ଶାହାଙ୍କ ଗସ୍ତକୁ ନେଇ ବିଜେପି ଚଳଚଞ୍ଚଳ

କର୍ମୀ ଓ ନେତାଙ୍କ ମନରେ ଉତ୍ସୁକତା; ବିଜେପି ପତାକାରେ ରାଜଧାନୀ ଗୈରିକ

ଭୁବନେଶ୍ୱର : କେନ୍ଦ୍ରରେ ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ଶୁକ୍ରବାର ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଥମଥର ପାଇଁ ଓଡ଼ିଶାଗସ୍ତରେ ଆସୁଛନ୍ତି। ପୂର୍ବାହ୍ନ ୧୦ଟା ୨୦ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ସଳଖ ଲୋକସେବା ଭବନ ଗସ୍ତ କରିବେ। ସେଠାରେ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ବିସ୍ତୃତ ଆଲୋଚନା ହେବ।
ଏହାପରେ ଅପରାହ୍ନ ସାଢ଼େ ୨ଟାରେ ଜନତା ମଇଦାନରେ ବିଜେପି ପକ୍ଷରୁ ଅନୁଷ୍ଠିତ ନାଗରିକ ସଂଶୋଧନ ଆଇନ(ସିଏଏ)ଉପରେ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ଏହାକୁ ନେଇ ବିଜେପିର ତୃଣମୂଳସ୍ତରର କର୍ମୀଙ୍କଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ଜନତା ମଇଦାନରେ ୧ଲକ୍ଷରୁ ଅଧିକ କର୍ମୀଙ୍କୁ ଠୁଳ କରିବାପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ମଞ୍ଚ ସଜା ସାଙ୍ଗକୁ ରାଜଧାନୀର ରାସ୍ତାଘାଟ ବିଜେପି ପତାକା ଓ ତୋରଣରେ ଛାଇ ଯାଇଛି। ତେବେ ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ବିଜେପିକୁ କେତୋଟି ସାଂସଦ ଆସନ ମିଳିବ ସେନେଇ କାଲି ବିଜେଡ଼ି ଓ ବିଜେପି ମଧ୍ୟରେ ମୂଲଚାଲ ହେବାନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ସରକାରୀ କାର୍ଯ୍ୟକ୍ରମ ପରେ ବିଜେଡ଼ି ଓ ବିଜେପିର ରଣନୀତି ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକମାନେ ବିବେଚନା କରୁଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୭ ଓ ୨୦୧୮ରେ ଶ୍ରୀ ଶାହା ଓଡ଼ିଶାଗସ୍ତ ବେଳେ ବିଜେଡ଼ି ବିରୋଧରେ ପ୍ରବଳ ବର୍ଷିଥିଲେ। ଶ୍ରୀ ଶାହା କହିଥିଲେ ଯେ ବିଜେଡ଼ି ଏବେ ଗୋଟିଏ ପୋଡା ଟ୍ରାନ୍ସଫର୍ମରରେ ପରିଣତ ହୋଇଗଲାଣି। ରାଜ୍ୟବାସୀଙ୍କୁ ସୁଶାସନ ଦେବାକୁ ହେଲେ ତାକୁ ଉପାଡି ଫିଙ୍ଗି ବିଜେପି ସରକାରକୁ ଗାଦିଚ୍ୟୁତ୍ କରିବାକୁ ପଡିବ। ଏହାପରେ ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଶ୍ରୀ ଶାହା ବିଭିନ୍ନ ସମାବେଶରେ ଯୋଗଦେଇ ବିଜେଡ଼ି ସରକାରକୁ ନିକମା ସରକାର ବୋଲି କହି ନିନ୍ଦିତ କରିଥିଲେ। ତେବେ ଆସନ୍ତାକାଲି ଜୋନାଲ ବୈଠକ ପରେ ଶ୍ରୀ ଶାହାଙ୍କ ରଣକୌଶଳ ବିଜେଡ଼ି ବିରୋଧରେ ରହିବ ନା ସିଏଏକୁ ନେଇ କଂଗ୍ରେସ ଉପରେ ବର୍ଷିବେ ତାହା ଦେଖିବାର ରହିଛି।ଜନସମାବେଶ ପରେ ଶ୍ରୀ ଶାହା ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଏକ ରୁଦ୍ଧଦ୍ବାର ବୈଠକ କରିବେ। ଏହାପରେ ୨୯ ପୂର୍ବାହ୍ନରେ ଶ୍ରୀ ଶାହା ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ଭୁବନେଶ୍ବରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ନାଗରିକ ସଂଶୋଧନ ଆଇନ ଆଣି ପାକିସ୍ତାନ,ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ଧାରାରେ ପ୍ରପୀଡିତ ହୋଇ ଭାରତକୁ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ଜୀବନରେ ନୂଆ ସକାଳ ଆଣିଛନ୍ତି। ଯେଉଁ କଥା ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁ କଥା ବାବା ସାହେବ ଆମ୍ବେଦକର ଚାହୁଁଥିଲେ ତାହା ନରେନ୍ଦ୍ର ମୋଦୀଙ୍କ ସରକାର କରିଛି। ହେଲେ କଂଗ୍ରେସ, ବାମପନ୍ଥୀ ଓ ଅନ୍ୟ କିଛି ରାଜନୈତିକ ଦଳ ଯେଭଳି ସିଏଏ କୁ ନେଇ ଅପପ୍ରଚାର କରୁଛନ୍ତି, ଯାହା ଫଳରେ ଦେଶରେ ଏକ ବିରୋଧର ବାତାବରଣ ତିଆରି ହେଉଛି। ସାରା ଦେଶ ନାଗରିକ ସଂଶୋଧନ ଆଇନର ସମର୍ଥନରେ ରହିଛିୠ। ନାଗରିକତା ସଂଶୋଧନ ଆଇନ ସଂପର୍କରେ କିଛି ବ୍ୟକ୍ତିଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ଶ୍ରୀ ଶାହା ଆସୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Comments are closed.