ଆଜିର ଦିନରେ ମୋଦୀମୟ ହୋଇଥିଲା ଭାରତ; ୨୦୧୯ରେ ହେବ କି ଏହାର ପୁନରାବୃତ୍ତି?

ନୂଆଦିଲ୍ଲୀ : ପାଞ୍ଚ ପର୍ଷ ପୂର୍ବେ ଠିକ ଆଜିର ଦିନରେ ସମଗ୍ର ଦେଶରେ ମୋଦୀ ଲହରି ଖେଳିଯାଇଥିଲା। ସମସ୍ତ ବିରୋଧୀ ଦଳକୁ ପଛରେ ପକାଇ ବିଜେପି ଏକତରଫା ବିଜୟ ହାସଲ କରିଥିଲା। ଗୁଜରାଟରୁ ଉଠିଥିବା ଏହି ମୋଦୀ ସ୍ୱର ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା। ଏହି ଚହଳର କାରଣ, ମେ ୧୬ ତାରିଖରେ ୨୦୧୪ ଲୋକସଭା ନିର୍ବାଚନର ଭୋଟଗଣତି ହୋଇଥିଲା।
୨୦୧୪ର ଏହି ଫଳାଫଳ ସମସ୍ତ ଅଣ ଏନଡିଏ ରାଜନୈତିକ ଦଳମାନଙ୍କ ନିଦ ଉଡାଇ ଦେବାସହ ୧୯୮୪ ମସିହା ପରେ ଦେଶରେ ଏକ ଦୃଢ ବହୁମତ ସରକାର ଗଠନ ହୋଇଥିଲା।
୧୬ତମ ଲୋକସଭା ନିର୍ବାଚନ ମତଦାନ ଅପ୍ରେଲ ୭ ତାରିଖରୁ ଆରମ୍ଭ ହୋଇ ମେ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି ନିର୍ବାଚନରେ ୬୬.୩୮% ମତଦାନ ହୋଇଥିଲା। ନିର୍ବାଚନରେ ବିଜେପି ୨୮୨ ଆସନ ଜିତି ସବୁଠାରୁ ବଡ ଦଳର ମାନ୍ୟତା ହାସଲ କରିଥିଲା। ଏହାସହ ବିଜେପି ନେତୃତାଧୀନ ଏନଡିଏର ସହଯୋଗୀ ଦଳଙ୍କୁ ମିଶାଇଲେ ଏହି ଅଙ୍କ ୩୩୬ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ କଂଗ୍ରେସ ୪୪ଆସନ ଜିତିବା ସହ ୟୁପିଏ ୫୯ ଆସନରେ ରହିଯାଇଥିଲା। ଏହି ନିର୍ବାଚନର ଫଳାଫଳ ସଂସଦରେ ବିରୋଧୀ ଦଳ ମାନ୍ୟତା ପାଇଁ କୌଣସି ବି ରାଜନୈତିକ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା। ସୂଚନାଯୋଗ୍ୟ ଯେ, ସଂସଦରେ ବିରୋଧୀଦଳ ମାନ୍ୟତା ପାଇଁ ଯେ କୌଣସି ରାଜନୈତିକ ଦଳକୁ ୫୪ଟି ଆସନ ଜିତିବାକୁ ପଡିବ ଯାହା ଲୋକସଭା ଆସନର ୧୦%।
ସେହିପରି ଦେଶର ସବୁଠାରୁ ବଡ ଲୋକସଭା ଆସନ ଥିବା ଉତ୍ତରପ୍ରଦେଶରେ ବିଜେପି ୮୦ଟି ଆସନ ମଧ୍ୟରୁ ୭୧ଟି ଆସନ ଜିତିଥିଲା। ଏହାବ୍ୟତୀତ ଏନଡିଏର ଅନ୍ୟ ସହଯୋଗୀ ଦଳ ୨ଟି ଆସନ ଜିତିଥିଲେ।

Comments are closed.