୩ ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର/କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଦୌରାଜଜ୍‍ ଗୁରୁବାର ତିନି ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସୂଚନା ଅନୁସାରେ ୨୦୧୭ ଜୁଲାଇ ୧୭ରେ ସୁନ୍ଦରଗଡ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବିରକେରା ଗ୍ରାମର ୪ ମହିଳା ଚାଷ ଜମିରୁ ଘରକୁ ଫେରୁଥିବା ସମୟରେ ବାଟରେ ବିରକେରା ଗ୍ରାମର ରାଜେଶ ଲାକ୍ରା (୩୫) ଏବଂ ନିହିମିଆଁ ଲାକ୍ରା (୩୩) ତିନି ମହିଳାଙ୍କ ମଧ୍ୟରୁ ଜଣେ ବିବାହିତାଙ୍କୁ ଗଛମୂଳକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ସେହି ଗ୍ରାମର ଅଜିତ ଲଳିତ ଭୁରିଆ ଓରଫ୍‍ ଲାଲା (୪୩) ମଧ୍ୟ ପୀଡିତା ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ମହିଳାଙ୍କୁ ଦୁଷ୍କର୍ମ ସମୟରେ ସାଙ୍ଗରେ ଥିବା ଅନ୍ୟ ତିନି ମହିଳା ଏହା ଦେଖି ପାଟିତୁଣ୍ଡ କରି ଦୌଡି ପଳାଇଥିଲେ। ଦୁଷ୍କର୍ମକାରୀ ନିହିମିଆଁ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ଏ ବାବଦରେ ବାହାରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ପୀଡିତାଙ୍କପକ୍ଷରୁ ୧୯/୦୭/୨୦୧୭ରେ ବିଶ୍ରା ଥାନାରେ ମାମଲା ରୁଜୁ କରାଯାଇଥିଲା। ବିଶ୍ରା ପୁଲିସ ଥାନା ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ସମୟରେ ଆଇନଜୀବିମାନଙ୍କର ଆନ୍ଦୋଳନକୁ ଆଖି ଆଗରେ ରଖି ଉଚ୍ଚ ନ୍ୟାୟାଳୟ ଏହି ମାମଲାକୁ ସୁନ୍ଦରଗଡ ରାଉରକେଲାରୁ କେନ୍ଦୁଝର ଜିଲା ଦୌରାଜଜ୍‍ଙ୍କ କୋର୍ଟକୁ ସ୍ଥାନାନ୍ତର କରିଥିଲେ।
କେନ୍ଦୁଝର ଜିଲା ଦୌରାଜଜ୍‍ ୧୫/୧୦/୨୦୧୯ରୁ ଏହି ମାମଲାର ବିଚାର ଆରମ୍ଭ କରିଥିଲେ। ୧୩ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଗୁରୁବାର ମାମଲାର ଚୂଡାନ୍ତ ରାୟ ଜିଲା ଦୌରାଜଜ୍‍ ବେଣୁଧର ପାତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଚୂଡାନ୍ତ ରାୟ ଶୁଣାଇଛନ୍ତି। କୋର୍ଟଙ୍କ ରାୟ ଅନୁସାରେ ଦଫା ୩୭୬(ଘ)ରେ ସମସ୍ତ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ଜେଲ, ୫ ହଜାର ଟଙ୍କା ଲେଖାଏଁ ଜୋରିମାନା, ଜୋରିମାନା ଅନାଦେୟ ୩ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ନିହିମିଆଁ ଲାକ୍ରାଙ୍କୁ ୫୦୬ ଦଫାରେ ଅଧିକ ତିନିମାସ ଜେଲ ଦଣ୍ଡାଦେଶ ହୋଇଛି। ପୀଡିତାଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପକୁମାର ଦାସ ମାମଲା ପରିଚାଳନା କରୁଥିଲେ।

Comments are closed.