ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ହ୍ରାସ ଘଟଣା: ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ କ୍ରମାଗତ ଭାବେ ତିନି ବର୍ଷ କମିବା ପରେ ରାଜ୍ୟ ସରକାର ଏହାର କାରଣ ଖୋଜିବାକୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା​‌ ବିଭାଗ ନିର୍ଦେଶ କ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚଳିତ ବର୍ଷ ମୋଟ ୧୧୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ( କିନଷ୍ଠ ମହାବିଦ୍ୟାଳୟ)କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରାଯାଇଛି। ୯ଟି ଫଳ ଶୂନ କଲେଜ ମଧ୍ୟରୁ ୬ଟିକୁ ବନ୍ଦ କରାଯାଇଥିବାବେଳେ ୩ଟିକୁ କ’ଣ ପାଇଁ ବନ୍ଦ କରା ନଯିବ ସେ ସଂକ୍ରାନ୍ତରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏହା ବ୍ୟତୀତ ବିଦ୍ୟାର୍ଥୀଙ୍କ ଉପସ୍ଥାପନ କଡାକଡି ଭାବେ ଯାଞ୍ଚ କରାଯାଇଥିବାବେଳେ ଚଳିତ ବର୍ଷଠାରୁ ଉଭୟ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥାନ କଡାକଡି ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ଆମ ବିଭାଗ ପ୍ରାଧାନ୍ୟ ଦେଇଛି। ନୋଟିସ୍‌ କରାଯାଇଥିବା ଶିକ୍ଷାନୁଷ୍ଠାନ ପକ୍ଷରୁ ଉତ୍ତର ମିଳିବା ପରେ ତାକୁ ତର୍ଜମା କରାଯିବ। ପରେ ନିୟମ ମୁତାବକ ସେମାନଙ୍କ ନାମଲେଖ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ ସିଲ କହିଛନ୍ତି।
ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଉଚ୍ଚ ଶିକ୍ଷା ବିଭାଗର +୨ ଶିକ୍ଷାନୁଷ୍ଠାନ ପୃଥକ ହୋଇ ଦୁଇବର୍ଷ ପୂର୍ବେ ଗଣଶିକ୍ଷା ବିଭାଗକୁ ଆସିଥିଲା। ପରେ ନିୟମିତ ଭାବେ ରାଜ୍ୟରେ ଥିବା ସମସ୍ତ +୨ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପକ, ପାଠାଗାର, ନିଜସ୍ବ ଯାଗା ଭଳି ଭିତ୍ତିଭୂମିକୁ ଯାଞ୍ଚ କରାଯାଇଥିଲା। ୨୦୧୮ ମସିହାରେ ରାଜ୍ୟର ମୋଟ ୪୮ଟି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ କମ୍‌ ଅଧ୍ୟାପକ ଥିବାରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଏହି ଶିକ୍ଷାନୁଷ୍ଠାନକୁ ପୂର୍ବବର୍ଷ ନାମଲେଖା ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା।
ପୂର୍ବବର୍ଷ ନୋଟିସ୍‌ କରାଯାଇଥିବା ୪୮ ଶିକ୍ଷାନୁଷ୍ଠାନ ସମେତ ମୋଟ ୧୧୧ କନିଷ୍ଠ ମହାବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ତନ୍ମଧ୍ୟରୁ ୨୧ଟି ଶିକ୍ଷାନୁଷ୍ଠାନ ନୋଟିସ୍‌ର ଉତ୍ତର ଦେବା ସହ ଭିତ୍ତିଭୂମି ଉନ୍ନତି କରିଥିବାରୁ ସେମାନଙ୍କୁ ୨୦୧୯-୨୦ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦିଆଯାଇଛି। ଏଯାବତ୍‌ ନୋଟିସ୍‌ କରାଯାଇଥିବା ୯୦ ଶିକ୍ଷାନୁଷ୍ଠାନ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇନାହାନ୍ତି। ସନ୍ତୋଷଜନକ ଉତ୍ତର ଦେବା ପରେ ଏହି ଶିକ୍ଷାନୁଷ୍ଠାନ ଉପରେ ନାମଲେଖାକୁ ନେଇ ଥିବା କଟକଣା ପ୍ରତ୍ୟାହାର କରାଯିବ। ଯଦି ଏହି ଶିକ୍ଷାନୁଷ୍ଠାନ ଉତ୍ତର ନଦିଅନ୍ତି ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନ ନାମଲେଖା ପ୍ରକ୍ରିୟାରୁ ବାଦ ପଡିବେ ବୋଲି ଜଣାପଡିଛି।
ଚଳିତଥର ରାଜ୍ୟର ୯ଟି ବିଜ୍ଞାନ କଲେଜର କୌଣସି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ। ଏସବୁ ଶିକ୍ଷାନୁଷ୍ଠାନରେ ମୋଟ ୨୦ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ସମ‌େ‌ସ୍ତ ଫେଲ୍‌ ହୋଇଥିଲେ। ୨୦୧୭ରେ ରାଜ୍ୟରେ ମୋଟ ୩ କଲେଜ ଫଳ ଶୂନ ହୋଇଥିବାବେଳେ ୨୦୧୮ରେ କୌଣସି କଲେଜରେ ଫଳ ଶୂନ ହୋଇନଥିଲା। ଚଳିତ ଥର ଫଳ ଶୂନ କରିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବଲାଙ୍ଗିର ଜିଲାର ଶ୍ରୀ ଜଗନ୍ନାଥ ଦେବ ହାଇସ୍କୁଲ ମଣ୍ଡଳ, ଢେଙ୍କାନାଳ ଜିଲାର କଳା ସଂସ୍କୃତି ହାଇସ୍କୁଲ ସରଖିଆ, ନୟାଗଡ଼ ଜିଲାର କେପିଡି ମହିଳା ହାଇସ୍କୁଲ ଦଶପଲ୍ଲା, ଭୁବନେଶ୍ୱରରେ ଏସଆରଏମଏସ୍‌ସି ହାଇସ୍କୁଲ, ଭୁବନେଶ୍ୱର ନାନୋ ହାଇସ୍କୁଲ ସହିଦନଗର , ସମ୍ବଲପୁର ଜିଲାର ଶ୍ରୀଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ରିସର୍ଚ୍ଚ, ସୁନ୍ଦରଗଡ ଜିଲାର ଗୋବରା କୁରମୁଣ୍ଡା କନିଷ୍ଠ ମହାବିଦ୍ୟାଳୟର ନାମଲେଖାକୁ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ବନ୍ଦ କରାଯାଇଛି। ଏହା ବ୍ୟତିତ ଅନୁଗୋଳ ଜିଲାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହାଇସ୍କୁଲ, ଗଞ୍ଜାମର ବେଲଗୁଣ୍ଠା ମହିଳା ହାଇସ୍କୁଲ ଓ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକନୋଲୋଜି ହାଇସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି।
ଅପରପକ୍ଷେ ଚଳିତ ଶିକ୍ଷାବର୍ଷରୁ ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନକୁ ବାଧ୍ୟତାମୁଳକ କରାଯାଇଛି। କଡାକଡି ଭାବେ କର୍ମଚାରୀ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହୁଛନ୍ତି କି ନାହିଁ ତା ଉପରେ ବିଭାଗ ନଜର ରଖିବ।

Comments are closed.