ବ୍ରହ୍ମପୁର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ କଲେଜ ଛାତ୍ର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଜଣ କଲେଜ ଛାତ୍ରଙ୍କୁ ଗିରଫ କରାଯାଇ ଆଜି(ବୁଧବାର) କୋର୍ଟ ଚାଲାଣ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ୨ ଅଭିଯୁକ୍ତ ହେଲେ ସୁନାପୁର ଗ୍ରାମର ଜନାର୍ଦନ ବେହେରା ଓ ମିଥୁନ ଦାସ। ଅଭିଯୁକ୍ତ ୨ ଜଣ ସହର ନିକଟସ୍ଥ ଏକ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ବହୁଦା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜନାର୍ଦନ ଓ ଅନ୍ୟ ୨ ଯୁବକ ତାଙ୍କ ମୁହଁରେ ଚୁନି ବାନ୍ଧି ଏକ ପରିତ୍ୟକ୍ତ ଘରକୁ ଟେକି ନେଇଥିଲେ। ସେଠାରେ ଦୁଷ୍କର୍ମ କରିବା ସହ ଛାଡ଼ି ପଳାଇ ଆସିଥିଲେ। ଘଟଣାର ଗୋଟିଏ ଦିନ ପରେ ନାବାଳିକା ଜଣକ ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଥିଲେ। ପରିବାର ଲୋକେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିବା ସହ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

Comments are closed.