୨୦୨୩ ପୁରୁଷ ହକି ବିଶ୍ୱକପ୍ ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ନବୀକରଣକୁ ଗୁରୁତ୍ୱ

ରାଉରକେଲା: ପୁରୁଷ ହକି ବିଶ୍ୱକପ-୨୦୨୩ ଚଳିତ ଥର ଭୁବନେଶ୍ୱର ସହ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲାରେ ଆୟୋଜନ କରାଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ଆଜି ରାଉରକେଲାଠାରେ ଏ ନେଇ ରାଜ୍ୟ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ, ହକି ଇଣ୍ଡିଆର ମୁଖ୍ୟ ଓ ବୈଷୟିକ ଅଧିକାରୀଙ୍କ ସହ ରାଉରକେଲା ହାଉସରେ ସମୀକ୍ଷା ବୈଠକ ପରେ ଏ ନେଇ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଯୋଗେ ବୈଠକରେ ସାମିଲ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ। ଶ୍ରୀ ବେହେରା କହିଲେ ଅନ୍ତର୍ଜାତୀୟ ହକି ଫେଡେରେସନ, ହକି ଇଣ୍ଡିଆ ଏନେଇ ସ୍ୱୀକୃତି ପ୍ରଦାନ କରିଥିବାରୁ ରାଜ୍ୟ ସରକାର ପ୍ରଥମଥର ବିଶ୍ୱକପ ହେଉଥିବା ରାଉରକେଲାରେ ଭିତ୍ତିଭୂମି ବିକାଶ ଉପରେ ଅଗ୍ରାଧିକାର ଦେଉଛନ୍ତି। ୨୦୨୩ ଜାନୁଆରୀରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ସମୟ ପୂର୍ବରୁ ଯୋଗାଯୋଗ ବ୍ୟବସ୍ଥା, ସହରର ଭିତ୍ତିଭୂମି ଉନ୍ନତିକରଣ ପ୍ରକ୍ରିୟାକୁ ଜୋରଦାର କରାଯାଉଛି। ବର୍ତ୍ତମାନ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ୧୨ରୁ ୧୩ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ଏହାକୁ ଅଧିକ ୨୦ ହଜାର ଅର୍ଥାତ ୩୨ ହଜାର ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ରହିଛି। ଏହାସହ ଏହାର ଗ୍ୟାଲେରୀର ପାରିପାର୍ଶ୍ବିକ ବ୍ୟବସ୍ଥାର ବିକାଶ କରାଗଲେ ୫୦ ହଜାର ଦର୍ଶକ ଏହି ଖେଳ ଦେଖିପାରିବେ ବୋଲି ସେ କହିଛନ୍ତି। ଏଥିପାଇଁ ପ୍ରଶାସନିକସ୍ତରରେ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ଏବଂ ରାଜ୍ୟ ସରକାର ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱକପର ଆବଶ୍ୟକତାକୁ ଦେଖି ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ, ସହରରେ ଖେଳାଳି ଓ ଅଫିସିଆଲଙ୍କ ରହିବା ପାଇଁ ଆବଶ୍ୟକ ହୋଟେଲ ରୁମ୍‌ ସହ ଆନୁଷଙ୍ଗିକ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଉରକେଲା ସ୍ମାର୍ଟ ସିଟି ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ୨୦୨୩ ବିଶ୍ୱକପ ଦୃଷ୍ଟିରୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଉରକେଲା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସାରଦାପ୍ରସାଦ ନାୟକ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ବାସ୍ତବରୂପ ନେଇଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ସଫଳ ପଦକ୍ଷେପ ପାଇଁ ୨୦୨୩ ବିଶ୍ୱକପରେ ରାଉରକେଲାକୁ ସାରା ବିଶ୍ୱ ଦେଖିବ। ଏହା ଜିଲାବାସୀଙ୍କ ପାଇଁ ଗୌରବର ବିଷୟ ବୋଲି ଶ୍ରୀ ନାୟକ କହିଥିଲେ। ଆଜି ରାଉରକେଲାରେ ପହଞ୍ଚିଥିବା ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ଭିିନିଲ କ୍ରିଷ୍ଣା, ଇଡକୋ ପରିଚାଳନା ନିର୍ଦ୍ଦେଶକ ସଂଜୟ ସିଂ, ଅନ୍ତର୍ଜାତୀୟ ହକି ଫେଡେରେସନର ଅଧ୍ୟକ୍ଷ ତଥା ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଡକ୍ଟର ନରେନ୍ଦ୍ର ଧୃବ ବାତ୍ରା, ହକି ଇଣ୍ଡିଆର ସିଇଓ ଏଲିନା ନରିମାନ ଓ ବୈଷୟିକ ଟିମ୍‌ ବିଶ୍ୱକପ ଖେଳାଯିବାକୁ ଥିବା ସେକ୍ଟର-୫ ହକି ଷ୍ଟାଡିୟମର ସ୍ଥିତି ପରଖିଥିଲେ। ପରେ ମନ୍ତ୍ରୀ ଓ ଅଧିକାରୀ ରାଉରକେଲାର ନିର୍ମାଣଧୀନ ବିର୍ସାମୁଣ୍ଡା ଷ୍ଟାଡିୟମ ପରିଦର୍ଶନ କରି ଏହାର ଅଗ୍ରଗତିର ସମୀକ୍ଷା କରିଥିଲେ।

ସମୀକ୍ଷା ବୈଠକରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲାପାଳ ନିଖିଳପବନ କଲ୍ୟାଣ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍, ରାଉରକେଲା ଏସପି କେ ଶିବା ସୁବ୍ରମଣି, ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କାର୍ମିକ) ପ୍ରଦ୍ୟୁତ କୁମାର ଦାଶ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବସମ୍ବଳ) ରାଜବୀର ସିଂ, ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ର, ଜିଲା କ୍ରୀଡ଼ା ଅଧିକାରୀ ତେଜକୁମାର ଖେସ, ସହର ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ଅଜୟ କୁମାର ନାୟକ, କ୍ରୀଡ଼ା ବିଭାଗର ଉପମହାପ୍ରବନ୍ଧକ ବିଜୟ କୁମାର ରାଉତ, ସହାୟକ ମହାପ୍ରବନ୍ଧକ ରଘୁନନ୍ଦନ ପାଢ଼ୀ, ବରିଷ୍ଠ ହକି କୋଚ୍‌ ପିଟର ତିର୍କୀ, ରାଜୁକାନ୍ତ ସାଇନି ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ଟିମ୍‌କୁ ଅବଗତ କରିଥିଲେ। ରାଉରକେଲା ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭିତ୍ତିଭୂମି ବିକାଶ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବା ସହ ହକି ଇଣ୍ଡିଆର ବୈଷୟିକ ପରାମର୍ଶକୁ ଧ୍ୟାନ କରି ଆନୁଷଙ୍ଗିକ କାର୍ଯ୍ୟ ସମ୍ପନ୍ନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.