୨୦୨୧ ହେବ ସଂଗ୍ରାମର ବର୍ଷ

ଭୁବନେଶ୍ୱର: କୋଭିଡ଼ ମହାମାରୀ ଭିତରେ ଆସିଛି ନୂଆବର୍ଷ। ଆଶା ଓ ଆଶଙ୍କାର ଦୋଛକିରେ ୨୦୨୧କୁ ସମସ୍ତେ ସ୍ବାଗତ କରିଛନ୍ତି। କରୋନା ସଂକ୍ରମଣ ମାତ୍ରା କମିଥିଲେ ବି ବିପଦ ଟଳିନାହିଁ; ଭୂତାଣୁ କିନ୍ତୁ ଆର୍ଥିକ ଦୁର୍ଗତିକୁ ଡାକିଆଣିଛି। ସ୍ବାସ୍ଥ୍ୟକ୍ଷେତ୍ର ବିଗିଡ଼ିଛି। ବିପର୍ୟ୍ୟସ୍ତ ହୋଇପଡିଛି ଅର୍ଥନୀତି। କୋଭିଡ଼ ପରବର୍ତ୍ତୀ ସ୍ଥିତିରେ ଅର୍ଥନୀତିକୁ ସଜାଡ଼ିବା ସରକାରଙ୍କ ପାଇଁ ହେବ ବଡ଼ ଆହ୍ବାନ। ବିପର୍ୟ୍ୟସ୍ତ ଅର୍ଥନୀତି ରାଜନୀତିକୁ ବିେଶଷ ଭାବେ ପ୍ରଭାବିତ କରିବା ସମ୍ଭାବନା ବି ରହିଛି। ଏହାଛଡ଼ା ୨୦୨୧ ହେବ ଓଡ଼ିଶା ପାଇଁ ପୌର ଓ ପଞ୍ଚାୟତ ନିର୍ବାଚନର ବର୍ଷ। ତେଣୁ ପ୍ରତିକୂଳ ପରିସ୍ଥିତିରେ ଏସବୁର ମୁକାବିଲା ଉଭୟ ଶାସକ ଓ ବିରୋଧୀ ଦଳ ଗୁଡ଼ିକ ପାଇଁ ବଡ଼ ଆହ୍ବାନ ରହିବ। ନୂଆବର୍ଷ-୨୦୨୧ ସବୁ ରାଜନୈତିକ ଦଳ ପାଇଁ ହେବ ଲଢ଼େଇର ବର୍ଷ। ଇତିମଧ୍ୟରେ ଶାସକ ବିଜୁ ଜନତା ଦଳ ତା’ର ସବୁ ଛାମୁଆ ସଙ୍ଗଠନର ନବକଳେବର କରିଛି। ଦୀର୍ଘ ୨୦ ବର୍ଷ ଧରି ଶାସକ ଦଳ ବିଜେଡ଼ି ନିରଙ୍କୁଶ କ୍ଷମତାରେ ରହିଛି। ମାତ୍ର ଆଗକୁ ଦଳକୁ ଅନେକ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। କାରଣ କିଛି ବର୍ଷ ଭିତରେ ବିଶେଷ କରି ୨୦୧୯ ନିର୍ବାଚନ ପରଠୁ ରାଜ୍ୟ ରଜନୀତିରେ ବିରୋଧୀଙ୍କ ଦବ୍ଦବା ଅନେକାଂଶରେ ବଢ଼ିଛି। ଦୀର୍ଘ ବର୍ଷର ପରୀକ୍ଷା ନିରୀକ୍ଷା ପରେ ରାଜ୍ୟରେ ଜାତୀୟ ଦଳ ବିଜେପି ଏହାର ପ୍ରତିଦ୍ବନ୍ଦ୍ବୀ ଜାତୀୟ କଂଗ୍ରେସକୁ ପଛରେ ଛାଡି ବିରୋଧୀ ଦଳର ମାନ୍ୟତା ପାଇଛି। ବିଜେପି ଆଗାମୀ ଦିନ ପାଇଁ ନିଜର ସ୍ଥିତି ମଜଭୁତ କରିବାରେ ଲାଗିପଡ଼ିଛି ଓ ପ୍ରତିଟି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗୁଛି। ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ଉପନିର୍ବାଚନ ପର୍ୟ୍ୟନ୍ତ ନିଜର ପତିଆରା ରକ୍ଷା କରିପାରି ନଥିବା କଂଗ୍ରେସ ଭବିଷ୍ୟତ ପାଇଁ ସଙ୍ଗଠନ ସୁଧାରିବା ପ୍ରକ୍ରିୟା ଆରମ୍ଭ କରିଛି।

ତେବେ ୨୦୨୪ରେ ସାଧାରଣ ନିର୍ବାଚନ ଥିଲେ ହେଁ ଏହା ପୂର୍ବରୁ ୨୦୨୧ର ପୌର ଓ ପଞ୍ଚାୟତ ନିର୍ବାଚନ ସବୁ ଦଳ ପାଇଁ ହେବ ଅଗ୍ନିପରୀକ୍ଷା। ଏହାକୁ ଦୃଷ୍ଟିରେ ରଖି ସବୁ ଦଳ ଏବେଠାରୁ ପାଗ ଭିଡ଼ିବା ଆରମ୍ଭ କରିଛନ୍ତି। ନୂଆବର୍ଷ ପାଇଁ ଗାଁରୁ ସହର ସବୁଠି ସ୍ବାଗତମ ଓ ଅଭିନନ୍ଦନର ବଡ଼ ବଡ଼ ହୋର୍ଡ଼ିଂ ଲଗାଯିବା କାମ ଚାଲିଛି।

ରାଜନୈତିକ ଛକାପଞ୍ଝା ଭିତରେ ଶାସକ ଦଳର ସବୁ ଦୁର୍ବଳତା ବିରୋଧୀ ପଦାକୁ ଆଣିବାର ଯୋଜନାରେ ଅଛନ୍ତି। ଏହାକୁ ପ୍ରତିହତ କରିବା ପାଇଁ ବି ଶାସକ ଦଳ ଏବେ ପ୍ରସ୍ତୁତ ହେଉଛି। ବିେଶଷ କରି ରାଜ୍ୟ ସରକାର ନିଜର ବିକାଶମୂଳକ କାର୍ୟ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାର ପ୍ରେଚେଷ୍ଟାରେ ରହିଛି।

କୋଭିଡ଼ ପରବର୍ତ୍ତୀ ସ୍ଥିତିରେ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ବନ ହେଲା ଅର୍ଥନୀତିକୁ ସୁଧାରିବା। ଲକଡାଉନ ଓ ସଟଡ଼ାଉନ ଭିତରେ ଅନେକ ନିଯୁକ୍ତି ହରାଇଛନ୍ତି। ଲକ୍ଷାଧିକ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିବା ଦ୍ବାରା ସେମାନଙ୍କୁ ଥଇଥାନ ଓ ଜୀବିକା ଯୋଗାଇବା ବି ମୁସ୍କିଲ ହୋଇପଡ଼ିଛି।
ଅର୍ଥନୀତି ମାନ୍ଦାସ୍ଥିତିରେ ପହଞ୍ଚିବାରୁ ଆର୍ଥିକ ବର୍ଷ ଆରମ୍ଭରୁ ଦୀର୍ଘ ୬ ମାସ କାଳ ରାଜସ୍ବ ସଂଗ୍ରହ କମିଛି। ଅର୍ଥ ବିଭାଗ ରିପୋର୍ଟ ଅନୁସାରେ ନଭେମ୍ବରଠାରୁ ଅର୍ଥନୀତି ସଳଖିଛି ଏବଂ ରାଜସ୍ବ ସଂଗ୍ରହରେ ସାମାନ୍ୟ ଉନ୍ନତି ଘଟିଛି। ମାତ୍ର ସରକାର ବଜେଟରେ ବିକାଶର ଯେଉଁ ନକ୍ସା ଆଙ୍କିଥିଲେ ତାହା ଫଳବତୀ ହୋଇପାରିନି।

ରାଜ୍ୟର ଆର୍ଥିକ ସ୍ଥିତି କହୁଛି ସରକାର ସାଧାରଣ ବଜେଟ ଓ ଅତିରିକ୍ତ ବଜେଟରେ ପ୍ରାୟ ୧ଲକ୍ଷ ୬୧କୋଟି ଟଙ୍କାରୁ ଅଧିକ ବ୍ୟୟବରଦ କରିଥିଲେ। ହେଲେ ଗତ ୮ମାସରେ ଖର୍ଚ୍ଚ ହୋଇଛି ମାତ୍ର ୬୦ହଜାର କୋଟି ଟଙ୍କା । ଆର୍ଥିକ ବର୍ଷର ଶେଷ ୪ ମାସରେ ଅବଶିଷ୍ଟ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବା ଏକ ବଡ଼ ଆହ୍ବାନ।

କୋଭିଡ଼ ଭଳି ପ୍ରତିକୂଳ ସ୍ଥିତିରେ ରାଜ୍ୟରେ ଗତ ୪ ମାସ ଭିତରେ ବିଭିନ୍ନ ଘରୋଇ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ୧.୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏମଏସଏମଇ ପାଇଁ ବଡ଼ ପ୍ୟାକେଜ ଘୋଷଣା କରାଯାଇ ଉଦ୍ୟୋଗ ବିକାଶ ଓ ଜିବୀକାର୍ଜନ ପନ୍ଥା ବାହାର କରିବାର ପ୍ରୟାସ ହୋଇଛି; କିନ୍ତୁ ବାସ୍ତବରେ ଏହା ଦାନାବାନ୍ଧିବାକୁ ସମୟ ଲାଗିବ। ଏସବୁ ଯୋଜନାରେ ନିକଟ ଭବିଷ୍ୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନ କ୍ଷୀଣ। ତେଣୁ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଲାଗି ରାଜସ୍ବ ସଂଗ୍ରହ ତ୍ବରାନ୍ବିତ କରିବା ଓ ଜୀବନଜିବୀକାର ଚିତ୍ର ବଦଳାଇବା ପାଇଁ ରାଜ୍ୟ ସରକାରଙ୍କୁ ଦୀର୍ଘ ସମୟ ଲାଗିଯାଇପାରେ।

କୋଭିଡ଼ କାଳରେ ରାଜ୍ୟରେ ବେକାରୀ ସଂଖ୍ୟା ୧୦ ପ୍ରତିଶତରୁ ବଢ଼ି ୨୪ ପ୍ରତିଶତରେ ପହଞ୍ଚିଲାଣି। ଶିକ୍ଷିତ ବେକାରଙ୍କ ପାଇଁ ରୋଜଗାର ଏବେ ସବୁଠୁ ବଡ଼ ପ୍ରଶ୍ନ। ତେଣୁ ରାଜ୍ୟ ସରକାର ଏସବୁକୁ ମୁକାବିଲା କରିବା କ୍ଷେତ୍ରରେ ଆଗକୁ ବଡ଼ ସଙ୍କଟ ସମ୍ନା କରିପାରନ୍ତି। ରାଜସ୍ବ ସଂଗ୍ରହ କମିବା ସାଙ୍ଗକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଛି। ସେପଟେ ଜିଏସଟି କ୍ଷତିଭରଣା ଅର୍ଥ ମଧ୍ୟ କମି କମି ଯାଉଛି। ସରକାରଙ୍କ ପାଇଁ ଏବେ ଭରସା ହେଉଛି ଖଣି ଓ ଅବକାରୀ ରାଜସ୍ବ। ହେଲେ ଏଥିରେ ଆଶ୍ବସ୍ତ ହେବାର କାରଣ ନାହିଁ ା କାରଣ ଇତିମଧ୍ୟରେ ରାଜ୍ୟରେ ଋଣ ଭାର ୧ଲକ୍ଷ କୋଟି ଟଙ୍କା ଟପିଗଲାଣି ଓ ଆଗାମୀ ଦିନରେ ଅଧିକ ଋଣ ନକଲେ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ତଥାପି ଚଳିତବର୍ଷ ଭଲ ଖରିଫ ଅମଳର ସମ୍ଭାବନା ରହିଛି। ଏସବୁ ଦିଗ ବିଚାରକୁ ନେଇ ସରକାର ୨୦୨୧ରେ ଯୋଜନା ଓ ବିକାଶ ନକ୍ସାରେ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି।

Comments are closed.