭାସ୍କର ମଢ଼େଇ, ନାଉରୀ ନାୟକ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରିଥିଲେ। ପ୍ରଥମେ ବାଚସ୍ପତି ଶ୍ରୀ ପାତ୍ର ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ସାଢ଼େ ୧୧ଟାରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ରାଜ୍ୟରେ ଧନୀ, ଗରିବ, ଶାସକ ଓ ବିରୋଧୀଙ୍କ ପାଇଁ ଅଲଗା ଆଇନ କାନୁନ ବ୍ୟବସ୍ଥା ହେଲେ କିଭଳି ଲୋକେ ଶାନ୍ତିରେ ରହିବେ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଯେଉଁ ସରପଞ୍ଚ ସତକୁ ସମ୍ମୁଖକୁ ଆଣିବାପାଇଁ ଆସିଥିଲେ ଏବେ ସରକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସରପଞ୍ଚଙ୍କ ଅଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ ସରକାରଙ୍କ ପକ୍ଷରୁ କରାଯାଉ ନଥିବାରୁ ସେ ବିଡ଼ିଓଙ୍କୁ ଦେଖା କରିବାରେ ବିଡ଼ିଓ କହୁଛନ୍ତି ଯେ ତୁମେ ଷ୍ଟାଫଙ୍କ ସହ ସୁସମ୍ପର୍କ ରଖୁନାହଁ, ତେଣୁ ତୁମ କଥା କିଛି ବୁଝାଯିବ ନାହିଁ। ସ୍ଥାନୀୟ ବିଡ଼ିଓ କିଭଳି ଭାବେ ଜଣେ ଜନପ୍ରତିନିଧିଙ୍କୁ ଏଭଳି କହିବାକୁ ସାହସ କରୁଛନ୍ତି ତାହା ବୁଝାପଡୁନାହିଁ। ଏହାବାଦ୍ ସଂପୃକ୍ତ ବିଡ଼ିଓ କହୁଛନ୍ତି ଯେ ଭାଇ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦେଖା କଲେ ଯାଇ ଯାହାକିଛି କରିହେବ ବୋଲି ଏକ ଭିଡ଼ିଓ ଭାଇରାଲ ହୋଇଛି। ସେହିପରି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୟନାରାୟଣ ମିଶ୍ରଙ୍କ ପ୍ରସଙ୍ଗରେ ସାଧାରଣ ଅଭିଯୋଗକୁ ଭିତ୍ତିକରି ଯଦି ସେମାନଙ୍କ ପ୍ରତି ସରକାର କାର୍ଯ୍ୟାନୁଷ୍ଠାନ ନେଇ ପାରିଲେ ତେବେ ପରୀ ଓ ମାହାଙ୍ଗା ଡବଲ ମର୍ଡର ଘଟଣାରେ କାହିଁକି ସରକାର ଚୁପ୍ ବସିଛନ୍ତି ତାହା ବୁଝାପଡୁନାହିଁ। ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ସମୟରେ ଏକ ରୁଲିଂ ଥିଲା ଯେ ଦାଗୀ ନେତା ଗୃହରେ ପଶି ପାରିବେ ନାହିଁ। ତେଣୁ ବାଚସ୍ପତି ଏନେଇ ରୁଲିଂ ଦେବାର ଆବଶ୍ୟକତା ରହିଛି। ଶ୍ରୀ ନାଏକଙ୍କ କଥା ଶୁଣିବା ପରେ ବାଚସ୍ପତିି ଶ୍ରୀ ପାତ୍ର କହିଥିଲେ ଯେ ଏଭଳି କୌଣସି ଆଇନରେ ଲେଖାଯାଇ ନାହିଁ ଯେ ଏତଲା ଥିବା ସଭ୍ୟ ଗୃହରେ ପଶି ପାରିବେ ନାହିଁ। ଯଦି କୌଣସିଠାରେ ଲିଖିତ ଅଛି ତେବେ ‘ସୋ-ମି’ ବୋଲି ବାଚସ୍ପତି କହିଥିଲେ, ହେଲେ ବିରୋଧୀ ନିରୁତ୍ତର ରହିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲାଣି। ଚଣ୍ଡିଖୋଲଠାରେ ଚାଷୀଙ୍କ ମହାସମାବେଶରେ ଯୋଗଦେବାପାଇଁ ଜଣେ ଜାତୀୟସ୍ତରୀୟ ନେତା ରାଜେଶ ଟିକାୟତ ଆସିଥିବାବେଳେ ତାଙ୍କ ଉପରେ ଆକ୍ରମଣ ହେଲା। ସେଠାରେ ସରକାର ଓ ପୁଲିସ ପ୍ରଶାସନ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଥିଲେ। ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଇନ ତା’ ବାଟରେ ଯାଉଛି ବୋଲି କହୁଥିବାବେଳେ କିଭଳି ଭାବେ ମାହାଙ୍ଗା ହତ୍ୟା ଘଟଣାରେ ୧୩ନମ୍ବର ମୁଦାଲା ଗୃହରେ ବସୁଛନ୍ତି। ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ। ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ ବୋଲି େସ ଦାବି କରିଥିଲେ। ଏତିକିବେଳେ ବିଜେପି ସଭ୍ୟମାନେ ବ୍ୟାନର ଓ ପୋଷ୍ଟର ଧରି ସରକାର ବିରୋଧୀ ନାରା ଦେଇ ତମ୍ବିତୋଫାନ କରିବାରୁ ବାଚସ୍ପତି ଅପରାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।
ଅପରାହ୍ନରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ ଯେ ରାଉରକେଲାରେ ସୁପରସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉନ୍ମୋଚନ କରିବାର କିଛି ସମୟ ପରେ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ କିଭଳି ଲୋକେ ସେ ଫଳକକୁ ଭାଙ୍ଗିବାକୁ ଉଦ୍ୟମ କଲେ ତାହା ବୁଝାପଡୁନାହିଁ। ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି କଂଗ୍ରେସ ସଭ୍ୟ ଶ୍ରୀ ମିଶ୍ର ପୁଣିଥରେ ଜାତୀୟ ନେତା ଟିକାୟତ ପ୍ରସଙ୍ଗ ଦୋହରାଇବା ସହିତ ରାଉରକେଲାରେ ଏକ ଅସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ କାହିଁକି ରାଷ୍ଟ୍ରପତି ଆସି ଲୋକାର୍ପଣ କଲେ ତାହା ବୁଝାପଡୁନାହିଁ ବୋଲି କହିଥିଲେ। ସେ କହିଥିଲେ ଯେ ଗୋଟିଏ ପଟେ ରାଜ୍ୟ ସରକାର ଲୋକଦେଖାଣିଆ କାର୍ଯ୍ୟକ୍ରମ କରୁଥିବାବେଳେ ବିଜେପି ସରକାର ମଧ୍ୟ ଅନୁରୂପ କାର୍ଯ୍ୟ କରୁଛି। ତେବେ ଜାତୀୟସ୍ତରର ନେତାଙ୍କ ପ୍ରତି ଏଭଳି ଅବମାନନା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ, ଏହା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡିବାର ପ୍ରମାଣ ଦେଉଛି ବୋଲି ସେ କହିଥିଲେ।
ଶାସକଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ବିରୋଧୀଙ୍କ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ। ତେଣୁ ସେ ଗୃହକୁ ନଚଳାଇ ଦେବାପାଇଁ ନାନା ବାହାନା ଖୋଜୁଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ପକ୍ଷରୁ କାଗଜ ଉପସ୍ଥାପନ ହୋଇଥିଲା।