ଦକ୍ଷିଣ ରାଉରକେଲା ପାଇଁ ୨୦୨୦ ଥିଲା ‘ଦୁର୍ଘଟଣା’ର ବର୍ଷ

ସାରନଗରୀ: ୨୦୨୦ରେ ଦକ୍ଷିଣ ରାଉରକେଲାରେ ଘଟିଥିଲା ବହୁ ଘଟଣା, କିଛି  ଅଘଟଣ ଅର୍ଥାତ ଦୁର୍ଘଟଣା। ୨୦୨୦ର ଏହି ମହାମାରୀ ବର୍ଷ ଦକ୍ଷିଣ ରାଉରକେଲା ପାଇଁ ଥିଲା ଏକ ‘ଦୁର୍ଘଟଣା’ର ବର୍ଷ। ୨୦୨୦ର ପ୍ରଥମ ମାସ ଜାନୁଆରୀ ଓ ଚଳିତ ଡିସେମ୍ବରରେ ଦକ୍ଷିଣ ରାଉରକେଲା ନିକଟ ଜାତୀୟ ରାଜପଥ ରକ୍ତ ରଂଜିତ ହୋଇଥିଲା। ଏହି ମହମାରୀ ବର୍ଷରେ ଦକ୍ଷିଣ ରାଉରକେଲାରେ ଅପରାଧ କଳା ଫର୍ଦ୍ଦ କିଛିଟା କମିଥିଲା ବେଳେ ଜାତୀୟ ରାଜପଥ-୧୪୩ ଓ ଅନ୍ୟ ରାସ୍ତା ଗୁଡ଼ିକରେ ବଢିଥିଲା ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ  କିଛି ପରିବାର ନିଜ ପ୍ରିୟଜନକୁ ହରାଇ ହୋଇ ଉଠିଥିଲେ ଶୋକାକୁଳ। ଦକ୍ଷିଣ ରାଉରକେଲାର ଜାତୀୟ ରାଜପଥ ଓ ଅନ୍ୟ ରାସ୍ତାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଚାଲିଯାଇଥିଲା କିଛି ମୂଲ୍ୟବାନ ଜୀବନ। ଗତ ଜୁନ ୨୮ ତାରିଖରେ ସଂଘଟିତ ଏକ ସଡ଼କ ଦୁର୍ଘଟଣା ନେଇଥିଲା ଜଣେ ଆଦିବାସୀ ମହିଳା ଶ୍ରମିକଙ୍କ ଜୀବନ।  ସେତେବେଳେ ମୃତ ମହିଳା ଶ୍ରମିକଙ୍କ ମୃତ୍ୟୁକୁ ନେଇ ତୁମ୍ବିତୋଫାନ ଉଠିଥିଲା, ଯାହାକି ଚର୍ଚ୍ଚାର ଘେରରେ ରହିଥିଲା।

ସେହିପରି ୨୦୨୦ରେ ସଡ଼କ  ଦୁର୍ଘଟଣାରେ  କିଛି  ଗୁରୁତର ଓ ଆହତ ହୋଇଥିଲେ। ସେହିପରି ବର୍ଷ ଆରମ୍ଭରେ ଏକ ବସ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିଲେ  ଗତ ଜାନୁଆରୀ ୨୨ ତାରିଖରେ ଜାତୀୟ ରାଜପଥ- ୧୪୩ରେ ଘଟିଥିଲା ଭୟାବହ ଦୁର୍ଘଟଣା । ଯାହାକି ସମସ୍ତଙ୍କ ଛାତିକୁ ଥରାଇ ଦେଇଥିଲା । ଯାତ୍ରୀବାହୀ ‘ପାର୍ବତୀ’ ବସ ପ୍ରାୟ ୪୫ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ଟେନସା ଅଭିମୁଖେ ଯାଉଥିଲାବେଳେ ଠିକ ଜଲଦା ଫାଣ୍ଡି ସମ୍ମୁଖରେ ଏକ ହାଇୱା ଚାଳକ ଗାଡ଼ି ପଛକୁ ନେଉଥିବା ସମୟରେ ଯାତ୍ରିବାହୀ ବସ ସହିତ ଧକ୍କା ହୋଇଥିଲ। ଫଳରେ ବସଟି ଭାରସାମ୍ୟ ସମ୍ଭାଳି ନପାରି ପାଖରେ ଥିବା ପୋଲ ତଳକୁ ଖସି ପଡ଼ିଥିଲା । ବସର ଚାଳକ ଜଗନ୍ନାଥ ପ୍ରଧାନ, ହେଲପରଙ୍କ ସମେତ ଯାତ୍ରୀମାନେ ତଳକୁ ଛିଟିକି ପଡ଼ି ଗୁରୁତର ଆହତ ହେବା ସହ ୧୫ଜଣ ବସଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହେବା ଘଟଣା ଦକ୍ଷିଣ ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଦୁର୍ଘଟଣାର  ଘଟିବାର ତିନି ଦିନ ପୂର୍ବରୁ  ଏହି ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।

ସେହିପରି ଚଳିତ ମାସ ଡିସେମ୍ବର ୨୭ ତାରିଖରେ ଜାତୀୟ ରାଜପଥ-୧୪୩ରେ ଘଟିଥିଲା ଏକ ବସ ଦୁର୍ଘଟଣା । ଲାଠିକଟାରୁ ରାଉରକେଲା ଅଭିମୁଖେ ଯାତ୍ରା କରୁଥିବା ‘ମା’ ତାରିଣୀ’ ନାମକ ଏକ ଯାତ୍ରୀବାହୀ ବସ୍ ବାଲୁଘାଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏହି ଦୁର୍ଘଟଣାରେ ଏଥିରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଥିଲା ।  ସେହିପରି ଗତ ଫେବୃୟାରୀ ୨୧ ତାରିଖରେ ଯାତ୍ରୀବାହୀ ବସ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ସେହିପରି ଫେବୃଆରୀ ୪ ତାରିଖରେ  ଚିନ୍ମୟ  ପବ୍ଲିକ ସ୍କୁଲ ବସକୁ ଦେଓଗାଁ ଠାରେ ଧକ୍କା ଦେଇଥିଲା ଟ୍ରକ, ଏହି ଦୁର୍ଘଟଣାରେ ଟ୍ରକର ଖଲାସୀ ଶ୍ରାବଣ ଭୂମିଜ ଗୁରୁତର ଭାବେ ଆହତ ହୋଇଥିଲେ । ଗତ ଜୁନ ୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ବଲାଣି ଅଂଚଳରେ ରହୁଥିବା ମାଙ୍ଗି ଏକ୍କା (୩୫) ଏକ ସାଇକେଲରେ ରାଉରକେଲାକୁ କାମକୁ ଯାଉଥିବା ବେଳେ, ଠିକ ସେହି ସମୟରେ ୧୦ ଚକିଆ ହାଇୱା ବନ୍ଧମୁଣ୍ଡା ଫଟାପାଇପ ଆଡକୁ ଯାଉଥିବା ବେଳେ ତରକେରା ନିକଟସ୍ଥ କୁଷ୍ଠ ବସ୍ତି ବୁଲାଣିରେ ସାଇକେଲ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଉଡ଼ି ଯାଇଥିଲା ମାଙ୍ଗିର ପ୍ରାଣ ବାୟୁ । ପୁଲିସ ହାଇୱାର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦକ୍ଷିଣ ରାଉରକେଲା ସଂଲଗ୍ନ  ଜାତୀୟ ରାଜପଥ-୧୪୩ ଓ ଦକ୍ଷିଣ ରାଉରକେଲାର ସାରନଗରୀ ସମେତ ଅନ୍ୟ ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟି ମୋଟ ୩୫ ଜଣ ଆହତ ହୋଇଥିଲେ ।

Comments are closed.