କୋଭିଡ ଟିକା ନେଇ ୭.୪ କୋଟି ଟଙ୍କାର ପୁରସ୍କାର ଜିତିଲେ

ମେଲବୋର୍ଣ୍ଣ: କୋଭିଡ ଟିକା ନେବାକୁ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ଅଷ୍ଟ୍ରେଲିଆରେ ଆରମ୍ଭ କରାଯାଇଥିବା ଏକ ଲଟେରୀରେ ଜଣେ ମହିଳା ୭.୪ କୋଟି ଟଙ୍କା ଜିତିଛନ୍ତି । ସୂଚନାଯୋଗ୍ୟ ଯେ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ କୋଭିଡ-୧୯ ଟିକା ନେବାକୁ ବିଭିନ୍ନ ଉପାୟରେ ପ୍ରବର୍ତ୍ତାଯାଉଥିଲେ ମଧ୍ୟ ସେଥିପ୍ରତି ବିଶେଷ ଆଗ୍ରହ ପରିଲକ୍ଷିତ ହେଉନଥିଲା । ଶେଷରେ ସାଧାରଣ ଜନତାଙ୍କ ମଧ୍ୟରେ ଟିକା ନେବାର ଆଗ୍ରହ ସୃଷ୍ଟି ଲକ୍ଷ୍ୟରେ ଦେଶରେ ଏକ ଲଟେରୀ ପ୍ରଚଳନ କରାଯାଇଥିଲା । ଅଷ୍ଟ୍ରେଲିଆର କିଛି ସମାଜସେବୀ ଏବଂ କମ୍ପାନୀଗୁଡିକ ପକ୍ଷରୁ ମିଳିତ ଭାବରେ ‘ଦି ମିଲିୟନ ଡଲାର ଭାକ୍ସ ଆଲାଏନ୍ସ’ ନାମରେ ଏହି ଲଟେରୀ ଆରମ୍ଭ କରାଯାଇଥିଲା । ଏହାପରେ ଲୋକମାନେ କୋଭିଡ ଟିକା ନେବା ସହିତ ଏହି ଲଟେରୀ ପାଇଁ ସେମାନଙ୍କର ନାମ ପଞ୍ଜିକରଣ କରିବା ଆରମ୍ଭ କରିଥିଲେ । ପ୍ରାୟ ୩୦ ଲକ୍ଷ ଲୋକ ଟିକା ନେବାପରେ ଏଥିରେ ନିଜର ନାମ ପଞ୍ଜିକୃତ କରିଥିଲେ । ଲଟେରୀ ଉଠାଯିବା ପରେ ସେମାନଙ୍କ ମଧ୍ୟରେ ୨୫ ବର୍ଷ ବୟସ୍କା ଜୋଆନ ଝୁ ୧ ନିୟୁତ ଡଲାର (ପ୍ରାୟ ୭.୪ କୋଟି ଟଙ୍କା)ର ଲଟେରୀ ଜିତିଥିବା ଜଣାଯାଇଛି । ଏହା ପୂର୍ବରୁ ଲୋକଙ୍କ ମନରେ ଟିକା ନେବାକୁ ଆଗ୍ରହ ସୃଷ୍ଟି କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖେଳ ଦେଖିବାକୁ ମାଗଣା ଟିକେଟ, ବିଅର, ଖାଦ୍ୟ ସାମଗ୍ରୀ ଆଦି ଯୋଗାଇ ଦିଆଯାଉଥିଲା । ତେବେ ଏଥିପାଇଁ ଲଟେରୀ ପ୍ରଚଳନ କରାଯିବା ପରେ ଲୋକେ ପ୍ରତିଦ୍ୱନ୍ଦ୍ୱିତା କରିବା ଭଳି ଟିକା ନେବା ଆରମ୍ଭ କରିଛନ୍ତ । ଜୋଆନଙ୍କ ସହିତ ଅନ୍ୟ ୧୦୦ ଜଣଙ୍କୁ ମଧ୍ୟ ପୁରସ୍କାର ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୧୦୦୦ ଡଲାର ଲେଖାଏଁ ଲଟେରୀ ଜିତିବା ବାବଦରେ ମିଳିବ ବୋଲି ଜଣାଯାଇଛି ।

Comments are closed.