ଆସନ୍ତା ସପ୍ତାହ ସୁଦ୍ଧା ଦିଲ୍ଲୀରେ କରୋନା ରୋଗୀଙ୍କ ପାଇଁ ୨୦ ହଜାର ଶଯ୍ୟା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆସନ୍ତା ସପ୍ତାହ ସୁଦ୍ଧା କରୋନା ସଂକ୍ରମିତଙ୍କ ପାଇଁ ଦିଲ୍ଲୀରେ ୨୫୦ଟି ଆଇସିୟୁ ବେଡ୍ ସହିତ ପ୍ରାୟ ୨୦ ହଜାର ଶଯ୍ୟା ବ୍ୟବସ୍ଥା କରାଯିବ। ସେ କହିଛନ୍ତି ଯେ ଦିଲ୍ଲୀ ଛତ୍ରପୁରର ରାଧା ସ୍ୱାମୀ ବ୍ୟାସରେ ଦଶ ହଜାର ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଚଳିତ ମାସ ୨୬ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ।
ଗୃହମନ୍ତ୍ରୀ ଅମିତ ଶାହା ଏକ ଟୁଇଟ୍ରେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଛତ୍ରପୁରର କୋଭିଡ କେୟାର ସେଣ୍ଟର ଯାଞ୍ଚ କରିବାକୁ ଗୃହମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ ସେହି କେନ୍ଦ୍ରରେ ଆଇଟିବିପି ଏବଂ ସେନା ଡାକ୍ତର ଓ ନର୍ସ ନିୟୋଜନ ପାଇଁ ଅନୁରୋଧ କରିଥିଲେ। ଇତି ମଧ୍ୟରେ ଗୃହ ମନ୍ତ୍ରଣାଳୟ ରାଧା ସ୍ୱାମୀ ବ୍ୟାସରେ ଥିବା କୋଭିଡ କେୟାର ସେଣ୍ଟରର ଦାୟିତ୍ୱ ଆଇଟିବିପିକୁ ଦେଇଛି।
ଗୃହମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ସପ୍ତାହ ସୁଦ୍ଧା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ୨୫୦ଟି ଆଇସିୟୁ ଶଯ୍ୟା ବିଶିଷ୍ଟ ଏକ ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ ହୋଇଯିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ଡ଼ିଆରଡ଼ିଓ ଏବଂ ଟାଟା ଟ୍ରଷ୍ଟ ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସଶସ୍ତ୍ର ବାହିନୀର କର୍ମଚାରୀମାନେ ଏହାକୁ ପରିଚାଳନା କରିବେ ଏବଂ ଆଗାମୀ ୧୦ ଦିନ ମଧ୍ୟରେ ଏହି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କାର୍ଯ୍ୟକ୍ଷମ ହେବ।
ଅନ୍ୟପକ୍ଷରେ ଜାତୀୟ ରାଜଧାନୀରେ ରେଳ କୋଚରେ ରହୁଥିବା ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସେବା ତଥା ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ବିସ୍ତୃତ ବିବରଣୀ ଦିଆଯାଇଥିବା ସେ କହିଛନ୍ତି।