ଗଞ୍ଜାମରୁ ୨ ପଜିଟିଭ୍ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ବର : ଗଞ୍ଜାମରୁ ୨ଜଣ  କରୋନାପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ବିଳମ୍ବିତ ରାତିରେ ଏହି ୨ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୧୦୨ଜଣ କରୋନା ଆକ୍ରାନ୍ତ ବିଭିନ୍ନ ସ୍ଥାନରେ ଚିକତ୍ସିତ ହେଉଥିବା ବେଳେ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ନୂଆ ଜିଲ୍ଲା ଭାବେ ଗଞ୍ଜାମ କରୋନା ସଂକ୍ରମର ସୂଚୀରେ ସ୍ଥାନ ପାଇଛି ।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟର୧୬ଟି ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାରେ ସର୍ବାଧିକ ୪୮ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ  ୪୭ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୧୯ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡା, କଳାହାଣ୍ଡି, ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାରେ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ କଟକ, ଢେଙ୍କାନାଳ, କୋରାପୁଟ, ପୁରୀ, ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୮ହଜାର ୬୫୮ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଯେଉଁଥିରୁ ୧୫୯ଟି ପଜିଟିଭ ଚିହ୍ନଟ
ହୋଇଥିବା ଜଣାପଡିଛି ।

Comments are closed.