ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ମୋଟ ପାସ ହାର ୬୭.୫୬%

ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ

ଭୁବନେଶ୍ବର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଚଳିତ ବର୍ଷ ଯୁକ୍ତ ଦୁଇ କଳା ପାସ ହାର ୬୭.୫୬% ରହିଛି । ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନେ ‘www.orissaresults.nic.in’  ଲଗ୍‌ଇନ୍‌ କରି କଳା ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ପରୀକ୍ଷା ଫଳ ଦେଖିପାରିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  କହିଛନ୍ତି ଯେ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ମୋଟ ୨ଲକ୍ଷ ୧୯ହଜାର ୭୧୬ ଛାତ୍ରାଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ  ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ ପାସ କରିଛନ୍ତି ଓ  ଛାତ୍ରଛାତ୍ରୀଙ୍କ ମୋଟ ପାସ୍‌ହାର ୬୭.୫୬%  ରହିଛି। ପାସ ହାରରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ପାସ ହାର ୫୭.୫୩% ରହିଥିବା ବେଳେ  ଛାତ୍ରୀଙ୍କ ପାସ ହାର ୭୫.୪୮% ରହିଛି। ଯୁକ୍ତ ଦୁଇ କଳାରେ ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୨୬ ହଜାର ୦୨୭ ଜଣ ଓ ତୃତୀୟ ଶ୍ରାଣୀରେ ୧ ଲକ୍ଷ ୧୦୧ ଜଣ ପାସ କରିଛନ୍ତି । ବରଗଡ଼ ଜିଲାରେ ସର୍ବାଧିକ ୭୬.୬୩ % ପାସ ହାର ରହିଛି । ସେହିପରି ନବରଙ୍ଗପୁର ଜିଲାରେ ସର୍ବନିମ୍ନ ପାସ ହାର ୪୪.୬୭% ରହିଛି। କେବଳ ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି । ୧୦ଟି କଲେଜର ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି। ତେବେ କୌଣସି କଲେଜର ଜିରୋ ରେଜଲ୍ଟ ହୋଇନାହିଁ ।

ସେହିପରୁ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ମୋଟ ୭ହଜାର ୩୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୪ ହଜାର ୪୬ ପାସ କରିଛନ୍ତି। ଯାହାର ପାସ ହାର ୫୭.୫୩% ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପାସ ହାର ୪.୯୧ % ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.