ପାକ୍ ହାଇକମିଶନଙ୍କୁ ଧମକ ପରେ ଦୁଇ ଭାରତୀୟ ଅଧିକାରୀଙ୍କୁ ଛାଡ଼ିଲା ପାକିସ୍ଥାନ

ନୂଆଦିଲ୍ଲୀ: ପାକ୍ ହାଇ କମିଶନଙ୍କୁ ସମନ ଓ ଧମକ ପରେ ଆଜି ସକାଳେ ଇସଲାମାବାଦରେ ପାକିସ୍ତାନ ପୁଲିସ ଗିରଫ କରିଥିବା ଦୁଇ ଭାରତୀୟ ଅଧିକାରୀଙ୍କୁ ମୁକୁଳାଇଛି ପାକିସ୍ତାନ । ଉଭୟ ଅଧିକାରୀ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟକୁ ଫେରିଛନ୍ତି ।

ସୂଚନା ଅନୁସାରେ ଭାରତୀୟ ଦୂତାବାସର ଏହି ଦୁଇ କର୍ମଚାରୀ ସକାଳୁ ସରକାରୀ ଗାଡ଼ିରେ ବାହାରକୁ ଯାଇଥିଲେ । ମାତ୍ର ସେମାନେ ନିର୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟ ସ୍ଥଳରେ ପହଞ୍ଚି ନ ଥିଲେ କିମ୍ବା ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା । ଫଳରେ ସେମାନଙ୍କୁ ଅପହରଣ କରି ନିଆଯାଇଥିବା ଆଶଙ୍କା କରାଯାଉଥିଲା । ମାତ୍ର ପରବର୍ତୀ ସମୟରେ ସେମାନଙ୍କୁ ପାକ୍ କର୍ତ୍ତୃପକ୍ଷ ଗିରଫ କରିଥିବା ସୂଚନା ମିଳିଥିଲା ।

ପାକ୍ ମିଡ଼ିଆରେ ଏହି ଖବର ପ୍ରସାରତ ହେବା ପରେ ପାକିସ୍ଥାନ ରାଷ୍ଟ୍ରଦୂତଙ୍କୁ ଭାରତ ସମନ କରିଥିଲା । ଇସଲାମାବାଦରେ ଭାରତୀୟ ହାଇକମିଶନ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କ କଥିତ ଗିରଫଦାରୀକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ପାକିସ୍ତାନର ଜଣେ ସରକାରଙ୍କୁ ଧକ୍କା ଦେଇ ଫେରାର ହେବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯିବା ଘଟଣା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଭାରତ କହିଛନ୍ତି ।

ଭାରତ ଏ ସମ୍ପର୍କରେ ନିଜ ଆପତ୍ତି ଜଣାଇବା ସହ ଭାରତୀୟ ଅଧିକାରୀଙ୍କୁ କୌଣସି ଜେରା କରାଯାଇ ପାରିବ ନାହିଁ କିମ୍ବା ସେମାନଙ୍କୁ କୌଣସି ଶାରୀରିକ, ମାନସିକ ଯାତନା ଦିଆଯାଇ ପାରିବ ନାହିଁ । ସେହିପରି ଏହି ଅଧିକାରୀମାନଙ୍କ ସୁରକ୍ଷା ପୁରା ପାକିସ୍ତାନର ବୋଲି ମଧ୍ୟ ସୂଚେଇ ଦିଆଯାଇଛି ।  ସେମାନଙ୍କ ଗାଡ଼ି ସହ ସେମାନଙ୍କୁ ତୁରନ୍ତ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚାଇବା ବ୍ୟବସ୍ଥା କରାଯାଉ ବୋଲି ମଧ୍ୟ ଭାରତ ସୂଚେଇ ଦେଇଛି ।

ପାକିସ୍ତାନ ହାଇକମିଶନର କାର୍ଯ୍ୟାଳୟର ୨ କର୍ମଚାରୀଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଦେଶରୁ ଚାଲିଯିବାକୁ ନିର୍ଦେଶ ଦେବାର ୨ ସପ୍ତାହ ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଏପରି ପଦକ୍ଷେପ ନେଇଛି । ପାକିସ୍ତାନ ହାଇକମିଶନରଙ୍କ କାର୍ଯ୍ୟାଳୟର ଆବିଦ୍ ହୁସେନ ଓ ମହମ୍ମଦ ତାହିରଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଦିଲ୍ଲୀ ପୁଲିସ ଗିରଫ କରିଥିଲା । ସେମାନେ ଜଣେ ଭାରତୀୟ ନାଗରିକଙ୍କୁ ଲାଞ୍ଚ ଦେଇ ସୁରକ୍ଷା ସଂକ୍ରାନ୍ତ କିଛି ଦଲିଲ ହାସଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ବହିଷ୍କାର ପରେ ପାକିସ୍ତାନୀ ଏଜେନ୍ସି ଇସଲାମାବାଦରେ ମିଶନ ପ୍ରଭାରୀ ଗୌରବ ଆହ୍ଲୁୱାଲିଆଙ୍କ ସମେତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ କିଛି ଅଧିକାରୀଙ୍କୁ ମାନସିକ ଉତ୍ପୀଡ଼ନ କରିବାକୁ ଚେଷ୍ଟା କରିଛି । ଏପରିକି ଗୌରବଙ୍କ କାରକୁ ପିଛା କରିବା ନେଇ ଭାରତ ନିଜର ଚିନ୍ତା ବ୍ୟକ୍ତ କରିଛି ।

Comments are closed.