ଧାନ ନେଲେ, ଚାଉଳ ଦେଲେ ନାହିଁ: ଖରିଫ-ରବି ଚାଉଳ ଦେବାରେ ପଛୁଆ ୨୮ ରାଇସ୍‍ ମିଲ୍‍

ବଲାଙ୍ଗିର:୨୦୨୦-୨୧ ଖରିଫ ଧାନ କିଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ଘୋଷଣା ଅନୁସାରେ ନଭେମ୍ବର ୧୮ରୁ ଜିଲାର ୧୫୮ ପେକ୍ସ ଓ ୧୬ ଏସ୍‍ଏସ୍‍ଜି ଜରିଆରେ ଜିଲାର ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣାଯିବ। ଏହି ଧାନ ମିଲର୍ସଙ୍କୁ ସେମାନଙ୍କ ମିଲ୍‍ର କ୍ଷମତା ଅନୁସାରେ ଦିଆଯିବ। ଆଉ ସରକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନରୁ ଚାଉଳ କରି ସରକାରଙ୍କୁ ସେମାନେ ଦେବେ। ତେବେ ଚଳିତ ଖରିଫ ଧାନ କିଣା ପାଇଁ ଆଲୋଚନା ହେଉଥିବା ବେଳେ ବଲାଙ୍ଗିର ଜିଲାର ୧୨୫ଟି ରାଇସ୍‍ ମିଲ୍‍ ଓ ପେଡ଼ି ପ୍ରୋସେସିଂ ୟୁନିଟ୍‍ ଗତ ଖରିଫ, ରବି ଓ ରବିରେ କୋରାପୁଟରୁ ଆଣିଥିବା ଧାନ ବାବଦ ଚାଉଳ ଦେବାରେ ୨୮ ରାଇସ୍‍ ମିଲ୍‍ ପଛରେ ରହିଯାଇଛନ୍ତି। ଏଭଳି କିଛି ରାଇସ୍‍ ମିଲର୍ସଙ୍କୁ ସନ୍ଦେହ ବଢୁଛି ଯେ, ସେମାନେ ସରକାରଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଉଳ ଦେଇପାରିବେ ତ! ସେହିପରି କିଛି ମିଲ୍‍ର ଗୋଦାମରେ ଧାନ ହିଁ ନାହିଁ। ଚାଉଳ କେଉଁଠୁ ଦେବେ ବୋଲି ପ୍ରଶ୍ନ ଉଠୁଛି। ମିଲ୍‍ଗୁଡ଼ିକର ସ୍ଥିତାବସ୍ଥା ଯାଞ୍ଚ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଲେ କେତେ କ୍ଷୀର ଓ କେତେ ପାଣି ସ୍ପଷ୍ଟ ହୋଇଯିବ ବୋଲି ମତପ୍ରକାଶ ପାଇଛି।
ଗତ ୨୦୧୯-୨୦ ଖରଫି ଧାନ କିଣାରେ ସାମିଲ ହୋଇଥିଲେ ୫୭ ରାଇସ୍‍ ମିଲ୍‍। ଉଷୁନା ଚାଉଳ ପାଇଁ ୪୫ ରାଇସ୍‍ ମିଲ୍‍ ମଧ୍ୟରୁ ୫ଟି ରାଇସ୍‍ ମିଲ୍‍ ଶତ ପ୍ରତିଶତ ଚାଉଳ ଦେବାରେ ବିଫଳ ହୋଇଛନ୍ତି। ସେହି ମିଲ୍‍ଗୁଡ଼ିକ ହେଉଛନ୍ତି ଅୱିନ ରିର୍ସୋସେସ୍‍ ପିଭିଟି ଏଲ୍‍ଟିଡି ଚେଚେରବେଙ୍ଗ, ଦଲଦଲିର ବାବା ଗଙ୍ଗାରାମ ରାଇସ୍‍ ମିଲ୍‍, ସାଉନ୍ତପୁର ବୀର ବଜରଙ୍ଗ ରାଇସ୍‍ ମିଲ୍‍, ତେଣ୍ଡାପଦର ସାୱରିଆ ବ୍ରଦର୍ସ ବଏଲ୍‍ଡ ପ୍ଲାଣ୍ଟ, ଉଚ୍ଚବାହାଲ ଅଶୋକ ଫୁଡ ପ୍ରଡକ୍ଟ। ୯ହଜାର ୪୯୯.୪୯ କ୍ୱିଣ୍ଟାଲ ଚାଉଳ ଏହି ରାଇସ୍‍ ମିଲ୍‍ଗୁଡ଼ିକ ଦେଇ ନଥିବା ବେଳେ ଅୱିନ, ବାବା ଗଙ୍ଗାରାମ ରାଇସ୍‍ ମିଲ୍‍ ସର୍ବାଧିକ ୩ହଜାର କ୍ୱିଣ୍ଟାଲରୁ ଅଧିକ ଚାଉଳ ବକେୟା ରଖିଛନ୍ତି। ସେହିପରି ଖରିଫ ଋତୁରେ ଅରୁଆ ଚାଉଳ ପାଇଁ ୧୨ ରାଇସ୍‍ ମିଲ୍‍କୁ ସାମିଲ କରାଯାଇଥିଲା। ସେଥିରୁ ଶତ ପ୍ରତିଶତ ଦେବାରେ ସାୱରିଆ ବ୍ରଦର୍ସ, ଶ୍ରୀ ବାଲାଜୀ ଫୁଡ ପ୍ରଡକ୍ଟ,ସୁରେଶ ଟ୍ରେଡିଂ କମ୍ପାନୀ ୩ହଜାର ୯୩୭.୨୩ କ୍ୱିଣ୍ଟାଲ ଚାଉଳ ଦେଇ ନାହାନ୍ତି। ଏଭଳି ଗତ ଖରିଫରେ ୧୩ହଜାର ୪୩୧.୭୨ କ୍ୱିଣ୍ଟାଲ ଚାଉଳ ଦେବାରେ ପଛରେ ରହିଛନ୍ତି ୮ଟି ରାଇସ୍‍ ମିଲ୍‍।
ସେହିପରି ରବିରେ ୪୨ଟି ରାଇସ୍‍ ମିଲ୍‍ ଧାନ ପେକ୍ସରୁ ନେଇଥିଲେ। ସେମାନଙ୍କ ମଧ୍ୟରୁ ଅନ୍ନପୂର୍ଣ୍ଣା ପେଡ଼ି ପ୍ରୋସେସିଂ, ଗଜାନନ ରାଇସ୍‍ ମିଲ୍‍, ଏସ୍‍ପି ଆଗ୍ରୋ, ସାୱରିଆ ବଦର୍ସ, ସିଦ୍ଧି ବିନାୟକ, ଶ୍ରୀ ଅଶୋକ, ଶ୍ରୀ ରାଧାକୃଷ୍ଣ ରାଇସ୍‍ ମିଲ୍‍ ଭଳି ୭ଟି ସଂସ୍ଥା ୧୭ହଜାର ୨୭୩.୫୨ କ୍ୱିଣ୍ଟାଲ ଧାନ ଦେଇ ନାହାନ୍ତି ନିର୍ଦ୍ଧାରିତ ସମୟରେ। ଆଉ ରବି ସମୟରେ କୋରାପୁଟ ଜିଲାରୁ ଧାନ ଉଠାଇଥିଲେ ବଲାଙ୍ଗିର ଜିଲାର ୨୬ଟି ମିଲ୍‍। ୧୩ଟି ମିଲ୍‍ ସଂପୂର୍ଣ୍ଣ ଚାଉଳ ଦେବାରେ ଫେଲ୍‍। ସେମାନଙ୍କ ମଧ୍ୟରେ ଭଗବତୀ, ଜୟତୁଲସୀ, ଜ୍ୱଲାଜୀ, ଲକ୍ଷ୍ମୀ, ରାଧାସ୍ୱାମୀ, ମହାବୀର, ମିନର୍ଭା, ସଲାସର ବାବା, ସମଲେଶ୍ୱରୀ, ସାବିତ୍ର, ପାହାଡି ମାତା, ଶ୍ୟାମଜୀ ପେଡ଼ି ଭଳି ୧୩ଟି ରାଇସ୍‍ ମିଲ୍‍ ୮୩ହଜାର ୯୦୨.୩୭ କ୍ୱିଣ୍ଟାଲ ଚାଉଳ ଦେଇ ନାହାନ୍ତି।
ଗତ ଖରିଫ ଉଷୁନା, ଅରୁଆ ଓ ରବିରେ ଧାନ କିଣା ପାଇଁ ସୁଯୋଗ ପାଇଥିବା ସାୱରିଆ ବଦର୍ସ ରାଇସ୍‍ ମିଲ୍‍ ପ୍ରାୟ ୧୦ହଜାର କ୍ୱିଣ୍ଟାଲ ଚାଉଳ ଦେଇ ନାହିଁ। ଏଭଳି ୨୮ ରାଇସ୍‍ ମିଲ୍‍ ଯଦି ଧାନ ନେଲେ ତା’ହେଲେ ଚାଉଳ ଦେବାରେ ବିଫଳ କାହିଁକି ପ୍ରଶ୍ନ ଉଠିବା ସ୍ୱାଭାବିକ। ସୂଚନା ଅନୁସାରେ, କିଛି କିଛି ରାଇସ୍‍ ମିଲ୍‍ ଗୋଦାମରେ ଧାନ ହିଁ ମହଜୁଦ ନାହିଁ। ସେମାନେ ଚାଉଳ ଦେବେ କେମିତି ବୋଲି ସନ୍ଦେହ ଦେଖାଦେଲାଣି। ଏସଂପର୍କରେ ଜିଲା ଯୋଗାଣ ଅଧିକାରୀ ଦିଲୀପ କୁମାର ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିବା ଅନୁସାରେ ଚାଉଳ ବଳକା ଦେଇ ନଥିବା ରାଇସ୍‍ ମିଲ୍‍ ସଂପର୍କରେ ଅବଗତ। ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ କହିଛନ୍ତି ଶ୍ରୀ ପାତ୍ର। ତେବେ ଏହି ଚାଉଳ ଦେବାରେ ପଛେଇ ଯାଇଥିବା ରାଇସ୍‍ ମିଲ୍‍ ଗୋଦାମରେ ବଳକା ଚାଉଳ ଅନୁପାତ ଅନୁସାରେ ଧାନ ଉପଲବ୍ଧ ଅଛି କି ନାହିଁ ତାହା ଯାଞ୍ଚ କରିଦେଲେ ବିଭାଗ ପ୍ରକୃତ ସ୍ଥିତି ଜାଣିପାରିବ।
୧୮ରେ କିଣା ଓ ୨୦ ଯାଏଁ ମହଲତ, ୨୮ କରିବେ କ’ଣ
କୋଭିଡ କଟକଣା, ଲକ୍‍ଡାଉନ୍‍ ପାଇଁ କାମ ବନ୍ଦ। ଚାଉଳ ଦେବାରେ ବାଧା ସୃଷ୍ଟି ହୋଇଛି। ତେଣୁ ରଜ୍ୟ ସରକାର ଚାଉଳ ଦେଇ ପାରି ନଥିବା ରାଇସ୍‍ ମିଲ୍‍ଗୁଡ଼ିକୁ ୨୦ ନଭେମ୍ବର ଯାଏ ସମୟ ଦେଇଛନ୍ତି। ତେବେ ଜିଲାରେ ୧୮ ନଭେମ୍ବରରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ତେବେ ଗତ ଖରିଫ, ରବିର ଧାନ ବଳକା ରଖିଥିବା ମିଲର୍ସମାନେ ସଂପୂର୍ଣ୍ଣ ଚାଉଳ ଦେଇ ନପାରିଲେ ସେମାନେ ଟାର୍ଗେଟ ପାଇପାରିବେ ନାହିଁ ବୋଲି ସୂଚନା ମିଳିଛି। ୨୦ ତାରିଖ ଭିତରେ ଚାଉଳ ଶତ ପ୍ରତିଶତ ଦେଇଦେଲେ ୧୮ ତାରିଖ ପୂର୍ବରୁ ଯୋଗାଣ ବିଭାଗ କେମିତି ନିର୍ଦ୍ଧାରିତ କରିବ କେଉଁ ରାଇସ୍‍ ମିଲ୍‍କୁ କେତେ ଟାର୍ଗେଟ୍‍। ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

Comments are closed.