ଗୁଣି ସନ୍ଦେହରେ ଗଡ଼ିଲା ଦୁଇ ମୁଣ୍ଡ

ମୋହନା: ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡି ନିକଟ ଗପଟିମା ଜଙ୍ଗଲରେ ଗୁଣିଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ କୌଣସି ଦୁବୃର୍ତ୍ତ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗପିଟମା ଗ୍ରାମର ପଟର ମଳିକ (୪୫) ଓ ଦିବ୍ୟାଙ୍ଗ ପତ୍ନୀ ସବିତା ମଳିକ (୩୫) ସବୁଦିନ ଭଳି ଗ୍ରାମ ନିକଟରେ ରହିଥିବା ବଗଡକୁ ତେନ୍ତୁଳି ସଂଗ୍ରହ କରିବାକୁ ଯାଇଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ଉଭୟ ଦମ୍ପତି ଉକ୍ତ ସ୍ଥାନରେ ପହଞ୍ଚିବା ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଦୁବୃର୍ତ୍ତମାନେ ପ୍ରଥମେ ଦମ୍ପତିଙ୍କ ଆଖିକୁ ଲଙ୍କାଗୁଣ୍ଡ ଫୋପାଡିଥିଲେ। ଜଳାପୋଡାରେ ଦମ୍ପତି ଛଟପଟ ହେଉଥିବା ବେଳେ ଦୁବୃର୍ତ୍ତମାନେ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ଦେଇଥିଲେ। ସେତିକିରେ ସେମାନଙ୍କ କ୍ରୋଧ ସମ୍ବରଣ ହୋଇନଥିଲା। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଛାତିକୁ ଧାରୁଆ ଅସ୍ତ୍ରରେ କ୍ଷତବିକ୍ଷତ କରିପକାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ଶରୀରର ୫୦ ମିଟର ଦୂରତାରେ ଦୁଇ ହଳ ଜୋତା, ଭଙ୍ଗା ଚୁଡି, ଗୋଟିଏ ପାଣି ବୋତଲ, ପଲିଥିନରେ ରହିଥିବା ଲଙ୍କାଗୁଣ୍ଡ, ମାଟି ହାଣ୍ଡି ଓ ପାଣି ପିଇବା ଡଙ୍କି ପଡିଥିବା ଦେଖିବାକୁ ମିଳିଛି।

କୁଟିଗୁଡା ଗ୍ରାମର ଦୁଇଜଣ ନାବାଳକ ତେନ୍ତୁଳି ଗୋଟାଇବା ପାଇଁ ଆସିଥିବା ବେଳେ ଦମ୍ପତିଙ୍କ ମୃତଦେହ ଦେଖି ଗପଟିମା ଗ୍ରାମରେ ଖବର ଦେଇଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ମୋହନା ଥାନାକୁ ଜଣାଇଥିଲେ। ମୃତ ପଟରଙ୍କ ସାନ ପୁଅ ସଞ୍ଜୀବ ମଲ୍ଲିକ କହିବା ପ୍ରକାରେ ବାପା ପଟର ଆଗରୁ ଲୋକଙ୍କୁ ଚେରମୂଳି ଦେଇ ବିଭିନ୍ନ ରୋଗ ଉପଶମ କରାଉଥିଲେ। ଏହାକୁ କିଛି ବ୍ୟକ୍ତି ସହ୍ୟ କରିନପାରି ଗୁଣି ଗାରେଡି କରୁଥିବା ଓ ବିଭିନ୍ନ ରୋଗରେ ପଡି ମୃତ୍ୟୁବରଣ କରୁଥିବା ଲୋକଙ୍କୁ ବାପା ମାରୁଥିବା ବିଶ୍ୱାସ କରି ଏଭଳି କାରନାମା ଭିଆଇଛନ୍ତି ବୋଲି କହିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‍ ଟିମ ସନ୍ଧାନୀ କୁକୁର ସହାୟତାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Comments are closed.