ଦୁଇଟି ପର୍ଯ୍ୟାୟରେ ହେବ ୨୦୨୧ ଜନଗଣନା

ନୂଆଦିଲ୍ଲୀ : ୨୦୨୧ ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବା ବିଷୟରେ ବୁଧବାର ରାଜ୍ୟସଭାରେ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଏକ ଦେଶବ୍ୟାପୀ ବାସଗୃହ ତାଲିକା ପ୍ରସ୍ତୁତ ଓ ବାସଗୃହ ଗଣନା ୨୦୨୧ ଏପ୍ରିଲ୍‍ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ କରାଯିବ। ଏହାପରେ ୨୦୨୨ ଫେବୃୟାରୀ ୯ ତାରିଖରୁ ଫେବୃୟାରୀ ୨୮ ତାରିଖ ମଧ୍ୟରେ ଦ୍ୱିତୀୟ
ପର୍ଯ୍ୟାୟରେ ଜନଗଣନା କରାଯିବ। ଜନଗଣନା ସଂଶୋଧନ କାର୍ଯ୍ୟ ତାହା ପରବର୍ଷ ମାର୍ଚ୍ଚ ପହିଲାରୁ ମାର୍ଚ୍ଚ ୫ ତାରିଖ ମଧ୍ୟରେ କରାଯିବ; କିନ୍ତୁ ଦେଶର ବରଫ ପଡ଼ୁଥିବା ଜମ୍ମୁ-କାଶ୍ମୀର, ଲଦାଖ୍‍, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଜନଗଣନା ସେପ୍ଟେମ୍ବର ୧୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ କରାଯିବ ଓ ସଂଶୋଧନ କାର୍ଯ୍ୟ ସେହିବର୍ଷ ଅକ୍ଟୋବର ପହିଲାରୁ ୫ ତାରିଖ ମଧ୍ୟରେ କରାଯିବ। ଆସାମ ବ୍ୟତୀତ ବାକି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବାସଗୃହ ତାଲିକା ପ୍ରସ୍ତୁତ ଓ ବାସଗୃହ ଗଣନା ସହିତ ଜାତୀୟ ଜନସଂଖ୍ୟା ପଞ୍ଜିକା – ଏନ୍‍.ପି.ଆର୍‍.ରେ ସଂଶୋଧନ କରାଯିବ। ଗୃହରେ ସରକାର କହିଛନ୍ତି, ଜାତୀୟ ଜନସଂଖ୍ୟା ପଞ୍ଜିକା ୨୦୧୦ରେ ପ୍ରଥମ ଥରପାଇଁ ପ୍ରସ୍ତୁତ କରାଯାଇଥିଲା ଓ ୨୦୧୫ରେ ଏଥିରେ ସଂଶୋଧନ ଅଣାଯାଇଥିଲା। ଜାତୀୟ ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତିକୁ ନେଇ ଚିନ୍ତା ପ୍ରକଟ କରୁଥିବା ରାଜ୍ୟଗୁଡ଼ିକ ସହ କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି।

Comments are closed.