ବିଧାନସଭା ଅଧିବେଶନର ଦୁଇଦିନ ପୂର୍ବରୁ ପଞ୍ଜାବର ୨୩ ବିଧାୟକ କରୋନା ସଂକ୍ରମିତ

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ଅଧିବେଶନ ଆସନ୍ତା ୨୮ ତାରିଖରୁ ବସିବାକୁ ସ୍ଥିର ହୋଇଛି । ମାତ୍ର ୨ ଦିନ ପୂର୍ବରୁ ରାଜ୍ୟର ୨୩ ଜଣ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜେଇଇ-ଏଇଇଟି ପରୀକ୍ଷା ସଂକ୍ରାନ୍ତରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଥିବା ଜଣାପଡ଼ିଛି ।
ପରେ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ପଞ୍ଜାବ ବିଧାନସଭାର ମୌସୁମୀ ଅଧିବେଶନ ଆଉ ୨ ଦିନ ବାକି ଅଛି । ମାତ୍ର ୨୩ ମନ୍ତ୍ରୀ ଓ ବିଧାୟକ କୋଭିଡ଼-୧୯ ସଂକ୍ରମିତ ହୋଇଛନ୍ତି । ଯଦି ଏହି ସମୟରେ ବିଧାନସଭା ବସିବ ତେବେ ପରିଣତି କ’ଣ ହେବ ସେ ସମ୍ପର୍କରେ ଅନୁମାନ କରାଯାଇପାରେ । ତେଣୁ ବର୍ତମାନ ସମୟରେ ଜେଇଇ-ଏନଇଇଟି ପରୀକ୍ଷା ନିମନ୍ତେ ଅନୁକୂଳ ସମୟ ନୁହେଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଜାବର ୨୦ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହୋଇଥିବାବେଳେ ବୁଧବାର ଆଉ ୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କଂଗ୍ରେସ ବିଧାୟକ ପରଗଟ ସିଂହ, ଅକାଳି ବିଧାୟକ ଗୁରପ୍ରତାପ ସିଂହ ଓ ଆପ୍ ବିଧାୟକ ମଞ୍ଜିତ୍ ସିଂହ କରୋନା ସଂକ୍ରମିତ ହୋଇଛନ୍ତି ।

Comments are closed.