ମହାଶକ୍ତି ଭାରତ……. ପଢନ୍ତୁ ସମ୍ପୂର୍ଣ୍ଣ ଖବର

ବର୍ଷ ୨୦୧୯ ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ପ୍ରାରମ୍ଭରୁ ଯେତିକି ଦୁଃଖ, ଆଶଙ୍କା ଓ ଆହ୍ବାନ ଆଣିଥିଲା ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ କ୍ଷେତ୍ରରେ ଏହାକୁ ସେତିକି ପ୍ରଶଂସା ଓ ସମ୍ମାନ ପ୍ରଦାନ କରିଛି। ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବାର ଦୁଃଖ ଭିତରେ ଭାରତ ମାର୍ଚ୍ଚ ୨୭ରେ ମହାକାଶରେ ଘୂରିବୁଲୁଥିବା ଏକ ଅଚଳ ଉପଗ୍ରହକୁ ବିଧ୍ବଂସ କରି ପୁଣିଥରେ ବିଶ୍ବକୁ ଚକିତ କରିଥିଲା। ଏଥିସହ ଏହା ପାଲଟିଥିଲା ଅନ୍ତରୀକ୍ଷରେ ମହାଶକ୍ତି। ବିଶ୍ବ ନିରାପତ୍ତା ଦିଗରେ ବୃହତ ଆହ୍ବାନ ସୃଷ୍ଟି କରିଥିବା ଆତଙ୍କବାଦକୁ ଭାରତୀୟ ସେନା ନିରନ୍ତର ଦୃଢତାର ସହିତ ଦମନ କରିଆସିଛି। ଏମିତି କିଛି ଅଦମ୍ୟ ସାହସିକ ପଦକ୍ଷେପ ଓ ସଫଳତା ଦ୍ବାରା ଇତିହାସକୁ ସମୃଦ୍ଧ କରିଥିବା ଭାରତୀୟ ପ୍ରତିରକ୍ଷା ବିଭାଗର ବୃତ୍ତାନ୍ତ ସଂକ୍ଷେପରେ …

ପୁଲୱାମାରୁ ବାଲାକୋଟ :  ଫେବୃଆରୀ ୧୪ରେ ପୁଲୱାମାରେ ଘଟିଥିଲା ଏକ ଆତ୍ମଘାତୀ ଆକ୍ରମଣ। ପାକିସ୍ତାନ ମାଟିରେ ପ୍ରତିପାଳିତ ଆତଙ୍କବାଦୀ ସଂଗଠନ ତଥା ପୁଲୱାମା ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜୈସ-ଇ-ମହମ୍ମଦର ଏକ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣ ଦ୍ବାରା ଘଟାଇଥିଲା ନରସଂହାର। ଚାହୁଁଚାହୁଁ ପାଣି ଫୋଟକା ପରି ଚାଲିଯାଇଥିଲା ୪୦ ଯବାନଙ୍କ ଜୀବନ। ଏହିଘଟଣା ପରେ ଆତଙ୍କବାଦୀଙ୍କ ଔଦ୍ଧତ୍ୟ ଚରମସୀମା ଲଙ୍ଘିଥିଲା। ସହିଦ ଯବାନଙ୍କ ପରିବାର ଆଖିରୁ ଲୁହ ଶୁଖିବା ପୂର୍ବରୁ ଭାରତୀୟ ବାୟୁ ସେନା ଫେବୃଆରୀ ୨୬ରେ ରାତିଅଧିଆ ସୀମା ଲଙ୍ଘି ପ୍ରବେଶ କରିଥିଲା ପାକିସ୍ତାନ କ୍ଷେତ୍ର ମଧ୍ୟରେ; ଆଉ ବାଲାକୋଟରେ ରଚିଥିଲା ବିଧ୍ବଂସର ଲୀଳା। ଜୈସ-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଧୂଳିସାତ୍‌ କରିଥିଲେ ଭାରତୀୟ ବାୟୁସେନାର ପରାକ୍ରମୀ ପାଇଲଟ। ଭାରତର ଏହି ପଦକ୍ଷେପରେ ସ୍ତମ୍ଭୀଭୂତ ହୋଇପଡିଥିଲା ପାକିସ୍ତାନ ସମେତ ସମଗ୍ର ବିଶ୍ବ। ପରଦିନ ଅର୍ଥାତ ଫେବୃଆରୀ ୨୭ ସକାଳେ ପ୍ରତିଶୋଧ ପରାୟଣ ପାକିସ୍ତାନ ବାୟୁସେନାର ବିମାନ ଯେତେବେଳେ ଭାରତୀୟ ସୀମା ଉଲ୍ଲଙ୍ଘନ ଉଦ୍ୟମ କଲା ସେତେବେଳେ ଭାରତର ପାଇଲଟମାନେ ବୀରତ୍ବର ସହିତ ସେଗୁଡିକୁ ଘଉଡାଇ ସୀମା ସେପଟକୁ ପଠାଇଦେଇଥିଲେ। ଅବଶ୍ୟ ଏହି କାର୍ଯ୍ୟାନୁଷ୍ଠାନ ବେଳେ ଭାରତକୁ ଏହାର ଜଣେ ସାହସୀ ପାଇଲଟ ଓ ଏକ ଲଢୁଅା ବିମାନ ହରାଇବାକୁ ପଡିଥିଲା। ଅନ୍ୟପଟେ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରିବା ପରେ ନିଜ ବିମାନରେ ନିଆଁ ଲାଗିଯିବାରୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ଭାରତୀୟ ପାଇଲଟ ସ୍କ୍ବାଡ୍ରନ ଲିଡର ଅଭିନନ୍ଦନ ବର୍ତ୍ତମାନ। ପାରାଚୁଟରୁ ଲମ୍ଫ ପ୍ରଦାନ ପରେ ପାକ ଅଧିକୃତ କାଶ୍ମୀର(ପିଓକେ)ରେ ଖସିପଡିଥିଲେ ସେ। ଭାରତର ପ୍ରବଳ ଚାପ ପରେ ଅଭିନନ୍ଦନଙ୍କୁ ଭାରତକୁ ଫେରାଇବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ।

ଅନ୍ତରୀକ୍ଷ ମହାଶକ୍ତି : ମାର୍ଚ୍ଚ ୨୭ରେ ଭାରତୀୟ ବୈଜ୍ଞାନିକମାନେ ଅନ୍ତରୀକ୍ଷର ‘ଲୋ ଆର୍ଥ ଅର୍ବିଟ’ରେ ୩୦୦ କିଲୋମିଟର ଦୂରରେ ଘୂରିବୁଲୁଥିବା ଏକ ଉପଗ୍ରହକୁ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ଏ-ସାଟ କ୍ଷେପଣାସ୍ତ୍ର ମାତ୍ର ତିନି ମିନିଟ୍‌ ମଧ୍ୟରେ ଧ୍ବଂସ କରାଇଥିଲେ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ବୈଜ୍ଞାନିକମାନେ ‘ମିଶନ ଶକ୍ତି’ ଯୋଜନା ଅଧୀନରେ ଏହି ସଫଳତା ହାସଲ କରିଥିଲେ। ଏହାଦ୍ବାରା ଆମେରିକା, ଚୀନ ଓ ରୁଷ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବେ ଅନ୍ତରୀକ୍ଷ ପ୍ରତିରକ୍ଷା ସାମର୍ଥ୍ୟ ହାସଲ ପୂର୍ବକ ଯେକୌଣସି ସନ୍ଦିଗ୍ଧ ଉପଗ୍ରହକୁ ଧ୍ବଂସ କରିବାର କ୍ଷମତା ଲାଭ କରିଥିଲା।

 

ମହାକାଶରୁ ସୀମା ଉପରେ ରଖିବ ନଜର : ଭାରତ ଏଣିକି ମହାକାଶରୁ ଦେଶର ସୀମା ଉପରେ ନଜର ରଖିବ। ଏଥିନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ୩ଟି ନିରୀକ୍ଷଣକାରୀ ଉପଗ୍ରହ କାର୍ଟୋସାଟ୍‌-୩, ରିସାଟ୍‌-୨ବିଆର୍‌-୧ ଓ ରିସାଟ୍‌-୨ବିଆର୍‌-୨ ମହାକାଶକୁ ପ୍ରେରଣ କରାଯାଇଛି। ୪୪.୪ ମିଟର ଉଚ୍ଚ କାର୍ଟୋସାଟ-୩ ଭାରତର ସବୁଠାରୁ ଜଟିଳ ଓ ଅତ୍ୟାଧୁନିକ ଅବଲୋକନକାରୀ ଉପଗ୍ରହ। ୬୨୮ କିଲୋଗ୍ରାମ ଓଜନର ରିସାଟ୍‌-୨ବିଆର୍‌-୧ ରେ ଏକ୍ସ-ବ୍ୟାଣ୍ଡ ସିନ୍ଥେଟିକ ଆପେର୍ଚର ରାଡାର ରହିଛି ଯାହା ଦିନ/ରାତି ନିରନ୍ତର କାମ କରିବ।

ସେନା ଅସ୍ତ୍ରାଗାରରେ ନୂତନ ଅସ୍ତ୍ରଶସ୍ତ୍ର-

ଡୋର୍ନିୟର ଏୟାର୍‍କ୍ରାଫ୍ଟ ସ୍କ୍ୱାଡ୍ରନ୍‍: ଭାରତୀୟ ନୌବାହିନୀ ଏୟାର ସ୍କ୍ୱାଡ୍ରନ (ଆଇଏନଏଏସ) ୩୧୪କୁ ୨୦୧୯ ନଭେମ୍ବର ୨୯ରେ ଗୁଜରାଟ ଉପକୂଳସ୍ଥ ପୋରବନ୍ଦର ଅନ୍ତର୍ଗତ ନାଭାଲ ଏୟାର୍‍ ଏନକ୍ଲେଭ୍‍ଠାରେ ନୌବାହିନୀରେ ସାମିଲ କରାଯାଇଥିଲା। ଏହା ହେଉଛି ଷଷ୍ଠ ଡୋର୍ନିୟର ଏୟାରକ୍ରାଫ୍ଟ ସ୍କ୍ୱାଡ୍ରନ ଯାହା ଡୋର୍ନିୟର ଯୁଦ୍ଧ ବିମାନକୁ ବ୍ୟବହାର କରିବ। ଏହାଦ୍ବାରା ସାମୁଦ୍ରିକ ନିରାପତ୍ତା ସୁଦୃଢ ହେବା ସହିତ ଉତ୍ତର ଆରବ ସାଗରରେ ଭାରତର ନିରୀକ୍ଷଣ କ୍ଷମତା ବୃଦ୍ଧି ପାଇଛି।

 

ଏଲଓସିରେ ‘ଫାୟାର ଏଣ୍ଡ ଫରଗେଟ’ କ୍ଷେପଣାସ୍ତ୍ର: ଭାରତୀୟ ସେନାବାହିନୀ ପକ୍ଷରୁ ନଭେମ୍ବରରେ ଇସ୍ରାଏଲ ନିର୍ମିତ ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ ସ୍ପାଇକ କ୍ଷେପଣାସ୍ତ୍ର ‘ଫାୟାର ଏଣ୍ଡ ଫରଗେଟ୍‌’କୁ ସୀମାରେ ମୁତୟନ କରାଯାଇଛି। ୪ କିଲୋମିଟର ଦୂରତା ମଧ୍ୟରେ ଟ୍ୟାଙ୍କ ଏବଂ ବଙ୍କରଗୁଡ଼ିକୁ ଧ୍ୱଂସ କରିବାର କ୍ଷମତା ଏହାର ରହିଛି।

ବ୍ରହ୍ମୋସ: ନଭେମ୍ବର ୨୮ରେ ଭାରତୀୟ ନୌସେନା ଭୁପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିପାରୁଥିବା ସୁପର ସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ କରିଥିଲା। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରେ।

ପୃଥ୍ବୀ-୨: ଭାରତ ନଭେମ୍ବର ୨୧ରେ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଥିଲା। ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷା ଘାଟିରୁ ଏହାକୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତକ୍ଷେପଣ କରାଯାଇଥିଲା। ଏହାଥିଲା ପୃଥ୍ବୀ-୨ର ଦ୍ବିତୀୟ ରାତ୍ରିକାଳୀନ ପରୀକ୍ଷା। ନଭେମ୍ବର ୧୭ରେ ଏହାର ପ୍ରଥମ ରାତ୍ରିକାଳୀନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

 

ରାଫେଲ ଯୁଦ୍ଧ ବିମାନ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର ୭ରେ ଫ୍ରାନ୍ସ ଗସ୍ତ କରି ଭାରତ ପାଇଁ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ ଅଧିଗ୍ରହଣ ପ୍ରକ୍ରିୟା ସମ୍ପାଦିତ କରିଥିଲେ। ଗୋଟିଏ ସମୟରେ ଏକାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ବହନ କରୁଥିବା ଏହି ବିମାନ ଦ୍ବାରା ଆକାଶରୁ ଆକାଶକୁ ଓ ଆକାଶରୁ ଭୂମିକୁ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇପାରିବ। କାରଗିଲ ଯୁଦ୍ଧ ପରେ ଭାରତୀୟ ବାୟୁ ସେନାର ଆକ୍ରମଣ କ୍ଷମତା ବୃଦ୍ଧି କରାଇବାର ଆବଶ୍ୟକତା ରହିଥିଲା।

 

ଅସ୍ତ୍ର: ଡିଆରଡିଓ ଓଡ଼ିଶାର ଚାନ୍ଦିପୁରଠାରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ର (ବିୟୋଣ୍ଡ ଭିଜୁଆଲ ରେଞ୍ଜ ଏୟାର-ଟୁ-ଏୟାର ମିଜାଇଲ)ର ୫ଟି ସଫଳ ପରୀକ୍ଷା କରିଛି। ସେପ୍ଟେମ୍ବର ୧୬ରୁ ୧୯ ମଧ୍ୟରେ ଏହି ପରୀକ୍ଷାଗୁଡିକ ଅନୁଷ୍ଠିତ ହୋଇଥିଲା। ଏହା ୧୦୦୦ କିଲୋମିଟରରୁ ଅଧିକ ଦୂର ଅତିକ୍ରମ କରିବାର କ୍ଷମତା ରଖେ।

 

ନିର୍ଭୟ: ଏପ୍ରିଲ ୧୫ରେ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ବିତ ଘାଟୀରୁ ଦୂରଗାମୀ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷା କରାଯାଇଥିଲା। ଏହା ଭାରତର ପ୍ରଥମ ସ୍ବଦେଶର ଜ୍ଞାନ କୌଶଳରେ ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର। ଏହା ୧୦୦୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରେ।

ଚିନୁକ ହେଲିକପ୍ଟର: ଭାରତ ମାର୍ଚ୍ଚ ୨୫ରେ ୪ଟି ଅତ୍ୟାଧୁନିକ ଚିନୁକ ହେଲିକପ୍ଟରକୁ ବାୟୁସେନାରେ ସାମିଲ କରିଛି। ଚିନୁକ ସିଏଚ୪୭୧ ହେଲିକପ୍ଟର ଏକ ଏଣ୍ଡୱସଡ ମଲଟି ମିସନ ହେଲିକପ୍ଟର ଯାହାକୁ ସେନା ଅଭିଯାନ ବେଳେ ଉଭୟ ଦିନ ଓ ରାତିରେ ମଧ୍ୟ ଉପଯୋଗ କରାଯାଇପାରିବ। ଏକାଥରକେ ବହୁ ସଂଖ୍ୟକ ସୈନ୍ୟ, ଓଜନିଆ ମେସିନ, ବନ୍ଧୁକ ଓ ଖୁବ ଉଚ୍ଚତାରୁ ବ୍ୟବହାର କରାଯାଉଥିବା ଅସ୍ତ୍ରଶସ୍ତ୍ର ଭଳି ପ୍ରାୟ ୨୩.୦୦୦ କିଲୋଗ୍ରାମ ଓଜନର ଯୁଦ୍ଧ ସାମଗ୍ରୀ ପରିବହନ କରିବାର କ୍ଷମତା ଏଥିରେ ରହିଛି।

ଭାଇସ-ଆଡମିରାଲ କରମବୀର ସିଂହ ନୌସେନାର ମୁଖ୍ୟ ନିଯୁକ୍ତ : ଭାରତୀୟ ନୌସେନାର ମୁଖ୍ୟ ଭାବେ ପୂର୍ବାଞ୍ଚଳ ନୌସେନା କମାଣ୍ଡ ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ (ଏଫ୍‌ଓସି-ଇନ୍‌-ସି) ଭାଇସ ଆଡମିରାଲ କରମବୀର ସିଂହ ଚଳିତବର୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନ୍‌ବା ମେ’ ୩୧ରେ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଭାଇସ ଆଡମିରାଲ ସିଂହଙ୍କୁ ଦାୟିତ୍ବ ଦିଆଯାଇଥିଲା।

ବାୟୁସେନାର ପ୍ରଥମ ମହିଳା ଫ୍ଲାଇଟ ଇଞ୍ଜିନିୟର :୨୦୧୯ ଫେବୃଆରୀ ୧୫ରେ ଭାରତୀୟ ବାୟୁସେନାର ପ୍ରଥମ ଫ୍ଲାଇଟ ଇଞ୍ଜିନିୟର ହେବାର ଗୌରବ ଲାଭ କରିଛନ୍ତି ହିନା ଜୟସ୍ବାଲ। ୟେଲାହଙ୍କାର ବାୟୁସେନା ଘାଟିର ୧୧୨ ହେଲିକପ୍ଟର ୟୁନିଟଠା​‌େ​‌ର ନିଜର ପ୍ରଶିକ୍ଷଣ ସମାପ୍ତ କରି ସେ ଏହି ଗୌରବ ଲାଭ କରିଛନ୍ତି। ୬ ମାସର ପ୍ରଶିକ୍ଷଣ ବେଳେ ସେ ପୁରୁଷ ସହପାଠୀଙ୍କ ଅପୁରୂପ କଡ଼ା ପ୍ରଶିକ୍ଷଣ ନେଇଥିଲେ।

ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ : ଭାରତୀୟ ବାୟୁସେନା ପରେ ଚଳିତବର୍ଷ ନଭେମ୍ବରରେ ନୌସେନାକୁ ଏହାର ପ୍ରଥମ ମହିଳା ପାଇଲଟ ମିଳିଥିଲା। ବିହାର ବାସିନ୍ଦା ଶିବାଙ୍ଗୀ ସ୍ବରୂପଙ୍କୁ ଡିସେମ୍ବର ୪ରେ ନୌସେନା ଦିବସ ଅବସରରେ ବ୍ୟାଜ ଲଗାଯାଇଥିଲା। ଶିବାଙ୍ଗୀ କୋଚ୍ଚିରେ ନୌସେନା ଅପରେସନ ଡ୍ୟୁଟିରେ ସାମିଲ ହୋଇ ଫିକ୍ସଡ୍-ୱିଙ୍ଗ ଡାର୍ନିୟର ସର୍ବିଲାନ୍ସ ବିମାନ ଉଡାଇବାର ଦାୟିତ୍ବ ଲାଭ କରିଛନ୍ତି।

ଭାରତକୁ ୭୧ ହଜାର କୋଟି ଟଙ୍କାର ନୌସେନା ତୋପ ବିକିବ ଆମେରିକା : ଆମେରିକା ଭାରତକୁ ୭୧ ହଜାର କୋଟି ଟଙ୍କାର ଏମକେ-୪୫ ନୌସେନା ତୋପ ବିକ୍ରି କରିବ। ଏଥିନେଇ ଟ୍ରମ୍ପ ପ୍ରଶାସନ ଏହି ପ୍ରସ୍ତାବକୁ ନିକଟରେ ମଞ୍ଜୁରୀ ଦେଇଛନ୍ତି। ଏହି ତୋପ ଭାରତୀୟ ନୌସେନାର ସାମର୍ଥ୍ୟକୁ ଦ୍ବିଗୁଣିତ କରିବ।
ବାୟୁସେନା କିଣିବ ୩୦୦ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ଓ ପ୍ରଶିକ୍ଷଣ ବିମାନ : ଭାରତୀୟ ବାୟୁସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ୩୦୦ ଯୁଦ୍ଧ ଓ ପ୍ରଶିକ୍ଷଣ ବିମାନ କ୍ରୟ କରିବ। ଅନ୍ୟ ୧୦ଟି ସ୍କ୍ବାଡ୍ରନ(୧୬୦ରୁ ୧୮୦) ତେଜସ ମାର୍କ-୨ ଏବଂ ୩୬ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) କ୍ରୟ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଯବାନଙ୍କୁ ବର୍ଷରେ ଶହେ ଦିନର ଛୁଟି ପ୍ରସ୍ତାବ : କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀର ଯବାନ ମାନଙ୍କୁ ନିଜ ପରିବାର ସହିତ ବର୍ଷକୁ ୧୦୦ ଦିନ ଅତିବାହିତ କରିବାର ସୁଯୋଗ ପ୍ରଦାନ ନିମନ୍ତେ ସରକାର ଏକ ଯୋଜନା ଆଣିଛନ୍ତି। ଏଥିପାଇଁ ବିଭିନ୍ନ ସେନା ବାହିନୀର ସେବା ନିୟମ ଓ ଅର୍ଦ୍ଧ ସାମରିକ ବାହିନୀର ବଦଳି ନୀତିରେ ପରିବର୍ତ୍ତନ କରାଯାଉଛି।

ପୂର୍ବ ସିଆଙ୍ଗରେ ସୁଦୀର୍ଘ ପୋଲ ଉଦଘାଟନ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଅନ୍ତର୍ଗତ ଲୋଅର ଦିବାଙ୍ଗ ଉପତ୍ୟକାରେ ଥିବା ସିଜର ନଦୀ ଉପ​ରେ ୨୦୦ ମିଟର ଲମ୍ବ ଏକ ପୋଲକୁ ନଭେମ୍ବର ୧୬ରେ ଉଦଘାଟନ କରିଥିଲେ। ଏହି ପୋଲ ଉକ୍ତ ଅଞ୍ଚଳରେ ସେନା ମୁତୟନରେ ସହାୟକ ହେବା ସହିତ ସାମାଜିକ-ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ। ଏହା ପୂର୍ବରୁ ଅକ୍ଟୋବର ୨୨ରେ ରାଜନାଥ ଶ୍ୟୋକ ନଦୀ ଉପରେ ଭାରତର ସୁଉଚ୍ଚ ପୋଲ ଉଦଘାଟନ କରିଥିଲେ। ଏହା ଲେହର ଡରବୁକକୁ ଦୌଲତ ବେଗ ଓଲଡି ସହିତ ସଂଲଗ୍ନ କରେ।

ବଢିଲା କଟକଣା : ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥିବା ଆସାମର ବେଆଇନ ଘୋଷିତ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ ବୋଡୋଲାଣ୍ଡ (ଏନଡିଏଫବି) ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ କେନ୍ଦ୍ର ସରକାର ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ମେଘାଳୟର ବେଆଇନ ଘୋଷିତ ଏଚଏନଏଲସି ଉପରେ ମଧ୍ୟ କଟକଣା ବୃଦ୍ଧି କରାଯାଇଛି।

ସେନା ମୁଖ୍ୟାଳୟରେ ସଂସ୍କାର : ଅଗଷ୍ଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ସେନା ମୁଖ୍ୟାଳୟରେ କେତେକ ସଂସ୍କାର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଥିଲେ। ଏଥିକ୍ରମେ ସେନାମୁଖ୍ୟଙ୍କ ଅଧୀନରେ ଏକ ପୃଥକ ଭିଜିଲାନ୍ସ ସେଲ ପ୍ରତିଷ୍ଠା କରିବା, ମାନବିକ ଅଧିକାର ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଲାଗି ଏକ ବିଶେଷ ସଂସ୍ଥା ସ୍ଥାପନ କରିବା ତଥା ୨୦୬ ସେନା ଅଧିକାରୀଙ୍କୁ ମୁଖ୍ୟାଳୟରୁ ବିଭିନ୍ନ ୟୁନିଟକୁ ପଠାଇବାର ଯୋଜନା ରହିଛି।

‘ଆଫ​‌ସୋଡ’: କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ମିଳିତ ଆତଙ୍କବାଦୀ ଦମନ ଅଭିଯାନ ପାଇଁ ପଦାତିକବାହିନୀ ସହିତ ନୌବାହିନୀ ଓ ବାୟୁସେନାକୁ ନେଇ ସ୍ବତନ୍ତ୍ର ବାହିନୀ ‘ଆର୍ମଡ ଫୋର୍ସେସ ସ୍ପେସିଆଲ ଅପରେସନ୍ସ ଡିଭିଜନ’ ବା ‘ଆଫସୋଡ’ ଗଠନ କରାଯାଇଛି। ସ୍ବତନ୍ତ୍ର ସେନାକୁ ‘ପାରା’, ନୌସେନାକୁ ମେରାଇନ କମାଣ୍ଡୋ ବା ମାର୍କସ ଓ ବାୟୁସେନାକୁ ଗାର୍ଡ ସ୍ପେସିଆଲ ଫୋର୍ସ କୁହାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏହି ବାହିନୀ କାର୍ଯ୍ୟ କରିବ। ଶ୍ରୀନଗରଠାରେ ପାରା ମୁତୟନ ହୋଇଥିବାବେଳେ ମାର୍କସ ଓ କାର୍ଡକୁ ଅନ୍ୟତ୍ର ଆତଙ୍କବାଦୀ ଦମନ କାର୍ଯ୍ୟରେ ନିୟୋଜିତ ହେବ।

୧୪୭ ଆତଙ୍କବାଦୀ ନିପାତ: ଚଳିତବର୍ଷ ଭାରତୀୟ ସେନା ବହୁ କୁଖ୍ୟାତ ଓ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ସହିତ ମୋଟ ୧୪୭ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ବିଭିନ୍ନ ସମୟରେ ପାଖାପାଖି ୫୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପୂର୍ବକ ଏଠାକାର ଶାନ୍ତି ଭଙ୍ଗ କରିବା ଯୋଜନାରେ ଥିବା ବେଳେ ଭାରତୀୟ ସେନା ସେମାନଙ୍କୁ ସୀମା ସେପଟେ ଅଟକାଇବାରେ ସଫଳ ହୋଇଥିଲା।

କାରଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି : ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୯୯ରେ ଘଟିଥିବା କାରଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ତଥା ବିଜୟ ଦିବସ ଅବସରରେ ଭାରତରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭାରତୀୟ ବାୟୁସେନା ଏହି ଅବସରରେ କାରଗିଲରୁ କୋହିମା ପର୍ଯ୍ୟନ୍ତ ୪୫୦୦ କିଲୋମିଟରର ଏକ ମାରାଥନ ଦୌଡ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା। ଏହା ସେପ୍ଟେମ୍ବର ୨୧ରୁ ଆରମ୍ଭ ହୋଇ ନଭେମ୍ବର ୬ରେ ସମାପ୍ତ ହୋଇଥିଲା।

Comments are closed.