୨୨ କୋଟି ଟଙ୍କାର ଚାଉଳ ଦୁର୍ନୀତି : ୭ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ନିର୍ଦେଶ

କାର୍ଯ୍ୟାନୁଷ୍ଠାନ ବିଳମ୍ବ ନେଇ ୫ ଜିଲା ଯୋଗାଣ ଅଧିକାରୀଙ୍କୁ କଡା ଚିଠି

ଭଦ୍ରକ : ସରକାରଙ୍କ ଠାରୁ ଧାନ ନେଇ ଆନୁପାତିକ ଚାଉଳ ଦେଲେ ନାହିଁ ମିଲର। ଯୋଗାଣ ନିଗମର ବହୁ କୋଟି ଟଙ୍କାର ଧାନକୁ ଚଳୁ କରିଦେଲେ ୫ ଜିଲାର ୧୦ ମିଲର। ୨୦୦୯-୧୦ରୁ ୧୫-୧୬ ଖରିଫ ବର୍ଷରେ ହୋଇଥିବା ଏହି ଦୁର୍ନୀତି ବିଭାଗୀୟ ସ୍ୱତନ୍ତ୍ର ଅଡିଟ ରିପୋର୍ଟରେ ପଦାକୁ ଆସିବା ପରେ ବି ଦୋଷୀ ଅଧିକାରୀଙ୍କ ବିରୋଧରେ ହେଉ ନାହିଁ କାର୍ଯ୍ୟାନୁଷ୍ଠାନ। ଏହାକୁ ନେଇ ଖପ୍ପା ହୋଇଛନ୍ତି ଖୋଦ ରାଜ୍ୟ ନିଗମର ପରିଚାଳନା ନିର୍ଦେଶକ। ଏ ସମ୍ପର୍କରେ ଭଦ୍ରକ, ଜଗତସିଂହପୁର, ସମ୍ବଲପୁର, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲାର ନିଗମ ଅଧିକାରୀ(ସିଏସଓ)ଙ୍କୁ କଡା ଭାଷାରେ ଚିଠି (୧୯୦୧୬)ଲେଖିଛନ୍ତି ନିର୍ଦେଶକ। ୧୫ ତାରିଖ ସୁଦ୍ଧା ଏହି ୫ ଜିଲାର ୭ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ତହିଁରେ ନିର୍ଦେଶ ଦିଆଯାଇଛି। ବିଭାଗର ସ୍ୱତନ୍ତ୍ର ଅଡିଟ ରିପୋର୍ଟ ଅନୁଯାୟୀ ଉପରୋକ୍ତ ୫ଟି ଜିଲାରେ ନିଗମର ୨୨ କୋଟିରୁ ଅଧିକ ଟଙ୍କା ମିଲରଙ୍କ ଜରିଆରେ ତୋଷରପାତ ହୋଇଛି। ଏଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଡିଟ ରିପୋର୍ଟରେ ଦାୟୀ କରାଯାଇଛି। ଯେଉଁ ୭ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେମାନେ ହେଲେ ଭଦ୍ରକର ପୂର୍ବତନ ଯୋଗାଣ ନିରୀକ୍ଷକ ତଥା ବର୍ତ୍ତମାନ ମାଲକାନାଗିରିରେ ଅବସ୍ଥାପିତ ଅଧିକାରୀ କ୍ଷୀରାବ୍ଦରାଜ ମହାପାତ୍ର, ଜଗତସିଂହପୁରର ଯୋଗାଣ ନିରୀକ୍ଷକ ଯଶବନ୍ତ ମଲ୍ଲିକ, ସମ୍ବଲପୁରର ତତ୍କାଳୀନ ଯୋଗଣ ନିରୀକ୍ଷିକା ଭୂମିକା ରଥ, ତତ୍କାଳୀନ କଳାହାଣ୍ଡିର ଯୋଗାଣ ନିରୀକ୍ଷକ ତଥା ବର୍ତ୍ତମାନର ବରଗଡ ଅତିରିକ୍ତ ଯୋଗାଣ ଅଧିକାରୀ ଦିବ୍ୟସିଂହ ବଡ଼ମାଳୀ, କଳାହାଣ୍ଡିର ପୂର୍ବତନ ନିରୀକ୍ଷକ (ଏବେ ଗଞ୍ଜାମରେ) ପ୍ରକାଶ ଚନ୍ଦ୍ର ପାତ୍ର, କଳାହାଣ୍ଡିର ପୂର୍ବତନ ନିରୀକ୍ଷକ ତଥା ବର୍ତ୍ତମାନର କନ୍ଧମାଳ ଅତିରିକ୍ତ ଯୋଗାଣ ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ସୁବର୍ଣ୍ଣପୁରର ପୂର୍ବତନ ଯୋଗାଣ ନିରୀକ୍ଷକ ଦୀପକ କୁମାର ମାଝୀ। ତେବେ ଏହିସବୁ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ରାଜ୍ୟ ଯୋଗାଣ ନିଗମ ଜିଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଥିଲା। ମାତ୍ର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେଲା ନାହିଁ। ଗତ ୨୮ ତାରିଖରେ ନିଗମର ରାଜ୍ୟ ନିର୍ଦେଶକ ଲେଖିଥିବା ଚିଠିରେ ଜିଲା ଯୋଗାଣ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ନିଗମ ମୁଖ୍ୟାଳୟରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯାଉଥିବା ନିର୍ଦେଶ ଅନୁପାଳନ ନ ହେବା ଅର୍ଥ ଦୋଷୀ ଅଧିକାରୀଙ୍କୁ ଖସାଇଦେବା ଲାଗି ସୁଯୋଗ ଦେବା ବୋଲି ବୁଝାଯିବ। ଯାହାକି ନିଗମର ସ୍ୱାର୍ଥ ପରିପନ୍ଥୀ। ପୁଣି ନିଗମ ପରିଚାଳନା ମଣ୍ଡଳୀ ସଦସ୍ୟଙ୍କ ବୈଠକରେ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିବା ଓ ତୋଷରପାତ ହୋଇଥିବା ନିଗମର ବହୁକୋଟି ଟଙ୍କା କେମିତି ମିଲର ଓ ଦୋଷୀ ଅଧିକାରୀଙ୍କ ଠାରୁ ଆଦାୟ ହେବ ସେଥିନେଇ ଅଡିଟ ରିପୋର୍ଟ ଆଧାରରେ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ନିଗମ ନିର୍ଦେଶକ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି। ଚିଠିଟିକୁ ଅତି ଜରୁରୀ ଭାବେ ବିବେଚନା କରିବାକୁ ନିଗମ ନିର୍ଦେଶକ ଦର୍ଶାଇଛନ୍ତି।

Comments are closed.