ସିଂଘୁର ହତ୍ୟା ମାମଲାରେ ଆଉ ଦୁଇ ନିହଙ୍ଗଙ୍କ ଆତ୍ମସମର୍ପଣ

ଚଣ୍ଡିଗଡ: ସିଂଘୁରଠାରେ ଜଣେ ଦଳିତ ଯୁବକ ଲଖବୀର ସିଂଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯିବା ମାମଲାରେ ସରବଜିତ ସିଂ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ସହିତ ଘଟଣା ପାଇଁ ସେ ଦାୟୀ ବୋଲି ସ୍ୱୀକାର କରିସାରିଛନ୍ତି । ତେବେ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ଆଉ ଦୁଇ ନିହଙ୍ଗ (ଶିଖ ଯୋଦ୍ଧା) ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଜଣକୁ ପୁଲିସ ଗିରଫ କରିଥିବାବେଳେ ଏହାକୁ ମିଶାଇ ଏପର୍ଯ୍ୟନ୍ତ ଏହି ହତ୍ୟା ମାମଲାରେ ମୋଟ ୪ ଜଣଙ୍କୁ ପୁଲିସ ଗିରଫ କରିସାରିଲାଣି । ଆତ୍ମସମର୍ପଣ କରିଥିବା ଦୁଇ ଅଭିଯୁକ୍ତ ଭଗବନ୍ତ ସିଂ ଏବଂ ଗୋବିନ୍ଦ ସିଂ ବୋଲି ଜଣାଯାଇଛି । ଏହା ପୂର୍ବରୁ ଶୁକ୍ରବାର ସଂଧ୍ୟାରେ ସରବଜିତ ସିଂ ହରିଆଣା ପୁଲିସ ନିକଟରେ ଆତ୍ମସମର୍ପଣ କରିବା ସହିତ ୩୫ ବର୍ଷ ବୟସ୍କ ଦଳିତ ଯୁବକଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା । ସୂଚନାଯୋଗ୍ୟ ଯେ ସିଂଘୁରଠାରେ ପୁଲିସ ପକ୍ଷରୁ ଲଗାଯାଇଥିବା ବାଡରେ ଲଖବୀରଙ୍କ ମୃତଦେହକୁ ବନ୍ଧା ଯାଇଥିଲା । ତାଙ୍କର ବାମ ହାତ ଏବଂ ଡାହାଣ ଗୋଡ କାଟି ଦିଆଯାଇଥିଲା । ତେବେ ଏହି ହତ୍ୟା ଘଟଣା ପାଇଁ ନିହଙ୍ଗ ସଦସ୍ୟମାନଙ୍କର କୌଣସି ପଶ୍ଚାତାପ ନଥିବା ସେମାନେ କହିଛନ୍ତି । ହତ୍ୟା ଅଭିଯୁକ୍ତଙ୍କ କହିବା କଥା ଯେ ଲଖବୀର ସିଂ ଶିଖମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବକୁ ଅପମାନ କରିବା କାରଣରୁ ତାଙ୍କୁ ହତ୍ୟା କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ ତାଲାବନ୍ଦ ସମୟରେ ପଟିଆଲାରେ ରାସ୍ତାରେ ବୁଲୁଥିବା ନିହଙ୍ଗଙ୍କୁ ପୁଲିସ ବାହାରକୁ ବାହାରିବାର ଅନୁମତିପତ୍ର ମାଗିବାରୁ ନିହଙ୍ଗମାନେ ଜଣେ ପୁଲିସ ଅଧିକାରୀଙ୍କର ଏକ ହାତ ହାଣିଦେଇଥିଲେ ।

Comments are closed.