ସେକେଣ୍ଡ ହ୍ୟାଣ୍ଡ ବ୍ୟାଗ୍ ର ମୂଲ୍ୟ ଦେଢ଼ କୋଟି ଟଙ୍କା !

ବଜାରକୁ ଗଲେ ଆମେ ନୂଆ ଜିନିଷ ହେଉ କିମ୍ବା ପୋଷାକ କିଣିବାରେ ଅଧିକ ରୁଚି ରଖିଥାଉ। ସେକେଣ୍ଡ-ହ୍ୟାଣ୍ଡ ଯେ କୌଣସି ଜିନିଷ ମିଳିଲେ, ଲୋକେ ସେଥିନିମନ୍ତେ କମ୍ ପାଉଣା ଦେବାକୁ ଚାହାନ୍ତି। କାରଣ ହେଲା, ତାହା ଥରେ ବ୍ୟବହୃତ ହୋଇସାରିଛି। ଏପରି ସ୍ଥଳେ ଲଣ୍ଡନରେ ଏକ ସେକେଣ୍ଡ ହ୍ୟାଣ୍ଡ ବ୍ୟାଗ୍ ଦେଢ଼ କୋଟି ଟଙ୍କାରେ ନିଲାମ ହୋଇଥିବାର ପ୍ରକାଶ। ବ୍ୟାଗ୍‌ଟି ନାମୀ କମ୍ପାନୀ ‘ହର୍ମେସ୍ ବିର୍କିନ୍‌‌’ର ହୋଇଥିବାବେଳେ ତାହା କୁମ୍ଭୀର ଚମଡ଼ାରେ ତିଆରି। ଲଣ୍ଡନର ଜନୈକ ଶିଳ୍ପପତିଙ୍କ ଗେହ୍ଲୀ ଝିଅ ୨୦୧୨ରେ ଏଇ ବ୍ୟାଗ୍ କିଣିଥିଲେ। ପରେ ସେ ଏହାକୁ ନିଲାମ କରିବାକୁ ସ୍ଥିର କଲେ। ମିଳିଥିବା ଖବର ଅନୁସାରେ, ବ୍ରିଟେନ୍‌ର ଜଣେ ମହିଳା ଶିଳ୍ପପତି ଏହି ବ୍ୟାଗ୍‌କୁ ଦେଢ଼ କୋଟି ଟଙ୍କାରେ କିଣିଛନ୍ତି। ୧୯୮୦ରେ ପ୍ରଥମେ ଇଉରୋପୀୟ ବଜାରରେ ଏଇ ହର୍ମେସ୍‌ ବିର୍କିନ୍‌‌ର ବ୍ୟାଗ୍‌ଗୁଡ଼ିକ ବଜାରରେ ପ୍ରବେଶ କରିଥିଲା।
ଧନୀ ଓ ସମ୍ଭ୍ରାନ୍ତ ବର୍ଗର ମହିଳାମାନେ ହିଁ ଏଇ ଦାମୀ ବ୍ୟାଗ୍ ଧରିବାକୁ ସକ୍ଷମ। ୨୦୧୪ରେ ଏଇ ବ୍ୟାଗ୍ କମ୍ପାନୀର ବ୍ୟବସାୟ ଶୀର୍ଷରେ ପହଞ୍ଚିଥିଲା। ସେହି ବର୍ଷ ମୋଟ୍ ୭୦ହଜାର ବ୍ୟାଗ୍ କମ୍ପାନୀ ଉତ୍ପାଦନ କରିଥିଲା ଓ ସମସ୍ତ ବ୍ୟାଗ୍ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା।

Comments are closed.