୨୦୧ କନିଷ୍ଠ ଅଧ୍ୟାପକ ନିଯୁକ୍ତି ପ୍ରସଙ୍ଗ : ରିପୋର୍ଟ ଅନୁପାଳନ ପାଇଁ ମୁଖ୍ୟସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ୱର :ଧନ୍ଦାମୂଳକ ଶିକ୍ଷା ନିର୍ଦେଶାଳୟ ଅଧୀନରେ କାର୍ଯ୍ୟରତ ୨୦୧ଜଣ ଫୁଲ ଟାଇମ ରିସୋର୍ସ ପର୍ସନ(ଏଫଟିଆରପି)ଙ୍କୁ ୨୦୧୬ରେ ବେଆଇନ ଭାବେ କନିଷ୍ଠ ଅଧ୍ୟାପକ ଭାବେ ନିଯୁକ୍ତ କରାଯିବା ପ୍ରସଙ୍ଗକୁ ନେଇ ଏବେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଜାଲ୍‍ କାଗଜପତ୍ର ବଳରେ କିଭଳି କନିଷ୍ଠ ଅଧ୍ୟାପକ ନିଯୁକ୍ତ କରାଗଲା ଏବଂ ସେମାନଙ୍କ ପାଇଁ ମାସିକ ବେତନ ବାବଦକୁ ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ଅର୍ଥ ଶ୍ରାଦ୍ଧ ହେବାଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ହାଇକୋର୍ଟ ଗ୍ରହଣ କରଛି।

ଏସଂକ୍ରାନ୍ତରେ ଆବେଦନକାରୀ ବିଜୟକେତନ ନନ୍ଦଙ୍କ ମାମଲାର ବିଚାର କରି ବିଚାରପତି ବିଶ୍ୱନାଥ ରଥ ରାଜ୍ୟ ମୁଖ୍ୟଶାସନସଚିବ, ଗଣଶିକ୍ଷା ବିଭାଗ ଏବଂ ଧନ୍ଦାମୂଳକ ନିର୍ଦେଶାଳୟକୁ ଅଗଷ୍ଟ ୨୮ରେ ଏକ ନିର୍ଦେଶନାମା ଜାରି କରିଛନ୍ତି। ବିଚାରପତି ଶ୍ରୀ ରଥଙ୍କ ନିର୍ଦେଶ ଅନୁଯାୟୀ ଅଭିଯୋଗକାରୀ ଶ୍ରୀ ନନ୍ଦ ଯେଉଁ ଅଭିଯୋଗ କରିଛନ୍ତି ତା’ର ବାସ୍ତବତାକୁ ନେଇ ଆସନ୍ତା ୪୫ଦିନ ମଧ୍ୟରେ ସରକାର ଅନୁପାଳନ କରିବାର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ ଯେ ଶ୍ରୀ ନନ୍ଦ ହାଇକୋର୍ଟଙ୍କ ନିକଟରେ ଧନ୍ଦାମୂଳକ ନିର୍ଦେଶାଳୟରେ ଚାଲିଥିବା ବ୍ୟାପକ ଅନିୟମିତତା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି।

ବିଗତଦିନରେ ନିର୍ଦେଶାଳୟ ପକ୍ଷରୁ ରାଜ୍ୟରେ ଚାଲିଥିବା ୧୮୧ ହାଇସ୍କୁଲ ଏବଂ ଏହାକୁ ପରବର୍ତୀ ପର୍ଯ୍ୟାୟରେ ଉନ୍ନତିକରଣ କରାଯିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥକୁ ବ୍ୟାପକ ବାଟମାରଣା କରାଯାଇଛି। ଖାଲି ସେତିକି ନୁହେଁ , ୨୦୧୯ ନଭେମ୍ବରରେ ତତ୍କାଳୀନ ନିର୍ଦେଶକଙ୍କ ଦ୍ୱାରା ହୋଇଥିବା ତଦନ୍ତ ପ୍ରକ୍ରିୟାକୁ ବିଭାଗ ଜାଣିଶୁଣି କାର୍ଯ୍ୟକାରୀ କରୁନାହିଁ। ସବୁଠାରୁ ବଡ଼ କଥା ହେଲା ତଦନ୍ତ ଅଧିକାରୀ ତଥା ତତ୍କାଳୀନ ନିର୍ଦେଶକ ପ୍ରତାପଇନ୍ଦ୍ର ଦାଶ ତାଙ୍କ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଦର୍ଶାଇଥିଲେ ଯେ ୨୧ଜଣ ଜାଲ୍‍ ସାର୍ଟିଫିକେଟ ପ୍ରଦାନ କରିଥିବାବେଳେ ୭୫ଜଣଙ୍କ ସାର୍ଟିଫିକେଟ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଗ୍ରହଣଯୋଗ୍ୟ ନୁହେଁ।

ଏହାକୁ ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ସେହିପରି ବିଭାଗ ପକ୍ଷରୁ ପରବର୍ତୀ ସମୟରେ ତିନୋଟି ପର୍ଯ୍ୟାୟରେ ମଧ୍ୟ ତଦନ୍ତ କରାଯାଇଛି, ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବିଭାଗୀୟ ଅଧିକାରୀମାନେ ଜାଣିଶୁଣି କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଯାହାଫଳରେ ରାଜ୍ୟ ରାଜକୋଷରୁ ଅର୍ଥ ଶ୍ରାଦ୍ଧ ହୋଇଚାଲିଛି। ତେଣୁ ତୁରନ୍ତ ଉକ୍ତ ଘଟଣାରେ ଜାଲ୍‍ ସାର୍ଟିଫିକେଟ ଦେଇ ନିଯୁକ୍ତ ହୋଇଥିବା କନିଷ୍ଠ ଅଧ୍ୟାପକଙ୍କୁ ବହିଷ୍କାର କରାଯିବା ସହିତ ଓପିଡିଆର ଆଇନ ଅନୁଯାୟୀ ତାଙ୍କଠାରୁ ସମସ୍ତ ଅର୍ଥ ଆଦାୟ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗଣଶିକ୍ଷା ବିଭାଗର ତତ୍କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମୟରେ ଏହି ପ୍ରସଙ୍ଗର ତ୍ରିସ୍ତରୀୟ ତଦନ୍ତ କରାଯାଇଥିଲା। ଜାଲ୍‍ ସାର୍ଟିଫିକେଟ ଦେଇ ନିଯୁକ୍ତ ହୋଇଥିବା ଅଧ୍ୟାପକଙ୍କୁ ତୁରନ୍ତ ବହିଷ୍କାର କରିବାପାଇଁ ଶ୍ରୀ ମହାପାତ୍ର ଧନ୍ଦାମୂଳକ ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ସରକାରଙ୍କ ଅନୁମତି ମଧ୍ୟ ରହିଥିଲା। ହେଲେ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ଇତିମଧ୍ୟରେ ୧ବର୍ଷ ବିତି ଯାଇଥିଲେ ବି ବିଭାଗୀୟ ଅଧିକାରୀ ଉକ୍ତ ନିର୍ଦେଶାନାମାକୁ କାର୍ଯ୍ୟାନ୍ୱୟନ ନକରି ଦଳେଇ ଆସିଲେ ମୂଳରୁ ଗାଅ ନୀତି ଫାଇଲକୁ ତଳ ଉପର କରୁଛନ୍ତି।

Comments are closed.