ରାଜ୍ୟଗୋଷ୍ଠୀ କ୍ରୀଡା : କୁସ୍ତିରେ ଭାରତକୁ ୨ ପଦକ

ବର୍ଗିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଶୁକ୍ରବାର କୁସ୍ତିରେ ୨ଟି ପଦକ ଜିତିଛି । ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଜରଙ୍ଗ କ୍ରମାଗତ ଦ୍ବିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବଜରଙ୍ଗ ଫାଇନାଲରେ କାନାଡାର ଲାଚଲାନ ମ୍ୟାକଲିନ୍‌ଙ୍କୁ ୯-୨ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବଜରଙ୍ଗ ପ୍ରାରମ୍ଭରୁ ଚମତ୍କାର ଫାଇଟ୍‌ କରି ୪ ପଏଣ୍ଟ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ମ୍ୟାକଲିନ୍‌ ପ୍ରତ୍ୟାବର୍ତ୍ତନ କରିବା ସହିତ ୨ ପଏଣ୍ଟ ହାସଲ କରି ମ୍ୟାଚକୁ ୪-୨ସ୍ତରକୁ ଆଣିଥିଲେ। ଶେଷ ଦୁଇ ମିନିଟ୍‌ରେ ବଜରଙ୍ଗ ୫ ପଏଣ୍ଟ ପାଇ ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲେ। ବଜରଙ୍ଗ ସେମିଫାଇନାଲରେ ଇଂଲଣ୍ଡର ଜର୍ଜ ରାମ୍‌ଙ୍କୁ ୧୦-୦ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ହରିୟାଣାର ବଜରଙ୍ଗ ୨୦୧୪ ଗ୍ଲାସ​‌େ​‌ଗାରେ ରୌପ୍ୟ ଓ ୨୦୧୮ ଗୋଲଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ସେହିପରି ୫୭ କେଜି ବର୍ଗ ମହିଳା କୁସ୍ତିରେ ଅଂଶୁ ମଲ୍ଲିକ ରୌପ୍ୟ ପଦକ ଜିତିଛନ୍ତି । ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ ଅଂଶୁ ନାଇଜେରିଆର ଫୋଲାସାଡେ ଆଡିକୁଇଇରୋଇଙ୍କ ନିକଟରୁ ପରାଜିତ ହୋଇଥିଲେ। ଫାଇନାଲରେ ଅଂଶୁ ବିପକ୍ଷ ଯୋଦ୍ଧାଙ୍କୁ କଡା ଟକ୍କର ଦେଇଥିଲେ ମଧ୍ୟ ବିଜୟ ହାସଲ କରିପାରିନଥିଲେ। ସେମିଫାଇନାଲରେ ଅଂଶୁ ମଲିକ ୧୦-୦ରେ ଶ୍ରୀଲଙ୍କାର ନାଥିମି ପୋରୁତୋଙ୍ଗେଙ୍କୁ ପରାସ୍ତ କରିଥିଲେ। ଏସିଆନ ଚମ୍ପିଆନସିପ୍‌ ସ୍ବର୍ଣ୍ଣ ପଦକ ବିଜେତା ଅଂଶୁ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହାସଲ କରିଛନ୍ତି।

Comments are closed.